୫ବର୍ଷରେ ବଦଳିଲେଣି ୧୩ ନିର୍ଦେଶକ

ବରିଷ୍ଠ ଡାକ୍ତରଙ୍କ ଥଇଥାନ କେନ୍ଦ୍ର ପାଲଟିଛି କ୍ୟାପିଟାଲ୍‌ ହସ୍ପିଟାଲ

ଭୁବନେଶ୍ୱର: କ୍ୟାପିଟାଲ୍‌ ହସ୍ପିଟାଲକୁ ପ୍ରଥମ ନିର୍ଦେଶକ ପଦବି ମିଳିବାର ୫ବର୍ଷ ହେଲାଣି। ଏ ପର୍ଯ୍ୟନ୍ତ ହସ୍ପିଟାଲରେ ୧୩ଜଣ ନିର୍ଦେଶକ ବଦଳିଲେଣି। କେବଳ ଜଣକୁ ଛାଡ଼ିଦେଲେ ଅନ୍ୟ କୌଣସି ନିର୍ଦେଶକ ବର୍ଷେ ଦାୟିତ୍ୱରେ ରହି ନାହାନ୍ତି। ବର୍ଷକୁ ଅତିକମ୍‌ରେ ଦୁଇ ଜଣ ନିର୍ଦେଶକ ବଦଳୁଛନ୍ତି। କିଏ ଦିନକ ପାଇଁ ତ କିଏ ମାସେ ପର୍ଯ୍ୟନ୍ତ ଦାୟିତ୍ୱରେ ରହିଛନ୍ତି। ସେମାନଙ୍କ ମଧ୍ୟରୁ ଅଧିକାଂଶ ନିର୍ଦେଶକଙ୍କୁ ପ୍ରଶାସନିକ ଓ ଅର୍ଥନୈତିକ କ୍ଷମତା ଦିଆଯାଉନି। କେବଳ ବରିଷ୍ଠ ଡାକ୍ତରଙ୍କୁ ପଦୋନ୍ନତି ଦେଇ ଅବସର ନେବା ପାଇଁ କ୍ୟାପିଟାଲ ହସ୍ପିଟାଲ ଏକ ଥଇଥାନ କେନ୍ଦ୍ର ପାଲଟିଛି।

୨୦୧୩ରେ କ୍ୟାପିଟାଲ ହସ୍ପିଟାଲର ପ୍ରଥମ ନିର୍ଦେଶକ ଭାବେ ଦାୟିତ୍ୱ ଗ୍ରହଣ କରିଥିଲେ ଡା.ଭରତ ପାଣିଗ୍ରାହୀ। ସେ ୨୦୧୩ ମାର୍ଚ ୧୮ତାରିଖରେ ଦାୟିତ୍ୱ ଗ୍ରହଣ କରିଥିବା ବେଳେ ଜୁନ୍‌ ୩୧ତାରିଖରେ ତାଙ୍କ କାର୍ଯ୍ୟଭାର ଶେଷ ହୋଇଯାଇଥିଲା। ତାଙ୍କ ପରେ ଦାୟିତ୍ୱ ନେଇଥିଲେ ଡା.ସୁଧୀର ଚନ୍ଦ୍ର ମଲ୍ଲିକ। ସେହିବର୍ଷ ମେ ୩୧ତାରିଖରୁ ୨୦୧୪ ଜାନୁଆରି ୩୧ତାରିଖ ପର୍ଯ୍ୟନ୍ତ ଦାୟିତ୍ୱ ତୁଲାଇଥିଲେ। ଏହାପରେ ଡା.ପ୍ରଦୀପ କୁମାର ଆଚାର୍ଯ୍ୟ ସେହିଦିନ ଦାୟିତ୍ୱ ଗ୍ରହଣ କରିବା ପରେ ମାତ୍ର ୨ ମାସ ଅର୍ଥାତ ମାର୍ଚ ୩୧ତାରିଖ ପର୍ଯ୍ୟନ୍ତ ନିର୍ଦେଶକ ପଦରେ ରହିଥିଲେ। ଡା.ଆଚାର୍ଯ୍ୟଙ୍କ ପରେ ଡା.ବିନୋଦ କୁମାର ମିଶ୍ର ଗୋଟିଏ ମାସ ପର୍ଯ୍ୟନ୍ତ ନିର୍ଦେଶକ(ଭାରପ୍ରାପ୍ତ) ଭାବେ ରହିଥିଲେ। ତାଙ୍କ ପରେ ଡା.ବି ଦାଶମହାପାତ୍ରଙ୍କୁ ନିର୍ଦେଶକ ପଦବିରେ ବସାଇଥିଲେ ରାଜ୍ୟ ସରକାର। ସେ ୨୦୧୪ ଏପ୍ରିଲ ୨ତାରିଖରୁ ମାତ୍ର ୨ମାସ ପର୍ଯ୍ୟନ୍ତ ନିର୍ଦେଶକ ହୋଇଥିଲେ। ଏହାପରେ ପୁଣିଥରେ ଡା.ବିନୋଦ କୁମାର ମିଶ୍ରଙ୍କୁ ନିର୍ଦେଶକ(ଭାରପ୍ରାପ୍ତ) ଦାୟିତ୍ୱ ଦିଆଯାଇଥିଲା। ସେ ମଧ୍ୟ ୨ମାସ ପାଇଁ ଏଥିରେ ରହିଥିଲେ। ବରିଷ୍ଠ ଡାକ୍ତର ବିଶ୍ୱଭୂଷଣ ପଟ୍ଟନାୟକ ୨୦୧୪ ଜୁଲାଇ ୯ତାରିଖରେ ନିର୍ଦେଶକ ଦାୟିତ୍ୱ ଗ୍ରହଣ କରିବା ପରେ ୨୦୧୬ ନଭେମ୍ବର ୧ତାରିଖ ପର୍ଯ୍ୟନ୍ତ ପଦରେ ରହିଥିଲେ। ତାଙ୍କର ସ୍ୱତନ୍ତ୍ର ସଚିବ ପାଇଁ ପଦୋନ୍ନତି ହେବା ପରେ ଡା.ମନୋରଂଜନ ଦାଶ ମାତ୍ର ଗୋଟିଏ ଦିନ ପାଇଁ ନିର୍ଦେଶକ(ଭାରପ୍ରାପ୍ତ) ଭାବେ ରହିଥିଲେ। ତାଙ୍କ ପରେ ୨୦୧୪ରେ ନିର୍ଦେଶକ ଦାୟିତ୍ୱ ତୁଲାଇଥିବା ଡା.ପ୍ରଦୀପ କୁମାର ଆଚାର୍ଯ୍ୟଙ୍କୁ ନିର୍ଦେଶକ କରାଯାଇଥିଲା। ସେ ମଧ୍ୟ ୬ମାସ ପରେ ଅବସର ନେଇଥିଲେ। ଡା.ପି କେ ଆଚାର୍ଯ୍ୟ ଅବସର ଗ୍ରହଣ କରିବା ପରେ ବରିଷ୍ଠ ସର୍ଜରି ବିଶେଷଜ୍ଞ ଡା.ଚିତ୍ତରଂଜନ ଦାସ ଗତବର୍ଷ ଏପ୍ରିଲ ୨୪ତାରିଖରେ ନିର୍ଦେଶକ ହୋଇଥିଲେ। ୭ମାସ ଧରି ନିର୍ଦେଶକ ରହିବା ପରେ ସେ ଚଳିତବର୍ଷ ଜାନୁଆରି ୩୧ରେ ଅବସର ନେଇଥିଲେ। ତାଙ୍କ ପରେ ପୂର୍ବରୁ ଗୋଟିଏ ଦିନ ପାଇଁ ନିର୍ଦେଶକ(ଭାରପ୍ରାପ୍ତ) ହୋଇଥିବା ଡା.ମନୋରଂଜନ ଦାଶ ଏପ୍ରିଲ ମାସରୁ ଜୁନ୍‌ ମାସ ପର୍ଯ୍ୟନ୍ତ ଦାୟିତ୍ୱରେ ରହିଥିଲେ। ଏହାପରେ ବରିଷ୍ଠ ହୃଦ୍‌ରୋଗ ବିଶେଷଜ୍ଞ ଡା. ଆର ଏସ୍‌ ଏନ୍‌ ମୂର୍ତି ଗୋଟିଏ ମାସ ନିର୍ଦେଶକ(ଭାରପ୍ରାପ୍ତ) ରହିଥିଲେ ହେଁ ମଙ୍ଗଳବାର ପଦୋନ୍ନତି ପାଇ ଅବସର ଗ୍ରହଣ କରିଛନ୍ତି। ତାଙ୍କ ପରେ ଡା.ନୀଳକଣ୍ଠ ମିଶ୍ର ନିର୍ଦେଶକ(ଭାରପ୍ରାପ୍ତ) ଭାବେ ଦାୟିତ୍ୱ ଗ୍ରହଣ କରିଛନ୍ତି। ତାଙ୍କୁ ସମସ୍ତ କ୍ଷମତା ଦିଆଯାଇଥିବା ସୂଚନା ମିଳିଛି।

ଗୁରୁତ୍ୱପୂର୍ଣ୍ଣ ବିଷୟ ହେଉଛି, ଭାରପ୍ରାପ୍ତ ନିର୍ଦେଶକ ଦାୟିତ୍ୱରେ ରହୁଥିବା ଡାକ୍ତରଙ୍କୁ ପ୍ରଶାସନିକ ଓ ଅର୍ଥନୈତିକ କ୍ଷମତା ଦିଆଯାଉ ନାହିଁ। ସେମାନେ ନାମକୁ ମାତ୍ର ନିର୍ଦେଶକ ପଦବିରେ ରହୁଛନ୍ତି। ଫଳରେ ହସ୍ପିଟାଲରେ କର୍ମଚାରୀଙ୍କ ଦରମାଠାରୁ ଆରମ୍ଭ କରି କୌଣସି ନୂତନ ନିଯୁକ୍ତିରେ ସମସ୍ୟା ଦେଖାଦେଉଛି। ଯଦିଓ ହସ୍ପିଟାଲ କର୍ତୃପକ୍ଷଙ୍କ ପକ୍ଷରୁ ବାରମ୍ବାର ଏଥିପାଇଁ ସରକାରଙ୍କ ଦୃଷ୍ଟି ଆକର୍ଷଣ କରାଯାଉଛି, ତଥାପି ସରକାର ଏହାକୁ ସେତେଟା ଗୁରୁତ୍ୱ ଦେଉ ନ ଥିବା ଅଭିଯୋଗ ହେଉଛି। ସ୍ୱାସ୍ଥ୍ୟସେବା ନିର୍ଦେଶକ ଡା.ବି.କେ ବ୍ରହ୍ମାଙ୍କୁ ଏ ସଂପର୍କରେ ଯୋଗାଯୋଗ କରାଯାଇଥିଲେ ହେଁ, କୌଣସି ଉତ୍ତର ମିଳିପାରି ନ ଥିଲା।

ସମ୍ବନ୍ଧିତ ଖବର