ଭୁବନେଶ୍ୱର: ରାଜଧାନୀରେ କେବଳ ଜୁଲାଇ ମାସରେ ୨୫୨୯ ସଂକ୍ରମିତ ଚିହ୍ନଟ ହୋଇଛନ୍ତି। ଆଜି ଚିହ୍ନଟ ୧୨୬ ଆକ୍ରାନ୍ତଙ୍କ ମଧ୍ୟରେ ୭୭ ସଙ୍ଗରୋଧରୁ ଓ ୪୯ଜଣ ସ୍ଥାନୀୟ ଆକ୍ରାନ୍ତ ରହିଛନ୍ତି। ସଙ୍ଗରୋଧରୁ ତପୋବନ ବସ୍ତିରୁ ୬, ତାରିଣୀ ବସ୍ତିରୁ ୧୦, ବାୟାବାବା ବସ୍ତିରୁ ୯, ବଡ଼ଗଡ଼ କଳିଙ୍ଗ ବସ୍ତିରୁ ଜଣେ ଚିହ୍ନଟ ହୋଇଛନ୍ତି। ଏହାସହ ଏକ ଗଣମାଧ୍ୟମ ସଂସ୍ଥାର କର୍ମଚାରୀ, ୮ଜଣ ପୁଲିସ କର୍ମଚାରୀ ଓ ରାଜଧାନୀର ଅନ୍ୟାନ୍ୟ ଅଞ୍ଚଳରୁ ସଙ୍ଗରୋଧରୁ ସଂକ୍ରମିତ ଚିହ୍ନଟ ହୋଇଛନ୍ତି।
ଅପରପକ୍ଷରେ ସ୍ଥାନୀୟ ସଂକ୍ରମିତଙ୍କ ମଧ୍ୟରେ ୧୦ଜଣ ମହିଳାଙ୍କୁ ବାଦ୍ ଦେଲେ ଅନ୍ୟ ୩୯ଜଣ ପୁରୁଷ ରହିଛନ୍ତି। ଏଥିରେ ଗଣମାଧ୍ୟମ ସଂସ୍ଥାର ୨ଜଣ କର୍ମଚାରୀଙ୍କ ସମେତ ଘରୋଇ ହସ୍ପିଟାଲର ଏକାଧିକ କର୍ମଚାରୀ ପଜିଟିଭ୍ ଚିହ୍ନଟ ହୋଇଛନ୍ତି। ରାଜଧାନୀର ପ୍ରତ୍ୟେକ ଦିନ ଘରୋଇ ହସ୍ପିଟାଲରୁ ବହୁ ସଂଖ୍ୟାରେ ପଜିଟିଭ୍ ଚିହ୍ନଟ ହେଉଛନ୍ତି। ସ୍ବାସ୍ଥ୍ୟ ବିଭାଗ ଓ ବିଏମ୍ସି ପକ୍ଷରୁ ହସ୍ପିଟାଲ ଗୁଡ଼ିକରେ କିଭଳି ସଂକ୍ରମଣ ହ୍ରାସ କରାଯିବ ଏନେଇ ଏସ୍ଓପି ଜାରି କରାଯାଇଥିବା ସତ୍ବେ ମଧ୍ୟ ଆକ୍ରାନ୍ତଙ୍କ ସଂଖ୍ୟା କମୁନାହିଁ। ବିଏମ୍ସି ପକ୍ଷରୁ କିଛିଦିନ ପୂର୍ବରୁ ଘରୋଇ ହସ୍ପିଟାଲ ଗୁଡ଼ିକରେ ସଂକ୍ରମଣ ସୁରକ୍ଷା ନେଇ ଯାଞ୍ଚ କରାଯାଇଥିଲା। ଏହାସତ୍ବେ ମଧ୍ୟ ଘରୋଇ ହସ୍ପିଟାଲରେ ସଂକ୍ରମଣ କମିବା ପରିବର୍ତେ ବଢ଼ି ବଢ଼ି ଚାଲିଛି। ଖୋର୍ଧା ଜିଲ୍ଲାରେ କରୋନା ରୋଗୀଙ୍କ ସୁସ୍ଥ ହାର ୪୨ ପ୍ରତିଶତ ଥିବା ବେଳେ ରାଜଧାନୀରେ ଏହା ୫୪ ପ୍ରତିଶତ ରହିଛି। ତଥାପି ରାଜ୍ୟର ସୁସ୍ଥ ହାର ତୁଳନାରେ ଉଭୟ ଖୋର୍ଧା ଜିଲ୍ଲା ଓ ରାଜଧାନୀର ସୁସ୍ଥ ହାର କମ୍ ରହିଛି।
ଏବେ ୧୬ଜଣ ଆଇସିୟୁରେ, ୩ଜଣ ଭେଣ୍ଟିଲେଟରରେ
ଭୁବନେଶ୍ୱର: ରାଜଧାନୀରେ ବର୍ତ୍ତମାନ ସୁଦ୍ଧା ୧୭ଜଣଙ୍କର କରୋନା ଜନିତ ମୃତ୍ୟୁ ହୋଇଥିବାବେଳେ ଏବେବି ୧୯ଜଣ ଗୁରୁତର ଅଛନ୍ତି। ବିଏମ୍ସିରୁ ମିଳିଥିବା ସୂଚନା ଅନୁଯାୟୀ, ରାଜଧାନୀର ବିଭିନ୍ନ କୋଭିଡ୍ ହସ୍ପିଟାଲରେ ୧୬ଜଣ ଆଇସିୟୁରେ ଥିବାବେଳେ ୩ଜଣ ଭେଣ୍ଟିଲେଟରରେ ଅଛନ୍ତି। ଆଇସିୟୁ ଓ ଭେଣ୍ଟିଲେଟରରେ ଥିବା ଆକ୍ରାନ୍ତଙ୍କ ପରିବାର ସହ ବିଏମ୍ସି ସମ୍ପର୍କରେ ଅଛି। ସେମାନଙ୍କୁ ପ୍ରତିଦିନ ଆକ୍ରାନ୍ତଙ୍କ ବିଷୟରେ ସୂଚନା ଦିଆଯାଉଛି। ସେମାନେ ବି ୧୯୨୯ ନମ୍ବରରେ ଫୋନ୍ କରି ଆକ୍ରାନ୍ତଙ୍କ ବିଷୟରେ ଜାଣିପାରୁଛନ୍ତି ବୋଲି ବିଏମ୍ସି ପକ୍ଷରୁ କୁହାଯାଇଛି।
/sambad/media/agency_attachments/2024-07-24t043029592z-sambad-original.webp)
/sambad/media/post_attachments/wp-content/uploads/2020/06/covid-19-4982910_1920.jpg)