ବାଲିପାଟଣା : ପୂର୍ବ ଶତ୍ରୁତାକୁ କେନ୍ଦ୍ର କରି ଓଡ଼ଖଣ୍ଡ ମହାପାତ୍ର ସାହିରେ ଗୋଷ୍ଠୀ ସଂଘର୍ଷ ହୋଇଛି। ଉଭୟପକ୍ଷ ପରସ୍ପରକୁ ମାରଣାସ୍ତ୍ର, ଶାବଳ, ଲୁହାରଡ୍ ଓ ଠେଙ୍ଗାରେ ଆକ୍ରମଣ କରିବାରୁ ପ୍ରାୟ ୧୩ରୁ ଅଧିକ ଆହତ ହୋଇଛନ୍ତି। ବାଲିପାଟଣା ଥାନା ପିସିଆର ଘଟଣାସ୍ଥଳରେ ପହଞ୍ଚି ଆହତମାନଙ୍କୁ ସ୍ଥାନୀୟ ସ୍ୱାସ୍ଥ୍ୟକେନ୍ଦ୍ରକୁ ଆଣିଥିଲା। ଆହତଙ୍କ ମଧ୍ୟରୁ ୯ଜଣଙ୍କ ଅବସ୍ଥା ଗୁରୁତର ଥିବାରୁ ସେମାନଙ୍କୁ କ୍ୟାପିଟାଲ ହସ୍ପିଟାଲକୁ ସ୍ଥାନାନ୍ତର କରାଯାଇଛି। ଗୁରୁତରମାନେ ହେଲେ ସନ୍ତୋଷ ମହାପାତ୍ର, ପରେଶ ନାୟକ, ମିନତି ନାୟକ, କେଦାର ନାୟକ, ପ୍ରକାଶ ମହାପାତ୍ର, ସୁକାନ୍ତ ନାୟକ, ରବୀନ୍ଦ୍ର ମହାପାତ୍ର, ଗଙ୍ଗାଧର ମହାପାତ୍ର ଓ ଲକ୍ଷ୍ମୀଧର ମହାପାତ୍ର।
ସୂଚନା ଅନୁସାରେ, କୁରୁଞ୍ଜିପୁର ପଞ୍ଚାୟତ ଓଡ଼ଖଣ୍ଡ ମହାପାତ୍ର ସାହିରେ ଜମିବାଡ଼ିକୁ ନେଇ ପୂର୍ବରୁ ବିବାଦ ଲାଗି ରହିଥିଲା। ବିବାଦୀୟ ଜାଗାରୁ ଗୋଟିଏ ଗୋଷ୍ଠୀ ଆଜି ମାଟି ଉଠାଇବାକୁ ନେଇ ଉଭୟ ପକ୍ଷ ମୁହାଁମୁହିଁ ହୋଇଥିଲେ। ଶେଷରେ କଥା ଥାନା ପର୍ଯ୍ୟନ୍ତ ଯାଇଥିଲା। ଉଭୟ ପକ୍ଷ ଓ ଭଦ୍ରବ୍ୟକ୍ତିଙ୍କ ଉପସ୍ଥିତିରେ ବିବାଦର ସମାଧାନ ହୋଇଥିଲା। ସେଠାରୁ ଫେରିବା ପରେ ରାତି ପ୍ରାୟ ସାଢ଼େ ୧୦ଟା ବେଳେ ଗୋଟିଏ ପକ୍ଷ ଅପରପକ୍ଷର ବ୍ୟକ୍ତିଙ୍କୁ ଗାଳିଗୁଲଜ ସହ ଆକ୍ରମଣ କରିଥିଲେ। ଫଳରେ ଉଭୟ ପରିବାର ସଦସ୍ୟ ଗଣ୍ଡଗୋଳକୁ ବାହାରିଥିଲେ। ଆହତମାନଙ୍କ ମଧ୍ୟରେ କେତେକଙ୍କ ମୁଣ୍ଡରେ ଗଭୀର ଆଘାତ ଲାଗିଛି। କାହାର ହାତ ତ କାହାର ଗୋଡ଼ରେ ଶକ୍ତ ପ୍ରହାର ଲାଗିଛି। ଆହତମାନଙ୍କ ମଧ୍ୟରେ ମହିଳା ଓ ନାବଳକ ଅଛନ୍ତି।
/sambad/media/agency_attachments/2024-07-24t043029592z-sambad-original.webp)
/sambad/media/post_attachments/wp-content/uploads/2022/06/clash.jpg)