ଆମେରିକାରୁ ଫେରିଲେ ୧୩୭ ପ୍ରବାସୀ ଓଡ଼ିଆ

ଭୁବନେଶ୍ବର : କେନ୍ଦ୍ର ସରକାରଙ୍କ ‘ବନ୍ଦେ ଭାରତ’ ଯୋଜନାରେ ଆଜି ଭୋର୍‌୧୩୭ଜଣ ପ୍ରବାସୀ ଓଡ଼ିଆ ଆମେରିକାର ଚିକାଗୋ ସହରରୁ ଭୁବନେଶ୍ବର ଫେରିଛନ୍ତି। ବିମାନଟି ଚିକାଗୋରୁ ଭାୟା ଦିଲ୍ଲୀ ହୋଇ ଭୁବନେଶ୍ବର ଆସିଥିଲା। ତେବେ ବିମାନବନ୍ଦରରେ ସେମାନଙ୍କର କୌଣସି ପଞ୍ଜୀକରଣ କରାଯାଇ ନ ଥିବା ଘଟଣା ବିସ୍ମୟ ସୃଷ୍ଟି କରିଛି। ବିଜୁ ପଟ୍ଟନାୟକ ଅନ୍ତର୍ଜାତୀୟ ବିମାନବନ୍ଦର କର୍ତ୍ତୃପକ୍ଷଙ୍କ ସୂଚନା ଅନୁଯାୟୀ, ଚିକାଗୋରୁ ଏୟାର ଇଣ୍ଡିଆ ବିମାନ ଏଆଇ-୧୨୬ରେ ପ୍ରାୟ ୧୮୦ଜଣ ଯାତ୍ରୀ ଭାରତ ଫେରିଥିଲେ। ଦିଲ୍ଲୀରେ ୪୩ଜଣ ଯାତ୍ରୀ ଓହ୍ଲାଇବା ପରେ ବିମାନରେ ଥିବା ୧୩୭ଜଣ ପ୍ରବାସୀ ଓଡ଼ିଆଙ୍କୁ ନେଇ ବିମାନଟି ଭୁବନେଶ୍ବର ଆସିଥିଲା। ଏଠାରେ ରାତି ୪ଟା ୩୦ରେ ଯାତ୍ରୀମାନେ ପହଞ୍ଚିଥିଲେ। ବିମାନଟି ସକାଳ ୬ଟା ୩୦ରେ କ୍ରିଉ ସଦସ୍ୟଙ୍କୁ ନେଇ ପୁଣି ଦିଲ୍ଲୀ ଫେରି ଯାଇଥିଲା।

ଆଶ୍ଚର୍ଯ୍ୟର ବିଷୟ, ବିମାନଟି ଭୋର୍‌ ୪ଟା ୩୦ରେ ଅବତରଣ କରିଥିଲେ ହେଁ ନାମ ପଞ୍ଜୀକରଣ କରିବାକୁ ବିଏମ୍‌ସି କର୍ମଚାରୀମାନେ ଯାଇନଥିଲେ। କେବଳ ବିମାନ ଭିତରେ ସେମାନଙ୍କୁ ନାମ, ଠିକଣା ଆଦି ଲେଖିବା ପାଇଁ ଏକ ଫର୍ମ ପୂରଣ କରିବାକୁ ଦିଆଯାଇଥିଲା। ବିମାନବନ୍ଦରରେ ଓହ୍ଲାଇ‌ବା ପରେ ଯାତ୍ରୀମାନଙ୍କ ହାତରେ ସଂଗରୋଧ ଷ୍ଟାମ୍ପ୍‌ ଲଗାଯିବା ସହ ସାନିଟାଇଜର୍‌ ସ୍ପ୍ରେ ଓ ଥର୍ମାଲ୍ ସ୍କ୍ରିନିଂ ହୋଇଥିଲା। କିନ୍ତୁ ଯାତ୍ରୀମାନେ ହୋଟେଲରେ ୭ଦିନ ସଙ୍ଗରୋଧ ରହିବାର ନିୟମ ହୋଇଥିଲେ ହେଁ, କେଉଁ ହୋଟେଲକୁ ଯିବେ, କେମିତି ଯିବେ, ସେ ବ୍ୟବସ୍ଥା କରାଯାଇନଥିଲା। ଫଳରେ ବହୁ ଯାତ୍ରୀ ନିଜ ବ୍ୟବସ୍ଥାରେ ଘରକୁ ପଳାଇଥିଲେ।

ସମ୍ବନ୍ଧିତ ଖବର