ନକଲି ନିଯୁକ୍ତି ପତ୍ର ଦେଇ ୧୨ଲକ୍ଷ ଚଳୁ: ବସ୍ତିରେ ଛପିଥିଲେ ୨ ଠକ, ଜାଲ୍‌ ନିଯୁକ୍ତି ପତ୍ର ଓ ଷ୍ଟାମ୍ପ ଜବତ

ଭୁବନେଶ୍ବର: ରେଳବାଇ ଓ ଅନ୍ୟାନ୍ୟ ସରକାରୀ ସଂସ୍ଥାରେ ଚାକିରି ଦେବାକୁ କହି ବେକାର ଯୁବକମାନଙ୍କୁ ଫସାଉଥିଲେ। ଏମିତିକି କିଛି ଯୁବକଙ୍କୁ ନକଲି ନିଯୁକ୍ତିପତ୍ର ମଧ୍ୟ ଧରାଇ ଦେଇଥିଲେ। ଏମିତି ପ୍ରାୟ ୨୦ଜଣଙ୍କୁ ଚୁନ ଲଗାଇବା ପରେ ସେମାନେ ଉଭାନ୍‌ ହୋଇ ଯାଇଥିଲେ ଓ ବସ୍ତିରେ ଛପି ରହିଥିଲେ। ତେବେ ଶେଷରେ ସେମାନେ ପୁଲିସ ଜାଲରେ ଫସିଛନ୍ତି। କ୍ୟାପିଟାଲ ଥାନା ପୁଲିସ୍‌ ଠକଦ୍ବୟଙ୍କୁ ମଞ୍ଚେଶ୍ବର ଗଙ୍ଗୁଆନାଳ ବସ୍ତିରୁ ଉଠାଇଛି। ସେମାନେ ହେଲେ, ମୟୂରଭଞ୍ଜର ଅମୂଲ୍ୟ ମୁଦୁ ଓ ହ୍ରିତିକ୍ ମୁଦୁ। ପୁଲିସ ସେମାନଙ୍କଠାରୁ କିଛି ନକଲି ନିଯୁକ୍ତିପତ୍ର ଓ ବିଭିନ୍ନ ସରକାରୀ ଅଫିସର ଷ୍ଟାମ୍ପ ଜବତ କରିଛି। ଅଧିକ ତଦନ୍ତ ପାଇଁ ସେମାନଙ୍କୁ ଥାନାରେ ପଚରାଉଚରା କରାଯାଉଛି।

ସୂଚନା ମୁତାବକ, ଦୁଇ ଠକ କ୍ୟାପିଟାଲ ଥାନା ଅଞ୍ଚଳରେ ରହୁଥିଲେ। ନିଜକୁ ପ୍ଲେସ୍‌ମେଣ୍ଟ ଅଧିକାରୀ ବୋଲି ପରିଚୟ ଦେଇ ବେକାର ଯୁବକମାନଙ୍କୁ ଫସାଉଥିଲେ। ଜିଲ୍ଲା ବାହାରୁ ରାଜଧାନୀକୁ କାମ ଅନ୍ବେଷଣରେ ଆସୁଥିବା ଯୁବକମାନଙ୍କୁ ଟାର୍ଗେଟ୍‌ କରୁଥି‌ଲେ। ରେଳବାଇ ଓ ସରକାରୀ ଚାକିରି କରାଇବାକୁ କହୁଥିଲେ ଓ ସେଥିପାଇଁ ମୋଟା ଅଙ୍କର କମିସନି ଲାଗିବ ବୋଲି କହୁଥିଲେ। ପ୍ରଥମେ କିଛି ପିଲାଙ୍କୁ ନକଲି ନିଯୁକ୍ତିପତ୍ର ଦେଇଥିଲେ। ଅନ୍ୟ ଆଶାୟୀମାନଙ୍କ ବିଶ୍ବାସ ଜନ୍ମିବା ପରେ ସେମାନେ ବି କମିସନି ଟଙ୍କା ଗଣି ଦେଇଥିଲେ। ପ୍ରାୟ ୨୦ଜଣ ଯୁବକଙ୍କଠାରୁ ସେମାନେ ୧୨ଲକ୍ଷ ଟଙ୍କା ନେଇ ଯାଇଥିଲେ। ଏହା ପରେ ସେମାନେ ଗାଏବ୍‌ ହୋଇ ଯାଇଥିଲେ। ତେବେ ରେଳବାଇ ନିଯୁକ୍ତିପତ୍ର ପାଇଥିବା ଯୁବକମାନେ ଜାଲ୍‌ ନିଯୁକ୍ତିପତ୍ର ପାଇଥିବା ଜଣାପଡ଼ିବା ବେଳକୁ ସେମାନେ ଆଉ କ୍ୟାପିଟାଲ ଥାନା ଅଞ୍ଚଳରେ ନଥିଲେ। ଠକାମିର ଶିକାର ହୋଇଥିବା ଯୁବକମାନେ ଗତ ବର୍ଷ ମାର୍ଚ୍ଚ ମାସରେ କ୍ୟାପିଟାଲ ଥାନାରେ ଅଭିଯୋଗ କରିଥିଲେ। ସେହିଦିନଠାରୁ ପୁଲିସ ସେମାନଙ୍କ ମୋବାଇଲ୍‌ ଫୋନ୍‌ ଟ୍ରାକିଂ କରୁଥିଲେ ବି ସେମାନେ ଫୋନ୍‌ ବନ୍ଦ ରଖିଥିବାରୁ ଧରା ପଡ଼ିନଥିଲେ। ଏମିତିକି ପୁଲିସ ମୟୂରଭଞ୍ଜରେ ଚଢ଼ଉ କରି ବିଫଳ ହୋଇ ଫେରିଥିଲା। ତେବେ ଗତକାଲି ପୁଲିସ ସେମାନଙ୍କୁ ଉକ୍ତ ବସ୍ତିରେ ଠାବ କରିଥିଲା।

ସମ୍ବନ୍ଧିତ ଖବର