ରାଜଧାନୀବାସୀଙ୍କୁ ୧୩୦୦କୋଟିରପ୍ରକଳ୍ପ ଭେଟି

୧୧୬୦କୋଟିର ପ୍ରକଳ୍ପର ଶିଳାନ୍ୟାସ, ଡ୍ରେନ୍‌ ବ୍ୟବସ୍ଥା ସୁଧାରିବାକୁ ୧୦୦୦କୋଟି

ଭୁବନେଶ୍ବର: ସାଧାରଣ ନିର୍ବାଚନ ଏବଂ ବିଏମ୍‌ସି ନିର୍ବାଚନ ପୂର୍ବରୁ ଆଜି ରାଜ୍ୟ ସରକାର ଭୁବନେଶ୍ବର ବାସିନ୍ଦାଙ୍କୁ ୧୩୦୦କୋଟି ଟଙ୍କାର ପ୍ରକଳ୍ପ ଭେଟି ଦେଇଛନ୍ତି। ଜନତା ମଇଦାନରେ ଆୟୋଜିତ ବିଶାଳ ଜନ ସମାବେଶରେ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ଆଜି ୧୨୪୧କୋଟି ଟଙ୍କାର ପ୍ରକଳ୍ପର ଶିଳାନ୍ୟାସ କରିଥିବାବେଳେ ପ୍ରାୟ ୫୯କୋଟି ଟଙ୍କାର ପ୍ରକଳ୍ପର ଉଦ୍‌ଘାଟନ କରିଛନ୍ତି। ଏହାସହ ୧୦ଟି ଯାକ ମୁଖ୍ୟ ଡ୍ରେନ୍‌ର ସ୍ଥିତି ସୁଧାରିବା ପାଇଁ ୧୦୦୦କୋଟିର ପ୍ୟାକେଜ୍ ମୁଖ୍ୟମନ୍ତ୍ରୀ ଘୋଷଣା କରିଛନ୍ତି।

ଆଜି ମୁଖ୍ୟମନ୍ତ୍ରୀ ୨୬ଟି ପ୍ରକଳ୍ପର ଶିଳାନ୍ୟାସ କରିଥିବାବେଳେ ୨ଟି ପ୍ରକଳ୍ପର ଉଦ୍‌ଘାଟନ କରିଛନ୍ତି। ମୁଖ୍ୟମନ୍ତ୍ରୀ ଶିଳାନ୍ୟାସ କରିଥିବା ପ୍ରକଳ୍ପ ମଧ୍ୟରେ ବିଏମ୍‌ସି, ବିଡିଏ, ଓପିଟିସିଏଲ୍‌, କ୍ରୁଟ୍‌, ଭୁବନେଶ୍ବର ସ୍ମାର୍ଟ ସିଟି ଲିମିଟେଡ୍‌, ପର୍ଯ୍ୟଟନ ଓ ପୂର୍ତ୍ତ ବିଭାଗର ବିଭିନ୍ନ ପ୍ରକଳ୍ପ ରହିଛି। ଶିଳାନ୍ୟାସ ହୋଇଥିବା ୧୨୪୧କୋଟିର ପ୍ରକଳ୍ପ ମଧ୍ୟରୁ ବିଏମ୍‌ସିର ୧୨ଟି ଡ୍ରେନ୍‌ ପ୍ରକଳ୍ପ ପାଇଁ ୨୫କୋଟି ୮୦ଲକ୍ଷ, ବିଏମ୍‌ସି ପକ୍ଷରୁ ୬ଟି ପୁଷ୍କରିଣୀର ପୁନରୁଦ୍ଧାର ପାଇଁ ୧୫କୋଟି ୨୬ଲକ୍ଷ, ବିଏମ୍‌ସିର ୯ଟି କମ୍ୟୁନିଟି ଟ‌ଏଲେଟ୍ ପାଇଁ ୨କୋଟି ୪୯ଲକ୍ଷ, ବିଏମ୍‌ସିର ୫ଟି ଟଏଲେଟ୍‌ ଅନ୍‌ ହୁଇଲ୍‌ସ ପାଇଁ ୫୬ଲକ୍ଷ ୨୦ହଜାର, ପର୍ଯ୍ୟଟନ ବିଭାଗ ପକ୍ଷରୁ ବିନ୍ଦୁସାଗର ପୁନରୁଦ୍ଧାର ପାଇଁ ୭କୋଟି ୨୭ଲକ୍ଷ ୪୭ହଜାର ଟଙ୍କା, ବିଡିଏର ୭ଟି ପ୍ରକଳ୍ପ ପାଇଁ ୬୨୧କୋଟି ୧୩ଲକ୍ଷ, ଓପିଟିସିଏଲ୍‌ର ୧୦ଟି ପ୍ରକଳ୍ପ ପାଇଁ ୩୫୬କୋଟି, କ୍ରୁଟ୍‌ର ୨ଟି ପ୍ରକଳ୍ପ ପାଇଁ ୪୧କୋଟି ୩୧ଲକ୍ଷ, ଭୁବନେଶ୍ବର ସ୍ମାର୍ଟ ସିଟି ଲିମିଟେଡ୍‌ ପକ୍ଷରୁ ନିର୍ମାଣ ହେବାକୁ ଥିବା ବିଏମ୍‌ସି ମୁଖ୍ୟାଳୟ ପାଇଁ ୮୨କୋଟି, ପର୍ଯ୍ୟଟନ ବିଭାଗ ପକ୍ଷରୁ ଏକାମ୍ର କ୍ଷେତ୍ରର ସମନ୍ବିତ ବିକାଶ ପାଇଁ ୮କୋଟି ୧୨ଲକ୍ଷ ୬୦ହଜାର ଟଙ୍କା, ପୂର୍ତ୍ତ ବିଭାଗ ପକ୍ଷରୁ ୭ଟି ରାସ୍ତା ଓ କୋଠା ପ୍ରକଳ୍ପ ପାଇଁ ୮୦କୋଟି ଖର୍ଚ୍ଚ ହେବ ବୋଲି ନିଷ୍ପତ୍ତି ହୋଇଛି।

ସେହିପରି ଆଜି ଉଦ୍‌ଘାଟନ ହୋଇଥିବା ଗାଡ଼କଣର ରଙ୍ଗମାଟିଆ ବସ୍ତି ଉନ୍ନତିକରଣ ପ୍ରକଳ୍ପ ପାଇଁ ୫୨କୋଟି ୧୫ଲକ୍ଷ ଟଙ୍କା ଖର୍ଚ୍ଚ ହୋଇଥିବାବେଳେ ଖାରବେଳ ନଗରରେ ନିର୍ମାଣ ଶ୍ରମିକ ରହଣି ସ୍ଥଳ ପାଇଁ ୬କୋଟି ୪୧ଲକ୍ଷ ଟଙ୍କା ଖର୍ଚ୍ଚ ‌େହାଇଛି। ଏହାସହ ଭୁବନେଶ୍ବର.ମି ୱେବସାଇଟ୍‌ର ଉନ୍ନତିକରଣ କରାଯାଇଥିବାବେଳେ ମୁଖ୍ୟମନ୍ତ୍ରୀ ଏହାକୁ ଉଦ୍‌ଘାଟନ କରିଛନ୍ତି। ଅପରପକ୍ଷେ ମୁଖ୍ୟମନ୍ତ୍ରୀ ୟୁନିଟ-୯‌େର ନିର୍ମାଣ ହେବାକୁ ଥିବା ବିଏମ୍‌ସି ମୁଖ୍ୟାଳୟ ପାଇଁ ଆଜି ଶିଳାନ୍ୟାସ କରିଥିବାବେଳେ ଏହାକୁ ମିଶାଇ ଦୁଇଥର ଶିଳାନ୍ୟାସ କରିଛନ୍ତି। ୨୦୧୭ ସ୍ବାୟତ୍ତ ଶାସନ ଦିବସରେ ମୁଖ୍ୟମନ୍ତ୍ରୀ ବିଏମ୍‌ସି ମୁଖ୍ୟାଳୟ ୟୁନିଟ-୯ରେ ଶିଳାନ୍ୟାସ କରିଥିଲେ। ପ୍ରକଳ୍ପ ଆରମ୍ଭ ହେବ ହେବ ବୋଲି ହୋଇପାରିଲାନି। ଏବେ ଉଦ୍‌ଘାଟନ ଓ ଶିଳାନ୍ୟାସ ପର୍ବ ଚାଲିଥିବାବେଳେ ସ୍ମାର୍ଟ ସିଟି କର୍ତ୍ତୃପକ୍ଷ ଏହାର ଫାଇଦା ନେଇ ପୁଣି ଥରେ ଏହି ପ୍ରକଳ୍ପର ଶିଳାନ୍ୟାସ କରିଛନ୍ତି। ସୂଚନାଯୋଗ୍ୟ ଯେ, ପୂର୍ବରୁ ବିଏମ୍‌ସି ପକ୍ଷରୁ ନିର୍ମାଣ ହେବାକୁ ଥିବା ବିଏମ୍‌ସି ମୁଖ୍ୟାଳୟ ପାଇଁ ୨୦୧୬ରେ ମୁଖ୍ୟମନ୍ତ୍ରୀ ୟୁନିଟ-୮ କଲ୍ୟାଣ ମଣ୍ଡପ ସ୍ଥାନରେ ଏହାର ଶିଳାନ୍ୟାସ କରିଥିଲେ।

ସମ୍ବନ୍ଧିତ ଖବର