ଧରାପଡ଼ିଲା ଗୋଟିଏ ନମ୍ବରରେ ଏକାଧିକ ଗାଡ଼ି ରହସ୍ୟ : ୩ଟି ନମ୍ବରରେ ୬ ଗାଡ଼ି, ଜବତ ହେଲା ୧୩ ଗାଡ଼ି, ମାଲିକ ଫେରାର୍‌

ଭୁବନେଶ୍ବର : ଗୋଟିଏ ନମ୍ବରରେ ଚାଲିଛି ଏକାଧିକ ଗାଡ଼ି। ଆଜି କମିସନରେଟ୍‌ ପୁଲିସ ପକ୍ଷରୁ ବିଭିନ୍ନ ସ୍ଥାନରେ ଚଢ଼ଉ କରାଯାଇ ଏପରି ମୋଟ ୧୩ଟି ଗାଡ଼ିକୁ ଜବତ କରାଯାଇଛି। ଜବତ ଗାଡ଼ିଗୁଡ଼ିକ ମଧ୍ୟ‌ରେ କେବଳ ଗୋଟିଏ ସଂସ୍ଥାର ୬ଟି ଗାଡ଼ି ଥିବା ଜଣାଯାଇଛି। ଗାଡ଼ିଗୁଡ଼ିକୁ ଜବତ ପରେ ଟ୍ରାଫିକ୍‌ ପୁଲିସ ସଂପୃକ୍ତ ସଂସ୍ଥା ବିରୋଧରେ ଲିଙ୍ଗରାଜ ଥାନାରେ ମାମଲା ରୁଜୁ କରିଛି। ସରକାରଙ୍କୁ ଟିକସ ଫାଙ୍କିବା ଏବଂ ଇନ୍‌ସ୍ୟୁରାନ୍ସ ଟଙ୍କା ହାତେଇବା ପାଇଁ ଏଭଳି ଯୋଜନା କରାଯାଇଥିବା ପ୍ରାଥମିକ ତଦନ୍ତରୁ ଜଣାପଡ଼ିଛି।

ପୁଲିସ ସୂଚନା ମୁତାବକ, ଦୀର୍ଘଦିନ ହେବ ‘କୁମାର ପ୍ରାଇଭେଟ୍‌ ଲିମିଟେଡ୍‌’ ନାମକ ସଂସ୍ଥା ଗୋଟିଏ ରେଜିଷ୍ଟ୍ରସନ୍‌ ନମ୍ବରରେ ଦୁଇଟି ଗାଡ଼ି ଚଳାଉଥିଲା। ଏହି ସଂସ୍ଥାର ଏମିତି ୬ଟି ଗାଡ଼ି ରାଜଧାନୀରେ ଗଡ଼ୁଥିଲା। ସ୍ଥାନୀୟ ଲୁଇସ୍‌ ରୋଡ୍‌ରେ ଥିବା ଏକ ସଂସ୍ଥାରେ ଏହି ଗାଡ଼ିଗୁଡ଼ିକୁ ମାଲ୍‌ ପରିବହନ ପାଇଁ ବ୍ୟବହାର କରାଯାଉଥିଲା। ଗାଡ଼ିଗୁଡ଼ିକର ରଙ୍ଗ ସମାନ ଥିବାରୁ ଏହି ଗାଡ଼ିଗୁଡ଼ିକୁ ଚିହ୍ନଟ କରିବା ସହଜ ନଥିଲା। ସଂସ୍ଥାର ମାଲିକ ସଞ୍ଜୟ ଅଗ୍ରୱାଲ୍‌ ଏଭଳି ଚଞ୍ଚକତା କରି ଗାଡ଼ିଗୁଡ଼ିକୁ ଟ୍ରାନ୍ସପୋର୍ଟ କାମରେ ଲଗାଇଥିଲା। ଏହି ବେଆଇନ କାରବାର ସଂପର୍କରେ ସୂଚନା ପାଇ ଟ୍ରାଫିକ୍‌ ଡିସିପି ସାଗରିକା ନାଥଙ୍କ ନିର୍ଦେଶରେ ଶୁକ୍ରବାର ସକାଳୁ ଆରମ୍ଭ ହୋଇଥିଲା ଅପରେସନ୍‌ ‘ସର୍ଚ’। ଟ୍ରାଫିକ୍‌ ଥାନା ଆଇଆଇସି ସଦଳବଳେ ଲୁଇସ୍‌ ରୋଡ୍‌ସ୍ଥିତ ଉକ୍ତ ସଂସ୍ଥାରେ ଚଢ଼ଉ କରି ଗାଡ଼ିଗୁଡ଼ିକୁ ଲିଙ୍ଗରାଜ ଥାନାକୁ ନେଇଥିଲେ। ଯାଞ୍ଚରୁ ଜଣାପଡ଼ିଥିଲା ଯେ ଅଧିକାଂଶ ଗାଡ଼ିର ଫିଟ୍‌ନେସ, ଇନ୍ସ୍ୟୁରାନ୍ସ, ପ୍ରଦୂଷଣ ନିୟନ୍ତ୍ରଣ ସାର୍ଟିଫିକେଟ୍‌ ନାହିଁ। ସେହିପରି ଅନ୍ୟ ଗାଡ଼ିଗୁଡ଼ିକର ନମ୍ବରକୁ ନେଇ ମଧ୍ୟ ପୁଲିସ ସନ୍ଦେହ କରିଛି। ଏନେଇ ପୁଲିସ ଅଧିକ ତଦନ୍ତ କରୁଛି। ସଞ୍ଜୟକୁ ଗିରଫ କରିବା ପରେ ସମସ୍ତ ଘଟଣା ପଦାକୁ ଆସିବ ବୋଲି ଜଣାପଡ଼ିଛି। ସେହିପରି ରାଜଧାନୀର ବିଭିନ୍ନ ସ୍ଥାନରୁ ଏପରି ଆଉ ୭ଟି ଗାଡ଼ି ଜବତ ହୋଇଛି। ତେବେ ଯାଞ୍ଚ ହେଲେ ରାଜଧାନୀରୁ ଏପରି ଅନେକ ଗାଡ଼ି ଧରାପଡ଼ିବ ବୋଲି କୁହାଯାଉଛି।

ପ୍ରକାଶ ଥାଉ କି, ବର୍ଷ ବର୍ଷ ହେଲା ସଞ୍ଜୟ ଏଭଳି ଠକି ଚାଲିଥିଲେ ସୁଦ୍ଧା ପୁଲିସ କିମ୍ବା ପରିବହନ ବିଭାଗ ଏହାର ଟେର୍‌ ପାଇନଥିଲେ। ନିହାର ରଂଜନ ରାଉତ ନାମକ ସଚେତନ ନାଗରିକ ଏହାର ପର୍ଦ୍ଦାଫାସ କରିବାରେ ସହାୟକ ହୋଇଛନ୍ତି। ସେ ତାଙ୍କ ଟ୍ବିଟର୍‌ ଆକାଉଣ୍ଟରେ ଗାଡ଼ିଗୁଡ଼ିକର ଫଟୋକୁ ଅଫ୍‌ଲୋଡ୍‌ କରି ପୁଲିସ କମିସନର ସୁଧାଂଶୁ ଷଡ଼ଙ୍ଗୀ, ଓଡ଼ିଶାର ରାଜ୍ୟ ପରିବହନ ନିଗମ, ଟ୍ରାଫିକ୍‌ ଡିସିପି ସାଗରିକା ନାଥ ଓ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକଙ୍କୁ ଟ୍ୟାଗ୍‌ କରିବା ପରେ କମିସରେଟ୍‌ ପୁଲିସ ଏହାକୁ ଗୁରୁତ୍ବର ସହ ନେଇଥିଲା। ସେ ଟ୍ୟାଗ୍‌ କରିବାର କିଛି ସମୟ ପରେ ପୁଲିସ କମିସନର୍‌ ଶ୍ରୀ ଷଡ଼ଙ୍ଗୀ ତଦନ୍ତ ପାଇଁ ଟ୍ରାଫିକ୍‌ ଡିସିପି ସାଗରିକା ନାଥଙ୍କୁ ନିର୍ଦେଶ ଦେଇଥିଲେ। ଡିସିପି ନାଥ ଗାଡ଼ିଗୁଡ଼ିକୁ ଚିହ୍ନଟ କରିବା ପାଇଁ ଟ୍ରାଫିକ୍‌ ଏସିପି ଓ ଆଇଆଇସିଙ୍କୁ କହିଥିଲେ।

ସମ୍ବନ୍ଧିତ ଖବର