କରୋନା: ଭୁବନେଶ୍ୱରରୁ ଆଜି ୧୨୮ ପଜିଟିଭ, ସ୍ଥାନୀୟ ସଂକ୍ରମଣ ୪୩

ଭୁବନେଶ୍ୱର: ମହାମାରୀ କରୋନା ଭାଇରସ ରାଜଧାନୀ ଭୁବନେଶ୍ୱରରେ ନିୟନ୍ତ୍ରଣକୁ ଆସିପାରୁ ନାହିଁ । ଆଜି ଭୁବନେଶ୍ୱରରୁ ୧୨୮ ଜଣ କରୋନା ପଜିଟିଭ୍ ଚିହ୍ନଟ ହୋଇଛନ୍ତି । ଏଥିରେ ୮୫ ସଂଗରୋଧରୁ ଚିହ୍ନଟ ହୋଇଥିବା ବେଳେ ୪୩ ଜଣ ସ୍ଥାନୀୟ ସଂକ୍ରମଣର ଶିକାର ହୋଇଛନ୍ତି । ଭୁବନେଶ୍ୱର ମହାନଗର ନିଗମ ପକ୍ଷରୁ ଟୁଇଟ ଜରିଆରେ ଏହି ସୂଚନା ଦିଆଯାଇଛି ।

ଭୁବନେଶ୍ୱରରୁ ଏ ପର୍ଯ୍ୟନ୍ତ ୨୭୩୫ ଜଣ କରୋନା ପଜିଟିଭ ଚିହ୍ନଟ ହୋଇଥିବା ବେଳେ ୧୪୩୩ ଜଣ ସୁସ୍ଥ ହୋଇସାରିଛନ୍ତି । ଏବେ ୧୨୮୫ ଜଣ କରୋନା ଆକ୍ରାନ୍ତ ସକ୍ରିୟ ଥିବା ବେଳେ ୧୫ ଜଣଙ୍କର ମୃତ୍ୟୁ ହୋଇଛି ।

କେବଳ ଗୋଟିଏ କ୍ୱାରେଣ୍ଟାଇନରୁ ୧୮ ଜଣ କରୋନା ପଜିଟିଭ ଚିହ୍ନଟ ହୋଇଛନ୍ତି । ଏମାନେ ପୂର୍ବରୁ ଚିହ୍ନଟ ଆକ୍ରାନ୍ତଙ୍କ ସଂସ୍ପର୍ଶରେ ଆସିଥିଲେ । ୧୮ ଜଣଙ୍କ ମଧ୍ୟରୁ ୫ ଜଣ ମହିଳା ହୋଇଥିବା ବେଳେ ୧୩ ଜଣ ହେଉଛନ୍ତି ପୁରୁଷ । ସାଲିଆ ସାହିରୁ ଆଜି ୨ ଜଣ ମହିଳାଙ୍କ ସମେତ ୬ ଜଣ କରୋନା ପଜିଟିଭ ଚିହ୍ନଟ ହୋଇଥିଲା ବେଳେ ସତ୍ୟନଗରରୁ ୨ ଜଣ ମହିଳାଙ୍କ ସମେତ ୬ ଜଣ ପୁରୁଷ କରୋନା ଆକ୍ରାନ୍ତ ହୋଇଥିବା ଜଣାଯାଇଛି । ଏକ ଘରୋଇ ହସ୍ପିଟାଲର ୨ ଜଣ ମହିଳାଙ୍କ ସମେତ ୪ ଜଣ କର୍ମଚାରୀ କରୋନା ପଜିଟିଭ ଚିହ୍ନଟ ହୋଇଛନ୍ତି । ସେହିପରି ଏକ ମିଡିଆ ହାଉସରୁ ୩ ଜଣ କରୋନା ପଜିଟିଭ ଚିହ୍ନଟ ହୋଇଛନ୍ତି ।

ସମ୍ବନ୍ଧିତ ଖବର