ବଢ଼ିଲା କରୋନା ଚିନ୍ତା : ରାଜଧାନୀର ୧୧ଟି ସ୍ଥାନରୁ ବାହାରିଲେ ୧୩ ସଂକ୍ରମିତ

ୟୁନିଟ୍‌-୭ର ୬୩ବର୍ଷୀୟ ବୃଦ୍ଧ ମୃତ, ୭ ସଙ୍ଗରୋଧ କେନ୍ଦ୍ର ଓ ୬ ସ୍ଥାନୀୟ ସଂକ୍ରମିତ

ଭୁବନେଶ୍ବର : ରାଜଧାନୀର ୧୧ଟି ସ୍ଥାନରୁ ଏକକାଳୀନ ୧୩ ଜଣ କରୋନା ପଜିଟିଭ୍‌ ଚିହ୍ନଟ ହୋଇଥିବା ବେଳେ ଅନ୍ୟ ଜଣଙ୍କର ମୃତ୍ୟୁ ହୋଇଛି। ୬୩ ବର୍ଷୀୟ ଏହି ମୃତ ବ୍ୟକ୍ତିଜଣଙ୍କ ୟୁନିଟ୍‌-୭ ଅଞ୍ଚଳର। ସେ ମଧୁମେହ ଓ ଜଟିଳ ରୋଗରେ ମଧ୍ୟ ପୀଡ଼ିତ ଥିଲେ। କିଛି ଦିନ ତଳେ ସେ କରୋନା ଆକ୍ରାନ୍ତ ଚିହ୍ନଟ ହୋଇଥିଲେ।

ବମିଖାଲ ପରେ ଏକକାଳୀନ ଏତେସଂଖ୍ୟକ ସଂକ୍ରମିତ ଚିହ୍ନଟ ହେବା ପୁଣିଥରେ ରାଜଧାନୀରେ କରୋନା ଚିନ୍ତା ବଢ଼ାଇ ଦେଇଛି। ଗୁରୁତ୍ବପୂର୍ଣ୍ଣ ବିଷୟ ହେଉଛି, ୧୩ ସଂକ୍ରମିତଙ୍କ ମଧ୍ୟରୁ ୭ଜଣ ଘରେ ସଙ୍ଗରୋଧରେ ଚିହ୍ନଟ ହୋଇଥିବା ବେଳେ ୬ଜଣ ସ୍ଥାନୀୟ ସଂକ୍ରମିତ ରହିଛନ୍ତି।

MSN.com

ବିଏମ୍‌ସି ପକ୍ଷରୁ ଆଜି ୧୩ଜଣ ପଜିଟିଭ୍‌ଙ୍କ ସଂପର୍କରେ ସୂଚନା ଦିଆଯାଇଛି। ଘରେ ସଙ୍ଗରୋଧରେ ଥିବା ୭ଜଣଙ୍କ ମଧ୍ୟରୁ ପାତ୍ରପଡ଼ା ଅଞ୍ଚଳର ଚିହ୍ନଟ ବ୍ୟକ୍ତି ଦିଲ୍ଲୀରୁ ଫେରିଥିଲେ। ସେହିପରି ନ୍ୟୁ ଫରେଷ୍ଟ ପାର୍କ ଅଞ୍ଚଳରେ ଚିହ୍ନଟ ହୋଇଥିବା ୨ଜଣ ଓ ଲକ୍ଷ୍ମୀସାଗର ଅଞ୍ଚଳରୁ ଚିହ୍ନଟ ହୋଇଥିବା ବ୍ୟକ୍ତି ମଧ୍ୟ ଦିଲ୍ଲୀରୁ ଫେରିଛନ୍ତି। ଝାରଖଣ୍ଡ ଫେରନ୍ତା ବ୍ୟକ୍ତି ଟଙ୍କପାଣି ରୋଡ୍‌ରୁ ଚିହ୍ନଟ ହୋଇଛନ୍ତି। ଏହାସହ ମହାରାଷ୍ଟ୍ର ଫେରନ୍ତା ଚିନ୍ତାମଣିଶ୍ବର ଓ ପଶ୍ଚିମବଙ୍ଗ ଫେରନ୍ତାଙ୍କୁ ପୁରୁଣା ଭୁବନେଶ୍ବରରୁ ଚିହ୍ନଟ କରାଯାଇଛି।

ଏହାସହ ରାଜଧାନୀରେ ୬ଜଣ ପଜିଟିଭ୍ ସ୍ଥାନୀୟ ଆକ୍ରାନ୍ତ ରହିଛନ୍ତି। ସେମାନଙ୍କ ମଧ୍ୟରୁ ଜଣେ ଡୁମୁଡୁମା, ଆଇଗିଣିଆ, ଲକ୍ଷ୍ମୀସାଗର, ସାଲିଆସାହି ଓ ୨ଜଣ ୟୁନିଟ୍‌-୪ ଅଞ୍ଚଳର ରହିଛନ୍ତି। ଆଜି ଚିହ୍ନଟ ସ୍ଥାନୀୟ ସଂକ୍ରମିତମାନଙ୍କ ମଧ୍ୟରୁ କେଉଁ ରୋଗୀମାନେ ପୂର୍ବରୁ ପଜିଟିଭ୍ ଚିହ୍ନଟ ହୋଇଥିବା ବ୍ୟକ୍ତିଙ୍କ ସଂସ୍ପର୍ଶରେ ଆସି ସଂକ୍ରମିତ ହୋଇଛନ୍ତି କିମ୍ବା ଅନ୍ୟ କେଉଁ ଉତ୍ସରୁ ସଂକ୍ରମିତ ହୋଇଛନ୍ତି, ତାହା ବିଏମ୍‌ସି ପକ୍ଷରୁ ସ୍ପଷ୍ଟ କରାଯାଇନାହିଁ। ତେବେ ସ୍ଥାନୀୟ ସଂକ୍ରମିତଙ୍କୁ ନେଇ ଲୋକମାନଙ୍କ ମଧ୍ୟ‌ରେ ଭୟର ବାତାବରଣ ସୃଷ୍ଟି ହୋଇଛି। ଭୁବନେଶ୍ବରରେ ଏ ପର୍ଯ୍ୟନ୍ତ ୮୧ଜଣଙ୍କୁ ଚିହ୍ନଟ କରାଯାଇଥିବା ବେଳେ ୫୧ଜଣ ସୁସ୍ଥ ହୋଇସାରିଛନ୍ତି। ୨୭ଜଣ ସକ୍ରିୟ କରୋନା ରୋଗୀ ଚିକିତ୍ସିତ ହେଉଛନ୍ତି।

କିଛି ଦିନ ଧରି ରାଜଧାନୀରେ ସ୍ଥାନୀୟ ସଂକ୍ରମିତଙ୍କ ସଂଖ୍ୟା ବୃଦ୍ଧି ପାଇବାରେ ଲାଗିଛି। ଦୁଇଦିନ ପୂର୍ବରୁ ଏମ୍‌ସର ଜଣେ ମହିଳା ଡାକ୍ତର କରୋନା ସଂକ୍ରମିତ ହେବା ଓ ଡୁମୁଡୁମା ଅଞ୍ଚଳରେ ଜଣେ ଏକ ଘରୋଇ ମୋବାଇଲ କମ୍ପାନିରେ କାର୍ଯ୍ୟରତ କର୍ମଚାରୀଙ୍କୁ ମଧ୍ୟ କରୋନା ଚିହ୍ନଟ କରାଯାଇଥିଲା। ସେମାନଙ୍କ ସଂକ୍ରମଣର ଉତ୍ସ ସଂପର୍କ‌ରେ କିଛି ସ୍ପଷ୍ଟ ହୋଇପାରିନାହିଁ।

ସମ୍ବନ୍ଧିତ ଖବର