ଆଶଙ୍କାରେ ବରମୁଣ୍ଡା ବସ୍‌ଷ୍ଟାଣ୍ଡର ୧୨୯ ଦୋକାନୀ, ଥଇଥାନ କରୁନି ଓଏସ୍‌ଆର୍‌ଟିସି

ଭୁବନେଶ୍ବର: ବରମୁଣ୍ଡା ବସଷ୍ଟାଣ୍ଡକୁ ନୂଆ ରୂପ ଦେବା ପାଇଁ ବିଡିଏ କାମ ଆରମ୍ଭ କରିଛି। ୧୬୦କୋଟି ଟଙ୍କାରେ ବ୍ୟୟରେ ରାଜଧାନୀର ଏହି ମୁଖ୍ୟ ବସଷ୍ଟାଣ୍ଡର ନବୀକରଣ କରାଯିବ। କିନ୍ତୁ ୨୦ରୁ ୨୫ ବର୍ଷ ଧରି ଏଠାରେ ବ୍ୟବସାୟ କରୁଥିବା ଦୋକାନୀମାନଙ୍କ ଭାଗ୍ୟ ସୂତାଖିଅ ଝୁଲୁଥିବାରୁ ସେମାନେ ଚିନ୍ତା ପ୍ରକଟ କରିଛନ୍ତି। ଥଇଥାନ ଆଶଙ୍କାରେ ସେମାନେ ଏବେ ଘୋର ମାନସିକ ଅବସାଦରେ ରହୁଛନ୍ତି। ଓଏସ୍‌ଆର୍‌ଟିସି ଏହି ଦୋକାନୀମାନଙ୍କୁ ଥଇଥାନ କରିବାକୁ ଟାଳଟୂଳ ନୀତି ଅବଲମ୍ବନ କରୁଥିବାରୁ ଏଭଳି ସ୍ଥିତି ଉପୁଜିଛି।

ବ୍ୟବସାୟୀମାନଙ୍କ ଅଭିଯୋଗ ଅନୁସାରେ ସେମାନେ ଦୀର୍ଘ ୨୫ ବର୍ଷ ହେଲା ଏଠାରେ ଦୋକାନ କରି ପରିବାର ଭରଣପୋଷଣ କରିଆସୁଛନ୍ତି। ସେଥିପାଇଁ ସେମାନେ ଓଏସ୍‌ଆର୍‌ଟିସିକୁ ଭଡ଼ା ମଧ୍ୟ ଦେଇ ଆସୁଛନ୍ତି। ବସଷ୍ଟାଣ୍ଡ୍ ନବୀକରଣ ସମୟରେ ସେମାନଙ୍କୁ ଅନ୍ୟତ୍ର ଥଇଥାନ କରିବା ଓ ନୂଆ ବସ୍‌ଷ୍ଟାଣ୍ଡ ନିର୍ମାଣ ପରେ ସେମାନଙ୍କୁ ସେଠାରେ ଜାଗା ଯୋଗାଇ ଦେବାକୁ ନିବେଦନ କରିଛନ୍ତି। ସେହିଭଳି ସରକାର ଓ ହାଇକୋର୍ଟଙ୍କ ନିୟମ ଅନୁଯାୟୀ ପଞ୍ଜିକୃତ ଦୋକାନିମାନଙ୍କୁ ଉଚ୍ଛେଦ କରିବା ପୂର୍ବରୁ ପ୍ରକଳ୍ପ ଶେଷ ହେବା ପର୍ଯ୍ୟନ୍ତ ସେମାନଙ୍କୁ ଅସ୍ଥାୟୀ ଭାବେ ଅନ୍ୟତ୍ର କୌଣସି ଜାଗାରେ ଥଇଥାନ କରାଯିବ। ଜାଗା ଦେଇ ନ ପାରିଲେ ଥଇଥାନ ପାଇଁ ଅର୍ଥ ଯୋଗାଇ ଦିଆଯିବ ବୋଲି ନିୟମ ରହିଛି। କିନ୍ତୁ ବରମୁଣ୍ଡା ବସଷ୍ଟାଣ୍ଡ ନବୀକରଣ କ୍ଷେତ୍ରରେ ପଞ୍ଜିକୃତ ଦୋକାନିମାନଙ୍କୁ ପ୍ରକଳ୍ପ କାମ ଚାଲିଥିବା ସମୟରେ ଥଇଥାନ କରାଯାଉ ନାହିଁ। ଓଏସ୍ଆରଟିସି ଓ ବିଡିଏ ଦୋକାନୀମାନଙ୍କ ପ୍ରତି ବୈମାତୃକ ମନୋଭାବ ପୋଷଣ କରୁଛନ୍ତି। ନବୀକରଣ କାମ ଆରମ୍ଭ ହୋଇ ଯାଇଥିଲେ ମଧ୍ୟ ଦୋକାନୀମାନଙ୍କୁ ଥଇଥାନ କରିବା ବ୍ୟବସ୍ଥା କରାଯାଇନାହିଁ। ବରଂ କାମ ବାହାନାରେ ଦୋକାନ ଚାରିପଟକୁ ଖୋଳି ସେମାନଙ୍କ ବେପାର ଉପରେ କୁଠାରଘାତ କରି ଚାଲିଛନ୍ତି। ଗୋଟିଏ ପଟେ ଥଇଥାନ କରାଯାଉନାହିଁ ଓ ଅନ୍ୟ ପ‌ଟେ ଦୋକାନକୁ ରାସ୍ତା ବନ୍ଦ କରାଯାଉଛି। ଫଳରେ ଏବେ ଦୋକାନୀମାନଙ୍କ କାରବାର ପୁରା ଠପ୍‌ ହୋଇଯାଇଛି। ବ୍ୟବସାୟୀମାନଙ୍କ କହିବା କଥା ପ୍ରକଳ୍ପ କାର୍ଯ୍ୟ ଶେଷ ହେବାକୁ ଅତି କମରେ ଦୁଇବର୍ଷ ସମୟ ଲାଗିପାରେ। ଯଦି ଏହି ଅବଧି ମଧ୍ୟରେ ଓଏସ୍ଆର୍‌ଟିସି ସେମାନଙ୍କୁ ଥଇଥାନ ନ କରେ, ତେବେ ସେମାନେ ଯିବେ କୁଆଡ଼େ ଓ କେମିତି ଚଳିବେ ବୋଲି ଆଶଙ୍କାରେ ପଡ଼ିଯାଇଛନ୍ତି।

ଓଏସ୍ଆରଟିସିର ସ୍ପେଶାଲ୍ ଡ୍ୟୁଟି ଅଧିକାରୀ(ଓଏସ୍‌ଡି) ଦୀପ୍ତି ମହାପାତ୍ରଙ୍କ କହିବା କଥା ପୂର୍ବରୁ ଜାଗା ଖାଲି କରିବାକୁ ଦୋକାନିମାନଙ୍କୁ ନୋଟିସ୍ ଦିଆଯାଇଛି। ଜାଗା ଖାଲି କରାଯିବା ପରେ ପ୍ରକଳ୍ପ କାର୍ଯ୍ୟ ଆଗେଇବ। ଓଏସ୍ଆର୍‌ଟିସି ପକ୍ଷରୁ ବିଡିଏକୁ ଉକ୍ତ ଦୋକାନିମାନଙ୍କ ତାଲିକା ଦିଆଯିବ। ପ୍ରକଳ୍ପ କାର୍ଯ୍ୟ ଶେଷ ହେବା ପରେ ତାଲିକାଭୁକ୍ତ ଦୋକାନିମାନଙ୍କୁ ପ୍ରାଧାନ୍ୟ ଦିଆଯାଇ ଜାଗା ଦିଆଯିବ। ମାତ୍ର ପ୍ରକଳ୍ପ କାର୍ଯ୍ୟ ଚାଲୁଥିବା ସମୟରେ ସେମାନଙ୍କୁ ନା କୌଣସି ଜାଗାରେ ଥଇଥାନ କରାଯିବ ନା ଥଇଥାନ ବାବଦକୁ ସେମାନଙ୍କୁ କୌଣସି ଅର୍ଥ ଦିଆଯିବ। କୋର୍ଟ ମଧ୍ୟ ସେମାନଙ୍କୁ ଜାଗା ଖାଲି କରିବାକୁ ନିର୍ଦେଶ ଦେଇଛନ୍ତି ବୋଲି ଶ୍ରୀମତି ମହାପାତ୍ର କହିଛନ୍ତି। ସେହିଭଳି ଦୋକାନିମାନଙ୍କ ସହିତ ଓଏସ୍ଆର୍‌ଟିସିର କୌଣସି ରାଜିନାମା ମଧ୍ୟ ନଥିବା ସେ ସୂଚନା ଦେଇଛନ୍ତି। କିନ୍ତୁ ଗୋପବନ୍ଧୁ କ୍ଷୁଦ୍ର ବ୍ୟବସାୟୀ ସଂଘ ଓଏସ୍‌ଡିଙ୍କ କଥାକୁ ଖଣ୍ଡନ କରିଛି। ବର୍ତ୍ତମାନ ସୁଦ୍ଧା କୋର୍ଟରେ ମାମଲା ଚାଲିଥିବା ଓ ସ୍ଥିତାବସ୍ଥା ବଜାୟ ରଖିବାକୁ ମାନ୍ୟବର କୋର୍ଟ ନିର୍ଦ୍ଦେଶ ଦେଇଛନ୍ତି ବୋଲି ସଂଘ କହିଛି। ଏମିତିକି ରାଜିନାମା ଅନୁସାରେ ଓଏସ୍ଆର୍‌ଟିସି ସେମାନଙ୍କଠାରୁ ପ୍ରତି ମାସରେ ଭଡ଼ା ଆଦାୟ କରୁଛି ବୋଲି ସଂଘ କହିଛି। ରାଜିନାମା ନଥିଲେ ପ୍ରଥମେ ୨୦୧୪ ଓ ପରେ ୨୦୧୮ରେ ଓଏସ୍‌ଆର୍‌ଟିସି କାହିଁକି ସେମାନଙ୍କଠାରୁ ବର୍ଦ୍ଧିତ ଭଡ଼ା ଆଦାୟ କରୁଛି ବୋଲି ସଂଘ ପ୍ରଶ୍ନ କରିଛି।

ତେବେ ପ୍ରଶ୍ନ ଉଠୁଛି ସବୁ ପ୍ରକଳ୍ପରେ ସରକାରୀ ସଂସ୍ଥାଗୁଡ଼ିକ ପଞ୍ଜିକୃତ ଦୋକନିମାନଙ୍କୁ ଅନ୍ୟତ୍ର ଥଇଥାନ କରୁଥିବା ବେଳେ ଏ କ୍ଷେତ୍ରରେ କାହିଁକି କରିବେ ନାହିଁ। ପ୍ରକଳ୍ପ କାର୍ଯ୍ୟ ଶେଷ ହେବା ପର୍ଯ୍ୟନ୍ତ ବିତିବାକୁ ଥିବା ଦୀର୍ଘ ସମୟରେ ଜୀବିକା ପାଇଁ ୧୨୯ ପରିବାର କେଉଁଠି ମୁଣ୍ଡ ଗୁଞ୍ଜିବେ? ଉଲ୍ଲେଖଯୋଗ୍ୟ, ପୂର୍ବରୁ ମାଷ୍ଟରକ୍ୟାଣ୍ଟିନ ଛକରେ ସ୍ମାର୍ଟସିଟିର ମଲ୍ଟି ମୋଡାଲ୍ ହବ୍ ପ୍ରକଳ୍ପ କରିବା ପାଇଁ ଅଶୋକା ମାର୍କେଟକୁ ଉଚ୍ଛେଦ କରାଗଲା। ପ୍ରକଳ୍ପ ଶେଷ ହେବା ପର୍ଯ୍ୟନ୍ତ ମାର୍କେଟର ଦୋକାନିମାନଙ୍କୁ ଲଟେରି ମାଧ୍ୟମରେ ବିଭିନ୍ନ ଜାଗାରେ ଦୋକାନ ଯୋଗାଇ ଦିଆଗଲା। ମାତ୍ର ବରମୁଣ୍ଡା ବସ୍‌ଷ୍ଟାଣ୍ଡ ଦୋକାନୀଙ୍କ କ୍ଷେତ୍ରରେ ଏହା ଲାଗୁ କରାଯାଉନାହିଁ।

ସମ୍ବନ୍ଧିତ ଖବର