ଘାଟିକିଆରୁ ୧୩ ଆନ୍ତଃରାଜ୍ୟ ଶ୍ରମିକ ସଙ୍ଗରୋଧକୁ ଗଲେ

ଭୁବନେଶ୍ବର : ଦୁଇ ଦିନ ହେଲା ଜିଲ୍ଲା ବାହାରୁ ଘାଟିକିଆକୁ ଚାଲି ଆସିଥିବା ୧୩ଜଣ ଶ୍ରମିକଙ୍କୁ ଗୁରୁବାର ଖଣ୍ଡଗିରି ଥାନା ପୁଲିସ ସହାୟତା‌ରେ ସଙ୍ଗରୋଧରେ କେନ୍ଦ୍ରକୁ ନିଆଯାଇଛି। ସେମାନଙ୍କୁ କ୍ୟାପିଟାଲ ହସ୍ପିଟାଲରେ ପ୍ରାଥମିକ ଯାଞ୍ଚ କରାଯିବା ପରେ ଓୟୁଏଟିସ୍ଥିତ କ୍ବାରାଣ୍ଟିନ୍‌ କେନ୍ଦ୍ରରେ ଅବସ୍ଥାପିତ କରାଯାଇଛି। ଫଳରେ ଦୁଇଦିନ ହେଲା ଘାଟିକିଆରେ ସୃଷ୍ଟି ହୋଇଥିବା ଉତ୍ତେଜନା ପ୍ରଶମିତ ହୋଇଛି।

ସୂଚନାନୁସାରେ, ଏହି ଶ୍ରମିକମାନେ ଘ‌ାଟିକିଆସ୍ଥିତ ଏକ ବିସ୍କୁଟ୍‌ କାରଖାନାରେ କାମ କରୁଥିଲେ। ଜନତା କର୍ଫ୍ୟୁ ପରେ ପରେ ସେମାନେ ବାଲେଶ୍ବର ଜିଲ୍ଲାସ୍ଥିତ ନିଜ ଗାଁକୁ ଚାଲି ଯାଇଥିଲେ। କିନ୍ତୁ ୨୦ତାରିଖ ପରେ କରୋନା କଟକଣା କୋହଳ ହେବାରୁ ସେମାନେ ୨୧ତାରିଖ ସନ୍ଧ୍ୟାରେ ପୁଣି ଘାଟିକିଆ ଫେରିଥିଲେ। ସେମାନେ ଟେଲିକମ୍ ଅଫିସ୍ ପାଖରେ ରହୁଥିବା ଘରେ ଲୁଚି ରହିଥିବାରୁ ଘଟଣା ବିଳମ୍ବରେ ଜଣାପଡ଼ିଥିଲା। ଏହାକୁ ନେଇ ଘାଟିକିଆରେ ଉତ୍ତେଜନା ଦେଖାଯାଇଥିଲା ଓ କରୋନା ସଂକ୍ରମିତ ହୋଇଥିବା ସନ୍ଦେହ କରି ତୁରନ୍ତ ସେମାନଙ୍କୁ ସଂଗରୋଧ କେନ୍ଦ୍ରକୁ ନେବା ପାଇଁ ଦାବି କରାଯାଇଥିଲା। ଖବର ପାଇ ଖଣ୍ଡଗିରି ଥାନା ପୁଲିସ ଘଟଣାସ୍ଥଳରୁ ସେମାନଙ୍କୁ କ୍ୟାପିଟାଲ ହସ୍ପିଟାଲ ଓ ପରେ ସଙ୍ଗରୋଧ କେନ୍ଦ୍ରକୁ ନେଇଛି। ପର୍ଯ୍ୟାୟକ୍ରମେ ସେମାନଙ୍କ ସ୍ବାବ୍‌ ନମୁନା ଯାଞ୍ଚ କରାଯିବ ଓ ୧୪ ଦିନ ପର୍ଯ୍ୟନ୍ତ ସେମାନଙ୍କୁ ସଙ୍ଗରୋଧରେ ରଖାଯିବ।

ସମ୍ବନ୍ଧିତ ଖବର