ରାଜ୍ୟରାଣୀ ଟ୍ରେନ୍‌ରୁ ୧୩ ବସ୍ତା କେନ୍ଦୁପତ୍ର ଜବତ

ଭୁବନେଶ୍ବର: ରେଳବାଇ ଥାନା ପୁଲିସ ଆଜି ରାଜ୍ୟରାଣୀ ଟ୍ରେନ୍‌ରୁ ୧୩ ବସ୍ତା କେନ୍ଦୁପତ୍ର ଜବତ କରିଛି। ଏନେଇ ପୁଲିସ ଏକ ମାମଲା ରୁଜୁ କରି ଘଟଣାର ତଦନ୍ତ କରୁଛି। ପୁଲିସ ସୂଚନା ମୁତାବକ, ମଙ୍ଗଳବାର ସକାଳେ ରାଜ୍ୟରାଣୀ ଟ୍ରେନ୍‌ରେ ସମ୍ବଲପୁର ଯୁଯୁମରା ଅଞ୍ଚଳରୁ କେନ୍ଦୁପତ୍ର ଆସୁଥିବା ରେଳବାଇ ଥାନା ପୁଲିସ ଖବର ପାଇଥିଲା। ଏହାକୁ ଭୁବନେଶ୍ବରରୁ କରମଣ୍ଡଳ ଏକ୍ସପ୍ରେସ୍‌ରେ ଖଡ଼ଗପୁର ପଠାଯାଇଥା’ନ୍ତା। ସକାଳ ପ୍ରାୟ ସାଢ଼େ ୭ଟା ବେଳେ ଟ୍ରେନ୍‌ଟି ପ୍ଲାଟ୍‌ଫର୍ମ ନଂ-୪ରେ ଲାଗିବା ପରେ ଯାଞ୍ଚ କରାଯାଇଥିଲା। ଯାଞ୍ଚ ବେଳେ ପୁଲିସ ସେଠାରୁ ୧୩ବସ୍ତା କେନ୍ଦୁପତ୍ର ଜବତ କରିଥିଲା। ହେଲେ କେଉଁମାନେ ଏଥିରେ ସମ୍ପୃକ୍ତ ଅଛନ୍ତି, ପୁଲିସ ସେ ବିଷୟରେ କୌଣସି ତଥ୍ୟ ଦେଇପାରି ନଥିଲା। ଯେଉଁମାନେ କେନ୍ଦୁପତ୍ର ନେଇ ଆସୁଥିଲେ, ସେମାନେ ଆଗୁଆ ଖବର ପାଇ ଖସି ଯାଇଥିବା ପୁଲିସ ଅନୁମାନ କରୁଛି। ସେହିପରି ଟ୍ରେନ୍‌ର କିଛି ଅଧିକାରୀ ଏଥିରେ ସାମିଲ ଥାଇପାରନ୍ତି ବୋଲି ପୁଲିସ ସନ୍ଦେହ କରିଛି। ପୁଲିସ ଘଟଣାର ଅଧିକ ତଦନ୍ତ କରୁଛି। ଅନ୍ୟପଟେ ପୁଲିସ ୧୩ବସ୍ତା କେନ୍ଦୁପତ୍ରକୁ ବନ ବିଭାଗକୁ ହସ୍ତାନ୍ତର କରିଛି ବୋଲି ଆଇଆଇସି ଭରତ ସାହୁ କହିଛନ୍ତି।

ସମ୍ବନ୍ଧିତ ଖବର