ଭୁବନେଶ୍ୱର: କାଳଜୟୀ ସାହିତ୍ୟ ବିଭିନ୍ନ ସମୟରେ ସାମାଜିକ ପରିବର୍ତନ ଆଣିଛି। ବ୍ୟାସକବି ଫକୀରମୋହନ ସେନାପତିଙ୍କ ‘ରେବତୀ’ ନାରୀ ଶିକ୍ଷାକୁ ପ୍ରୋତ୍ସାହିତ କରିଛି। କାଳିନ୍ଦୀଚରଣ ପାଣିଗ୍ରାହୀ ଏବଂ ଗୋପୀନାଥ ମହାନ୍ତିଙ୍କ ଭଳି ଅନେକ ଲେଖକଙ୍କ ସୃଜନ ସାହିତ୍ୟ ସାମାଜିକ ଅସଂଗତିକୁ ଆହ୍ଵାନ ଦେଇଛି। ତେଣୁ ଏହି କୃତୀଗୁଡ଼ିକୁ ସଂରକ୍ଷଣ କରିବା ସହ ଏଗୁଡ଼ିକର ପୁନଃ କଥନ ଆରମ୍ଭ କରାଯିବା ଉଚିତ। ଚଳଚ୍ଚିତ୍ର ନିର୍ମାତାମାନେ ଏହି ସାହିତ୍ୟିକଙ୍କ ଉପରେ ପ୍ରାମାଣିକ ଚିତ୍ର ଓ ବାୟୋପିକ ପ୍ରସ୍ତୁତ କରିବାକୁ ଆଗେଇ ଆସନ୍ତୁ ବୋଲି କହିଛନ୍ତି ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ। ଜେଡି ସେଣ୍ଟର୍‌ ଅଫ୍‌ ଆର୍ଟ (ଜେଡିସିଏ) ପକ୍ଷରୁ ପର୍ଯ୍ୟଟନ ବିଭାଗ ସହଯୋଗରେ ଇଡ୍‌କଲ୍‌ ପ୍ରେକ୍ଷାଳୟରେ ୧୨ତମ ଅନ୍ତର୍ଜାତୀୟ ଚଳଚ୍ଚିତ୍ର ଉତ୍ସବକୁ ଉଦ୍‌ଘାଟନ କରି ମୁଖ୍ୟମନ୍ତ୍ରୀ ଶ୍ରୀ ପଟ୍ଟନାୟକ ଉତ୍କଳମଣି ଗୋପବନ୍ଧୁ ଦାସ ଏବଂ ଉତ୍କଳ ଗୌରବ ମଧୁସୂଦନ ଦାସଙ୍କ ଲେଖକୀୟ ଜୀବନର ଚର୍ଚା କରିବା ସହ ବାୟୋପିକ୍‌ ପ୍ରସ୍ତୁତି ପାଇଁ ଆହ୍ଵାନ ଦେଇଥିଲେ।
ଏହି ଅବସରରେ ଅନ୍ୟମାନଙ୍କ ମଧ୍ୟରେ ପର୍ଯ୍ୟଟନ ବିଭାଗର ମନ୍ତ୍ରୀ ଅଶୋକ ଚନ୍ଦ୍ର ପଣ୍ଡା, ନିର୍ଦେଶକ ନୀତିନ୍‌ ଭାନୁଦାସ ଜଓ୍ଵାଲେ, କେନ୍ଦ୍ର ଲଳିତ କଳା ଏକାଡେମିର ସଚିବ କ୍ରିଷ୍ଣା ସେଟ୍ଟି, ପଟ୍ଟଚିତ୍ର କାରିଗର ଦିନବନ୍ଧୁ ମହାପାତ୍ର ପ୍ରମୁଖ ଅତିଥି ଭାବେ ଯୋଗ ଦେଇଥିଲେ। ପ୍ରାରମ୍ଭରେ ଚଳଚ୍ଚିତ୍ର ଉତ୍ସବର ଚେୟାରମ୍ୟାନ୍‌ ଯତୀନ ଦାସ କହିଲେ, ଓଡ଼ିଶା ଭଳି କଳାର ସମୃଦ୍ଧ ରାଜ୍ୟରେ କଳାର ବିକାଶ ପାଇଁ ସରକାର ଓ ଘରୋଇ ସଂସ୍ଥା ମଧ୍ୟରେ ସମନ୍ଵୟ ରହିବା ଜରୁରି। ଏଥିସହ ସେ ଖଣ୍ଡଗିରି ନିକଟରେ ନିର୍ମାଣାଧୀନ କଳା କେନ୍ଦ୍ର ବାବଦରେ ସୂଚନା ଦେଇଥିଲେ। ଅନ୍ୟମାନଙ୍କ ମଧ୍ୟରେ ବିଶିଷ୍ଟ ଅଭିନେତ୍ରୀ ନନ୍ଦିତା ଦାସ, ଉତ୍ସବ ନିର୍ଦେଶକ ଅରୁଣା ବାସୁଦେବ ଏବଂ ଉପାଧ୍ୟକ୍ଷ ସିଦ୍ଧାର୍ଥ ଦାସ ପ୍ରମୁଖ ଉପସ୍ଥିତ ଥିଲେ। ସୁଧୀର୍‌ ଟଣ୍ଡନ୍‌ କାର୍ଯ୍ୟକ୍ରମ ପରିଚାଳନା କରିଥିଲେ।

Advertisment

ଆଜି ପ୍ରଥମ ଦିନରେ ୧୪ଟି ଚଳଚ୍ଚିତ୍ର ପ୍ରଦର୍ଶିତ ହୋଇଥିଲା। ଟମ୍‌ ଲୁଇଙ୍କ ‘ଟାଇମ୍‌ସ୍କେପ୍‌’ ସମେତ ବ୍ରୋକନ୍‌ ସ୍ପାଇନ୍‌, ମିନିୟାମ୍ବା, ଚଉଠି କୁଟ୍‌ ଏବଂ ସତ୍ୟଜିତ୍‌ ରାୟଙ୍କ ‘ସତ୍‌ରଞ୍ଜ୍‌ କେ ଖିଲାଡ଼ି’ ଚଳଚ୍ଚିତ୍ର ଦେଖିବାକୁ ମିଳିଥିଲା। ଏଥିସହିତ ୧୬ ଜଣ ପାରମ୍ପରିକ କାରିଗରଙ୍କ ସମେତ ତାଳପତ୍ର କଳା, ପଟ୍ଟଚିତ୍ର, ଷ୍ଟ୍ର ଆର୍ଟ, ପଟ୍ଟଚିତ୍ର, ଢୋକ୍ରା କଳା ଆଦିର ଷ୍ଟଲ୍‌ ଖୋଲିଥିଲା। ଆସନ୍ତାକାଲି ସକାଳ ୧୦ଟାରୁ ରାତି ୮ଟା ପର୍ଯ୍ୟନ୍ତ ଚଳଚ୍ଚିତ୍ର ପ୍ରଦର୍ଶିତ ହେବ। ସନ୍ଧ୍ୟାରେ ନୀରଦ ମହାପାତ୍ରଙ୍କ ନିର୍ଦେଶିତ ଓଡ଼ିଆ ଚଳଚ୍ଚିତ୍ର ‘ମାୟା ମିରିଗ’ ପ୍ରଦର୍ଶିତ ହେବ।

ନନ୍ଦିତାଙ୍କ ‘ମଣ୍ଟୋ’କୁ ନେଇ ଚର୍ଚା

publive-image
ଓଡ଼ିଆ ଝିଅ ନନ୍ଦିତା ଦାସଙ୍କ ଦ୍ୱିତୀୟ ନିର୍ଦେଶିତ ଓ ଲିଖିତ ଚଳଚ୍ଚିତ୍ର ମୁକ୍ତିଲାଭ ଅପେକ୍ଷାରେ ରହିଥିବା ବେଳ ଆଜି ନନ୍ଦିତା ଦାସଙ୍କ ଉପସ୍ଥିତିରେ ‘ମଣ୍ଟୋ’କୁ ନେଇ ଚର୍ଚା ହୋଇଥିଲା। ଉର୍ଦୁ ଲେଖକ ସାଦତ ହାସନ ମଣ୍ଟୋଙ୍କ ଜୀବନୀ ଆଧାରିତ ଏହି ଚଳଚ୍ଚିତ୍ର ଉର୍ଦୁ ଭାଷାରେ ନିର୍ମିତ ହୋଇଥିବା ବେଳେ ଏଥିରେ ନବାଜୁଦ୍ଦିନ୍‌ ସିଦ୍ଦିକ୍‌ ଏହି ଇଣ୍ଡୋ-ପାକିସ୍ତାନୀ ଲେଖକଙ୍କ ଚରିତ୍ର ନିଭାଉଛନ୍ତି। ନନ୍ଦିତାଙ୍କ କହିବା ମୁତାବକ ଏହି ଚଳଚ୍ଚିତ୍ର ପାଇଁ ସେ ୧୦ ବର୍ଷ ସମୟ ଦେଇଛନ୍ତି। ତେଣୁ ଏହାକୁ ନେଇ ସେ ଯଥେଷ୍ଟ ଆଶାବାଦୀ ଥିବା କହିଛନ୍ତି।

ମାୟା ମିରିଗ ଓ ଲକ୍ଷ୍ମୀର ଅଭିସାରକୁ ଅପେକ୍ଷା

publive-image
ଏଥର ବିଶିଷ୍ଟ ଚଳଚ୍ଚିତ୍ର ନିର୍ଦେଶକ ନୀରଦ ମହାପାତ୍ରଙ୍କୁ ଶ୍ରଦ୍ଧାଞ୍ଜଳି ସ୍ୱରୂପ ତାଙ୍କର ୫ଟି ଚଳଚ୍ଚିତ୍ର ପ୍ରଦର୍ଶିତ ହେଉଥିବା ବେଳେ ଆସନ୍ତାକାଲି ସନ୍ଧ୍ୟାରେ ପ୍ରଦର୍ଶିତ ହେବ ୧୯୮୪ରେ ମୁକ୍ତିଲାଭ କରିଥିବା ‘ମାୟା ମିରିଗ’। ଏଥିସହିତ ‘ମୟୂରଭଂଜର ଛଉ ନୃତ୍ୟ’ ସମ୍ପର୍କିତ ତାଙ୍କ ନିର୍ଦେଶିତ ଚଳଚ୍ଚିତ୍ର ଏବଂ ‘ମିଟ୍‌ ଦି ଆର୍ଟିଷ୍ଟ୍‍’ର ସ୍ମୃତିକୁ ପାଥେୟ କରି ନିର୍ମିତ ଚଳଚ୍ଚିତ୍ର ବି ଏହି ଅବସରରେ ଦେଖିବାକୁ ମିଳିବ। ଏଥିସହିତ ୧୯୯୮ରେ ରାଜୁ ମିଶ୍ରଙ୍କ ନିର୍ଦେଶିତ ଓ ବିଶିଷ୍ଟ କଥାକାର ମନୋଜ ଦାସଙ୍କ ଲିଖିତ ‘ଲକ୍ଷ୍ମୀର ଅଭିସାର’ ଚଳଚ୍ଚିତ୍ର ରବିବାର ଦିନ ୧୦ଟାରେ ଚାଲିବାକୁ ଥିବାରୁ ଏଥିପାଇଁ ବହୁ ଚଳଚ୍ଚିତ୍ର ପ୍ରେମୀ ପ୍ରତୀକ୍ଷା କରିଛନ୍ତି। ସେହିପରି ଗୌରହରି ଦାସଙ୍କ ଲିଖିତ ଏବଂ ନୀରଦ ମହାପାତ୍ରଙ୍କ ନିର୍ଦେଶିତ ‘ଅହଲ୍ୟାର ବାହାଘର’ ଭଳି ଓଡ଼ିଆ ଚଳଚ୍ଚିତ୍ର ଦେଖିବାକୁ ଓଡ଼ିଆ ପ୍ରେମୀ ଉତ୍ସାହିତ ଅଛନ୍ତି।