ଭୁବନେଶ୍ବର : ବାତ୍ୟା ପ୍ରକୋପରେ ଭୁବନେଶ୍ବର ଏବଂ ଏହା ଉପକଣ୍ଠର ୧୩ଟି ଆର୍‌ଆଇ ସର୍କଲରେ ଥିବା ୧୮୩ଟି ଗାଁରେ ବ୍ୟାପକ କ୍ଷୟକ୍ଷତି ହୋଇଥିବାବେଳେ ଏଥିରେ ମାତ୍ର ୬ଟି ଘର ସଂପୂର୍ଣ୍ଣ ଭାଙ୍ଗିଛି ବୋଲି ଭୁବନେଶ୍ବର ତହସିଲଦାର ଏସ୍‌ଆରସିଙ୍କୁ ରିପୋର୍ଟ ଦେଇଛନ୍ତି।

Advertisment

ଭୁବନେଶ୍ବର ତହସିଲଦାରଙ୍କ ରିପୋର୍ଟ ଅନୁଯାୟୀ, ଭୁବନେଶ୍ବର ତହସିଲ ଅଧୀନରେ ‌େମାଟ୍‌ ୧୩୨୫୬ଟି ଘର ଭାଙ୍ଗିଥିବାବେଳେ ଏଥିରୁ ସବୁଠୁ ଅଧିକ କ୍ଷତିଗ୍ରସ୍ତ ଚନ୍ଦକା ଆର୍‌ଆଇ ସର୍କଲ ହୋଇଛି। ଏଠାରେ ୨୯୮୬ଟି ଘର ଭାଙ୍ଗିଛି। ଏହାପରେ ଇଟିପୁର ଆର୍‌ଆଇ ସର୍କଲରେ ୨୦୪୦ଟି ଘର ଭାଙ୍ଗିଛି। ସବୁଠୁ କମ୍‌ କ୍ୟାପିଟାଲ୧ ଏବଂ କ୍ୟାପିଟାଲ ୨ରେ ହୋଇଛି। ଏଥିରୁ ୧୦୦୦୨ଟି ଘର ଆଂଶିକ ଭାଙ୍ଗିଥିବାବେଳେ ଏଥିରେ ୧୩୭୯ଟି ଛାତ ଘର ଏବଂ ୮୬୨୩ଟି ମାଟି ଘର ଭାଙ୍ଗିଛି। ସରକାରଙ୍କ ଘୋଷଣା ଅନୁଯାୟୀ, ସଂପୂର୍ଣ୍ଣ ଭାଙ୍ଗିଥିବା ଘର ପିଛା ୯୫,୧୦୦ଟଙ୍କା ଏବଂ ଆଂଶିକ ଘର ପିଛା ୫,୨୦୦ଟଙ୍କା ଏବଂ ଅଳ୍ପ ଘର ଭାଙ୍ଗିଥିଲେ ୩,୨୦୦ଟଙ୍କା ଦିଆଯିବ।

ସରକାରଙ୍କୁ ଦିଆଯାଇଥିବା ରିପୋର୍ଟ ଅନୁଯାୟୀ, ଭୁବନେଶ୍ବର ଆର୍‌ଆଇ ସର୍କଲରେ ସର୍ବାଧିକ ୫୯୪ଟି ପକ୍କା ଘର ଆଂଶିକ ଭାଙ୍ଗିଥିବାବେଳେ କଳାରାହଙ୍ଗରେ ୩୧୮ଟି ଏବଂ ଚନ୍ଦକାରେ ୩୧୨ଟି ପକ୍କା ଘର ଆଂଶିକ ଭାଙ୍ଗିଛି। ରେତଙ୍ଗ ଏବଂ ଇଟିପୁରରେ କୌଣସି ପକ୍କା ଘର ଭାଙ୍ଗିନାହିଁ।

ସେହିପରି ସବୁଠୁ ଅଧିକ ମାଟି ଘର ଚନ୍ଦକା ଆର୍‌ଆଇ ସର୍କଲରେ ଭାଙ୍ଗିଛି। ଏଠାରେ ୧୪୮୬ଟି ଘର ଆଂଶିକ ଭାଙ୍ଗିଛି। କିନ୍ତୁ କଳାରାହଙ୍ଗରେ ୪ଟି ଘର ସଂପୂର୍ଣ୍ଣ ଭାଙ୍ଗଛି। ଭୁବନେଶ୍ବର ଏବଂ ରେତଙ୍ଗରେ ଗୋଟିଏ ଲେଖାଏଁ ଘର ଆଂଶିକ ଭାଙ୍ଗିଛି। ଇଟିପୁରରେ ୧୪୮୦ଟି ଘର ଆଂଶିକ ଭାଙ୍ଗିଥିବାବେଳେ ବାଲିପଦାରେ ୧୨୨୬ଟି, ନଖରାରେ ୧୦୮୦ଟି, , ମେଣ୍ଢାଶାଳରେ ୯୯୨ଟି ଘର ଆଂଶିକ ଭାଙ୍ଗିଛି। କ୍ୟାପିଟାଲ-୨ ଆର୍‌ଆଇ ସର୍କଲରେ ଗୋଟିଏ ବି ଘର ଆଂଶିକ ଭାଙ୍ଗିନି। ଏହି ସର୍କଲରେ କୌଣସି ଅଞ୍ଚଳରେ କିଛି ବି ଘର ସଂପୂର୍ଣ୍ଣ କି ଆଂଶିକ ଭାଙ୍ଗିନି।

ବାତ୍ୟାରେ ୨୦୩୬ଟି କୁଡ଼ିଆ ଘର ଭାଙ୍ଗିଥିବାବେଳେ ଚନ୍ଦକାରେ ୯୪୨ଟି ଭାଙ୍ଗିଛି। ମେଣ୍ଢାଶାଳରେ ୨୨୭ଟି କୁଡ଼ିଆ ଘର ଭାଙ୍ଗିଛି। କ୍ୟାପିଟାଲ-୧ ଏବଂ କ୍ୟାପିଟାଲ-୨ରେ କିଛି ବି କୁଡ଼ିଆ ଘର ଭାଙ୍ଗିନି। ସେହିପରି ମୋଟ୍ ୧୨୧୨ଟି ଗୁହାଳ ଭାଙ୍ଗିଥିବାବେଳେ ଇଟିପୁରରେ ୩୫୦ଟି ଗୁହାଳ, ଚନ୍ଦକାରେ ୨୪୬ଟି, ପାଇକରାପୁର ଏବଂ କଳାରାହଙ୍ଗରେ ୧୧୦ଟି ଲେଖାଏଁ ଭାଙ୍ଗିଛି। କ୍ୟାପିଟାଲ ୧ ଏବଂ କ୍ୟାପିଟାଲ ୨ରେ କିଛି ବି ଗୁହାଳ ଭାଙ୍ଗିନି।