ଭୁବନେଶ୍ବର: ଦୁଇ ଦୁଇ ଜଣ ପେନ୍ସନ୍ଧାରୀଙ୍କ ମୃତ୍ୟୁ ହୋଇସାରିଥିଲେ ହେଁ ସେମାନଙ୍କୁ ଜୀବିତ ଦର୍ଶାଇ ୪ ବର୍ଷ କାଳ ସେମାନଙ୍କ ଆକାଉଣ୍ଟ ଜରିଆରେ ୧ କୋଟି ୩୨ ଲକ୍ଷ ଟଙ୍କା ହଡ଼ପ କରାଯାଇଥିଲା। ବାଲେଶ୍ବର ରେମୁଣାସ୍ଥିତ ବ୍ୟାଙ୍କ୍ ଅଫ୍ ଇଣ୍ଡିଆ ଶାଖାରେ ଘଟିଥିବା ଏହି ଅର୍ଥନୈତିକ ଅପରାଧ ଷଡ଼୍ଯନ୍ତ୍ର ମାମଲାରେ ଜଣେ ବ୍ୟାଙ୍କ୍ ଅଧିକାରୀ ଓ ଜଣେ ପେନ୍ସନ୍ଧାରୀଙ୍କ ପୁଅକୁ ଆଜି ଓପିଆଇଡି କୋର୍ଟ ୭ବର୍ଷ ଜେଲ୍ଦଣ୍ଡ ସହ ପ୍ରତ୍ୟେକଙ୍କୁ ୩ଲକ୍ଷ ୭୫ ହଜାର ଲେଖାଏଁ ଜରିମାନା ଶୁଣାଇଛନ୍ତି। ସେମାନେ ହେଲେ ବ୍ୟାଙ୍କ୍ର ତତ୍କାଳୀନ ବିଜ୍ନେସ୍ କରେସ୍ପଣ୍ଡେଣ୍ଟ ପ୍ରଭାତ ଦାସ ଓ ମୃତ ପେନ୍ସନ୍ଧାରୀ ସାବିତ୍ରୀ ବେହେରାଙ୍କ ପୁଅ ବ୍ରହ୍ମଜ୍ୟୋତି ବେହେରା। ଜରିମାନା ଅନାଦାୟ ହେଲେ ଅସାମୀମାନଙ୍କୁ ଅଧିକ ବର୍ଷେ ଲେଖାଏଁ ଜେଲ୍ରେ ରହିବାକୁ ପଡ଼ିବ ବୋଲି ରାୟରେ ଉଲ୍ଲେଖ କରାଯାଇଛି। ଏହି ମାମଲାରେ ତତ୍କାଳୀନ ବ୍ୟାଙ୍କ୍ ଶାଖା ପ୍ରବନ୍ଧକ ଦୁର୍ଗାଚରଣ ପଣ୍ଡା ଆଜି ଶୁଣାଣି ବେଳେ ବାଲେଶ୍ବର ଓପିଆଇଡି କୋର୍ଟରେ ଅନୁପସ୍ଥିତ ଥିବାରୁ ତାଙ୍କ ବିରୋଧରେ ଜାମିନବିହୀନ ପରୱାନା ଜାରି କରାଯାଇଛି। କ୍ରାଇମ୍ବ୍ରାଞ୍ଚ ଅର୍ଥନୈତିକ ଅପରାଧ ଶାଖା (ଇଓଡବ୍ଲ୍ୟୁ) ପକ୍ଷରୁ କୋର୍ଟରେ ହାଜର କରାଯାଇଥିବା ୧୮ସାକ୍ଷୀ, ଦାଖଲ କରାଯାଇଥିବା ୫୧୯ ପ୍ରଯୁଜ୍ୟ ଦସ୍ତାବିଜ ଆଧାରରେ ଏହି ରାୟ ପ୍ରକାଶ ପାଇଛି।
ବ୍ୟାଙ୍କ୍ ଶାଖା ପ୍ରବନ୍ଧକଙ୍କ ନାଁରେ ଜାମିନବିହୀନ ପରୱାନା, ମୃତକଙ୍କୁ ଜୀବିତ ଦର୍ଶାଇଥିଲେ
୨୦୧୮ ମସିହାରେ ବାଲେଶ୍ବର ରେମୁଣାସ୍ଥିତ ବ୍ୟାଙ୍କ୍ ଅଫ୍ ଇଣ୍ଡିଆ ଶାଖାର ପ୍ରବନ୍ଧକ ସ୍ବରାଜ ମହାନ୍ତି ଏନେଇ ଇଓଡବ୍ଳ୍ୟୁରେ ଅଭିଯୋଗ କରିଥିଲେ। ଖୋଳତାଡ଼ରୁ ଜଣାପଡ଼ିଥିଲା ଯେ ୨୦୧୪ ମସିହାରେ ପେନ୍ସନ୍ ଆକାଉଣ୍ଟଧାରୀ ସାବିତ୍ରୀ ବେହେରା ଓ ପର୍ଶୁରାମ ଗିରିଙ୍କ ମୃତ୍ୟୁ ହୋଇଯାଇଥିଲେ ମଧ୍ୟ ସେମାନଙ୍କୁ ୨୦୧୮ ମସିହା ପର୍ଯ୍ୟନ୍ତ ଜୀବିତ ଦର୍ଶାଯାଇଥିଲା। ଏହି ଘୋଟାଲାର ମାଷ୍ଟରମାଇଣ୍ଡ ଥିଲେ ବ୍ୟାଙ୍କ୍ର ତତ୍କାଳୀନ ବିଜ୍ନେସ୍ କରେସ୍ପଣ୍ଡେଣ୍ଟ ପ୍ରଭାତ ଦାସ। ସେ ମୃତ ସାବିତ୍ରୀଙ୍କ ପୁଅ ବ୍ରହ୍ମଜ୍ୟୋତିକୁ ହାତବାରିସି କରିବା ସହ ବ୍ୟାଙ୍କ୍ର ଶାଖା ପ୍ରବନ୍ଧକ ଦୁର୍ଗାଚରଣ ପଣ୍ଡାଙ୍କୁ ପ୍ରଲୋଭିତ କରି ମୃତ ସାବିତ୍ରୀଙ୍କ ନାଁରେ ଏଟିଏମ୍ କାର୍ଡ କରାଇଥିଲେ। ସେହିଭଳି ମୃତ ପର୍ଶୁରାମଙ୍କ ନାଁରେ ମଧ୍ୟ ଅଭିଯୁକ୍ତ ପ୍ରଭାତ ଏଟିଏମ୍ କାର୍ଡ କରାଇନେଇଥିଲେ। କେବଳ ସେତିକି ନୁହେଁ, ଦୁଇ ମୃତକଙ୍କ ପେନ୍ସନ୍କୁ ମଧ୍ୟ ବଢ଼ାଇଦେଇଥିଲେ। ସାବିତ୍ରୀ ମାସିକ ୮୪୦୦ ଟଙ୍କା ପାଉଥିଲେ ହେଁ ତାହାକୁ ୭୦,୮୯୪ ଟଙ୍କା କରାଯାଇଥିଲା। ସେହିଭଳି ପର୍ଶୁରାମ ୧୦,୫୪୨ ଟଙ୍କା ପାଉଥିବା ବେଳେ ତାହାକୁ ୧,୯୦,୫୪୨ ଟଙ୍କା କରାଯାଇଥିଲା। ଏମିତିରେ ୨୦୧୪ ମସିହାରୁ ୨୦୧୮ ଅକ୍ଟୋବର ପର୍ଯ୍ୟନ୍ତ ମୃତକଙ୍କ ଦୁଇ ଆକାଉଣ୍ଟ ଜରିଆରେ ପେନ୍ସନ୍ ଟଙ୍କା ଉଠୁଥିଲା। ଏହି ଟଙ୍କାକୁ ବ୍ୟାଙ୍କ ଅଧିକାରୀ ପ୍ରଭାତ, ମୃତକଙ୍କ ପୁଅ ବ୍ରହ୍ମଜ୍ୟୋତି ବାଣ୍ଟି ନେଉଥିଲେ। ବ୍ରହ୍ମଜ୍ୟୋତି ଏଟିଏମ୍ କାର୍ଡ ବଳରେ ବ୍ୟାଙ୍କ୍ରୁ ଟଙ୍କା ଉଠାଇ ପ୍ରଭାତଙ୍କୁ ଦେଉଥିଲେ। ଏମିତିରେ ସାବିତ୍ରୀଙ୍କ ନାଁରେ ୬୭ ଲକ୍ଷ ଓ ପର୍ଶୁରାମଙ୍କ ନାଁରେ ୬୫ ଲକ୍ଷ ଟଙ୍କା ଉଠାଇନିଆଯାଇଥିଲା। ଓପିଆଇଡି କୋର୍ଟର ସ୍ପେସାଲ୍ ପିପି ପ୍ରଣବ କୁମାର ପଣ୍ଡା ଏହି ମାମଲା ପରିଚାଳନା କରୁଥିଲେ।