ଡିଜିଟାଲ୍‌ ଯୁଗ ପରେ ତିଷ୍ଠି ରହିବାକୁ ପ୍ରସ୍ତୁତି ଚାଲିଛି

ଆଇଆଇଏମ୍‌ ସମ୍ବଲପୁର ପକ୍ଷରୁ ୧୩ତମ ବାର୍ଷିକ ଆଇଏସ୍‌ଡିଏସ୍‌ଆଇ ଅନ୍ତର୍ଜାତୀୟ ସମ୍ମିଳନୀ

ଭୁବନେଶ୍ବର : ଭାରତୀୟ ପ୍ରବନ୍ଧନ ପ୍ରତିଷ୍ଠାନ (ଆଇଆଇଏମ୍‌) ସମ୍ବଲପୁର ପକ୍ଷରୁ ୧୩ତମ ବାର୍ଷିକ ଆଇଏସ୍‌ଡିଏସ୍‌ଆଇ (ଇଣ୍ଡିଆନ ସବ୍‌କଣ୍ଟିନେଣ୍ଟ ଡିସିସନ୍‌ ସାଇନ୍‌ସେସ ଇନ୍‌ଷ୍ଟିଚ୍ୟୁଟ୍‌) ଅନ୍ତର୍ଜାତୀୟ ସମ୍ମିଳନୀ ମେ ଫେୟାର ହୋଟେଲ୍‌ରେ ଅନୁଷ୍ଠିତ ହୋଇଯାଇଛି। ଏହି ଅବସରରେ ‘ଡିଜିଟାଲ୍‌ ପରବର୍ତୀ ଯୁଗରେ ପରିବର୍ତନର ପରିଚାଳନା’ ଶୀର୍ଷକ ଆଲୋଚନାଚକ୍ର ଅନୁଷ୍ଠିତ ହୋଇଥିଲା। ଶିକ୍ଷାବିତ୍‌, ଗବେଷକମାନେ ସେମାନଙ୍କ ସନ୍ଦର୍ଭ ଉପସ୍ଥାପନ କରି ଡିଜିଟାଲ୍‌ ପରବର୍ତୀ ସମୟରେ ତିଷ୍ଠି ରହିବା ପାଇଁ ପୁନଃ ଆବିଷ୍କାରର ପ୍ରୟୋଜନ ଏବଂ ‌ଏ କ୍ଷେତ୍ରରେ ଆଇଆଇଏମ୍‌ର ପ୍ରସ୍ତୁତି ସମ୍ପର୍କରେ କହିଥିଲେ। ବିଶେଷକରି ଡିଜିଟାଲ୍‌ ପରେ କ୍ବାଣ୍ଟମ କମ୍ପ୍ୟୁଟିଂ, ବ୍ଲକ୍ ଚେନ୍‌ ସିଷ୍ଟମ, ବିଟ୍‌ କଏନ ମୁଦ୍ରା ଦେଖିବାକୁ ମିଳିବ ବୋଲି ଅତିଥିମାନେ କହିଥିଲେ।

ଉଦ୍‌ଘାଟନୀ କାର୍ଯ୍ୟକ୍ରମରେ ଆଇଆଇଏମ୍‌ର ନିର୍ଦେଶକ ପ୍ରଫେସର ମହାଦେଓ ଜୈସୱାଲ ଆଭିମୁଖ୍ୟ ସମ୍ପର୍କରେ କହିଥିଲେ। ପ୍ରଫେସର ଦୀପ୍ତିରଂଜନ ମହାପାତ୍ରଙ୍କ ଅଧ୍ୟକ୍ଷତାରେ ପ୍ରଫେସର ବିଜୟ ଆର୍‌ କାନନ, ଡ.ଅନୁରାଗ ବାତ୍ରା, ପ୍ରଫେସର ଭୀମରାୟ ମେତ୍ରି, ପ୍ରଫେସର କମଲେଶ ମେହତା ବକ୍ତବ୍ୟ ପ୍ରଦାନ କରିଥିଲେ। କାର୍ଯ୍ୟକ୍ରମରେ ୩ଶହରୁ ଅଧିକ ପ୍ରଫେସର, ସ୍କଲାର ଓ ଶିଳ୍ପ ପ୍ରବନ୍ଧକ ଯୋଗ ଦେଇଛନ୍ତି।

ସମ୍ବନ୍ଧିତ ଖବର