ଦ୍ୱାଦଶ ତୋଷାଳୀ ଜାତୀୟ କ୍ରାଫ୍ଟସ୍‌ ମେଳାର ଦଶମ ସନ୍ଧ୍ୟା

ମତୁଆଲା କାଲେ ଜାଭେଦ ଅଲ୍ଲୀ

ଚନ୍ଦ୍ରଶେଖରପୁର: ବଲିଉଡ୍‍ ସୁପରଷ୍ଟାର୍‌ ହ୍ରିତିକ୍‌ ରୋଶନ, ଅମୀର ଖାନ୍‌ ଓ ସଲମାନ ଖାନ ପ୍ରମୁଖଙ୍କ ଫିଲ୍ମର ଗୀତର ତାଳେ ତାଳେ ଆଜି ଜନତା ମଇଦାନ ଉଠୁଥିଲା ପଡ଼ୁଥିଲା। ଉପସ୍ଥିତ ଯୁବପିଢ଼ିଙ୍କୁ ମତୁଆଲା କରିଥିଲେ ବଲିଉଡ୍‍ର ଲୋକପ୍ରିୟ ଗାୟକ ଜାଭେଦ ଅଲ୍ଲୀ। ଦ୍ୱାଦଶ ତୋଷାଳି ଜାତୀୟ କ୍ରାଫ୍ଟସ୍‌ ମେଳାର ଦଶମ ସନ୍ଧ୍ୟାକୁ ଆଚ୍ଛନ୍ନ କରି ରଖି୍‌ଥିଲେ ଜାଭେଦ। ବଲିଉଡ୍‌ ସଂଗୀତ ଜଗତର ଏହି ୟଙ୍ଗ୍‌ ସେନ୍ସେସନ୍‌ଙ୍କୁ ଶୁଣିବାକୁ ଆଜି ଜନତା ମଇଦାନ ହୋଇ ଉଠିଥିଲା ଲୋକରଣ୍ୟ। ହିନ୍ଦୀ ଚଳଚ୍ଚିତ୍ରର ବିଭିନ୍ନ ହିଟ୍‌ ଟ୍ରାକ୍‌ ସହିତ ନିଜର ଅନେକ ଲୋକପ୍ରିୟ ଗୀତରେ ଦର୍ଶକମାନଙ୍କୁ ମତୁଆଲା କରିଥିଲେ ଜାଭେଦ। ଆଜି ରବିବାର ଥିବାରୁ ତୋଷାଳି ମେଳାରେ ନାହିଁ ନଥିବା ଭିଡ଼ ପରିଲକ୍ଷିତ ହୋଇଥିଲା। ଆଜିର ସାଂସ୍କୃତିକ କାର୍ଯ୍ୟକ୍ରମ ଥିଲା ବଲିଉଡ୍‍ ନାଇଟ୍‌। ଆଉ ଏହି ସନ୍ଧ୍ୟାକୁ ରଙ୍ଗିନ୍‌ କରିଥିଲେ ଜାଭେଦ୍‌ ଓ ତାଙ୍କର ଟ୍ରୁପ୍‌। ଜାଭେଦ୍‌ଙ୍କ ଗୀତର ତାଳେ ତାଳେ ଉପସ୍ଥିତ ଦର୍ଶକ ବିଭୋର ହୋଇଥିଲେ। ସନ୍ଧ୍ୟା ପ୍ରାୟ ୮ଟାରେ ଆରମ୍ଭ ହୋଇଥିବା ଏହି ରଙ୍ଗାରଙ୍ଗ କାର୍ଯ୍ୟକ୍ରମ ରାଜଧାନୀର ଦର୍ଶକମାନଙ୍କୁ ଭରପୂର୍‌ ମନୋରଂଜନ ଯୋଗାଇଥିଲା।

ବେଆଇନ୍‌ ପାର୍କିଂ ଫି କୁ ନେଇ ଅସନ୍ତୋଷ

ମହାତ୍ମା ଗାନ୍ଧୀ ପାର୍କ ନିମନ୍ତେ ପାର୍କଂ ଫି’ ଆଦାୟର ଅନୁମତି ମିଳିଛି। ତା’ପୁଣି ଦୁଇଚକିଆ ଗାଡ଼ି ପାଇଁ। ମାତ୍ର ତୋଷାଳି ମେଳା ଦେଖିବାକୁ ଆସୁଥିବା ଦର୍ଶକମାନେ ଦୂରଦର୍ଶନ ପାଖରୁ କାର୍‌ ରଖି ଆସୁଥିଲେ ମଧ୍ୟ ବେଆଇନ୍‌ ଭାବରେ ପାର୍କିଂ ଫି ଦେବା ନିମନ୍ତେ ଜୁଲମ୍‌ କରାଯାଉଛି। ୩୦ଟଙ୍କା ନ ଦେଲେ ଗାଡ଼ିର ଯାହା କ୍ଷତି ହେବ ସେ ନେଇ ଚେତାବନୀ ମଧ୍ୟ ଦେଉଛନ୍ତି। ଶନିବାର, ରବିବାର ଦୁଇଦିନ ହେବ ତୋଷାଳି ମେଳାରେ ଅସମ୍ଭବ ଭିଡ଼ ହେଉଥିବା ଲକ୍ଷ୍ୟ କରି କିଛି ଦଲାଲ୍‌ ଏପରି କାର୍ଯ୍ୟ କରୁଛନ୍ତି। ବିରୋଧ କଲେ ଧମକ ଶୁଣିବାକୁ ମିଳୁଛି। ଏନେଇ ଅନେକ ଦର୍ଶକ ଅସନ୍ତୋଷ ପ୍ରକାଶ କରିଛନ୍ତି। ମେଳାର ମହତ୍ତ୍ୱକୁ ଏହିପରି କିଛି ଅସାଧୁ ବ୍ୟକ୍ତି ପାଣିଚିଆ କରିଦେଉଛନ୍ତି।

ସମ୍ବନ୍ଧିତ ଖବର