୧୪ ଛୁଇଁଲା କମିସନରେଟ୍‌ ପୁଲିସ : ସାଇବର ଅପରାଧ ନୂଆ ଆହ୍ବାନ

ଭୁବନେଶ୍ବର : କରୋନା ଭଳି କଠିନ ସମୟରେ କମିସନରେଟ୍‌ ପୁଲିସର କାର୍ଯ୍ୟ ଉଲ୍ଲେଖନୀୟ। ଏଥିସହିତ ଅନ୍ତଃରାଜ୍ୟ ଏଟିଏମ୍‌ ଲୁଟେରାଙ୍କୁ ଗିରଫ କରିବା, ଖାଦ୍ୟ ଅପମିଶ୍ରଣ ରୢାକେଟ୍‌କୁ ଠାବ କରିବା ଓ ବ୍ୟାଙ୍କ୍‌ ଡକାୟତଙ୍କୁ ଧରିବା ଭଳି ଅନେକ ଉଲ୍ଲେଖନୀୟ ସଫଳତା ପାଇଛି କମିସନରେଟ୍‌ ପୁଲିସ। ସଂଗଠିତ ଅପରାଧ କ୍ଷେତ୍ରରେ ମଧ୍ୟ ପୁଲିସକୁ ଅନେକ ସଫଳତା ମିଳିଛି। ତଥାପି ଅନେକ ବାଟ ଯିବାକୁ ଅଛି। ନୂଆବର୍ଷରେ ଅନେକ ନୂଆ ଆହ୍ବାନର ମୁକାବିଲା କରିବାକୁ ପଡ଼ିବ। ସମ୍ପ୍ରତି ସାଇବର ଅପରାଧ ଏକ ବଡ଼ ଆହ୍ବାନ। ଏହାର ଅନୁସନ୍ଧାନ ପାଇଁ ଅତ୍ୟାଧୁନିକ ଜ୍ଞାନକୌଶଳ ପ୍ରୟୋଗର ଆବଶ୍ୟକତା ରହିଛି। ସେହିଭଳି ମହିଳା ଓ ଶିଶୁଙ୍କ ଉପରେ ଅତ୍ୟାଚାର ମଧ୍ୟ ବଢ଼ୁଛି। ଏହା ମଧ୍ୟ କମିସନରେଟ୍‌ ପୁଲିସ ପାଇଁ ଆହ୍ବାନ ହେବ। ଏ ସବୁକୁ ନେଇ କମିସନରେଟ୍‌ ପୁଲିସର ଅଧିକାରୀମାନେ ତତ୍ପର ହୁଅନ୍ତୁ ବୋଲି ଆଜି କମିସନରେଟ୍‌ ପୁଲିସର ୧୩ ତମ ପ୍ରତିଷ୍ଠା ଦିବସରେ କହିଛନ୍ତି ପୁଲିସ ଡିଜି ଅଭୟ।

ଆଜି ପୁଲିସ ସେବାଭବନ ପରିସରରେ ଅନୁଷ୍ଠିତ ଏହି ଉତ୍ସବରେ ମୁଖ୍ୟଅତିଥି ଭାବେ ‌‌ଯୋଗ ଦେଇ ଡିଜି ଅଭୟ କମିସନରେଟ୍‌ ପୁଲିସ ଅଧିକାରୀମାନଙ୍କୁ ଏଭଳି ଅନେକ ଗୁରୁମନ୍ତ୍ର ଦେଇଛନ୍ତି। ଏହି ଅବସରରେ ପୁଲିସ କମିସନର ସୁଧାଂଶୁ ଷଡ଼ଙ୍ଗୀ କହିଛନ୍ତି ଯେ କରୋନା ମହାମାରୀ ସମସ୍ତଙ୍କ ପାଇଁ ନୂଆ ଥିଲେ ମଧ୍ୟ ପୁଲିସ ଅଧିକାରୀମାନେ ସଫଳତାର ସହ ମୁକାବିଲା କରିଛନ୍ତି। ଅତ୍ୟାବଶ୍ୟକ ସାମଗ୍ରୀ ଯୋଗାଣ ପାଇଁ ୧୮ ହଜାର ଉଠା ଦୋକାନୀଙ୍କୁ ହାଟରୁ ରାସ୍ତା କଡ଼କୁ ନିଆଯାଇଛି। ୩ ଲକ୍ଷ ୨୦ ହଜାର ଖାଦ୍ୟ ପୁଡ଼ିଆ ବଣ୍ଟା ଯାଇଥିବା ବେଳେ ପୁଲିସ କର୍ମଚାରୀ ୮୭ ୟୁନିଟ ପ୍ଲାଜ୍‌ମା ଦାନ କରିଛନ୍ତି। ୧୫୬୧ ଜଣ ସଂକ୍ରମିତ ହୋଇଥିବା ବେଳେ ୭ ଜଣ ଯୋଦ୍ଧାଙ୍କର ମୃତ୍ୟୁ ଘଟିଛି। ଗୋଟିଏ ଥାନାରେ ଏକ ସମୟରେ ୩୫ କର୍ମଚାରୀଙ୍କ ମଧ୍ୟରୁ ୨୮ ଜଣ କରୋନା ସଂକ୍ରମିତ ହୋଇଥିଲେ ମଧ୍ୟ ଥାନା ବନ୍ଦ ହୋଇ ନାହିଁ ବୋଲି ସେ କହିଥିଲେ। କାର୍ଯ୍ୟକ୍ରମରେ ଅତିରିକ୍ତ କମିସନର ରେଖା ଲୋହାନି ଧନ୍ୟବାଦ ଅର୍ପଣ କରିଥିବା ବେଳେ ଅନ୍ୟ ବରିଷ୍ଠ ଅଧିକାରୀମାନେ ଉପସ୍ଥିତ ଥିଲେ।

ସଫଳତା
କରୋନା ସଂକଟ କାଳରେ ବହୁ ବଡ଼ ବଡ଼ ଅପରାଧର ସଫଳ ତଦନ୍ତ ହୋଇଛି। ଆଇଆଇଏଫ୍‌ଏଲ୍‌ ଲୁଟ୍‌ ଘଟଣାର ସଫଳ ତଦନ୍ତ, ଏଟିଏମ୍‌ ଲୁଟ୍‌, ୨ଟି ବ୍ୟାଙ୍କ୍‌ ଡକାୟତିରେ ସଫଳତା ମିଳିଥିବା ବେଳେ ୪୩୮ ବାଇକ୍‌ ଓ ୧୯୯୯ ମୋବାଇଲ ଜବତ ହୋଇଛି। ୭ କୋଟି ଟଙ୍କାର ଅପମିଶ୍ରିତ ଖାଦ୍ୟ ନଷ୍ଟ କରାଯାଇଥିବା ବେଳେ ଏହି ମାମଲାରେ ୨୫ଜଣଙ୍କୁ ଗିରଫ କରାଯାଇଛି। ୧୬ ଜଣଙ୍କୁ ଏନ୍‌ଏସ୍‌ଏରେ ବୁକ୍‌ କରାଯାଇଥିବା ବେଳେ ୨୯ ଜଣ ଅଭ୍ୟାସଗତ ଅପରାଧୀଙ୍କୁ ତଡ଼ିପାର କରାଯାଇଛି। ଦାଦାବଟି ଅଭିଯୋଗରେ ୧୬୦ ଜଣଙ୍କୁ ଗିରଫ କରାଯାଇଛି। ଟ୍ରାଫିକ୍‌ ଉଲ୍ଲଂଘନ ବାବଦକୁ ୧୪ କୋଟି ୮୭ ଲକ୍ଷ ଟଙ୍କା ଜରିମାନା ଆଦାୟ ହୋଇଛି। ମୋ ସରକାର ବ୍ୟବସ୍ଥାରେ ୨୦୭୫ କଲ୍‌ ଆସିଥିବା‌ ବେଳେ ୧୧ଜଣଙ୍କ ଉପରେ କାର୍ଯ୍ୟାନୁଷ୍ଠାନ ଓ ୬ଜଣଙ୍କୁ ପୁରସ୍କୃତ କରାଯାଇଛି।

ଅଧିକାରୀଙ୍କୁ ପୁରସ୍କାର
ଏସିପି(ଟେରିଟୋରିଆଲ) ପ୍ରକାଶଚନ୍ଦ୍ର ପାଲ ଓ ଅମରେନ୍ଦ୍ର ପଣ୍ଡା, ଏସିପି(ଆର୍ମଡ୍‌) ସୂର୍ଯ୍ୟକାନ୍ତ ମହାନ୍ତି, ଆଇଆଇସି ଉମାକାନ୍ତ ପ୍ରଧାନ ଓ ତାପସ ପ୍ରଧାନଙ୍କୁ ସମ୍ବର୍ଦ୍ଧିତ କରାଯାଇଛି। ‌ଶ୍ରେଷ୍ଠ ଏସ୍‌ଆଇ ଭାବରେ ଗୟାନନ୍ଦ ସାହା ଓ ଚନ୍ଦ୍ରିକା ସ୍ବାଇଁ ଓ ଅନ୍ୟ ୨୩ ଜଣଙ୍କୁ ସମ୍ବର୍ଦ୍ଧିତ କରାଯାଇଛି। ସେହିଭଳି ସଫଳ ଅନୁସନ୍ଧାନ ପାଇଁ କଟକ ଅତିରିକ୍ତ ଡିସିପି ପ୍ରମୋଦ ରଥ, ସ୍ପେସାଲ୍‌ ସ୍କ୍ବାଡ୍‌ ଏସିପି ସଞ୍ଜୀବ ଶତପଥୀ, କଟକ ଏସିପି ଶୁଭନାରାୟଣ ମୁଦୁଲି, କଟକ ସ୍ପେସାଲ୍‌ ସ୍କ୍ବାଡ୍‌ ଇନ୍‌ସ୍‌ପେକ୍ଟର ଅଜୟ ଦାସ, ଏୟାର୍‌ଫିଲ୍ଡ ଥାନା ଆଇଆଇସି ଦୀପକ ମିଶ୍ର, ଜଗତପୁର ଆଇଆଇସି ରବୀନ୍ଦ୍ରନାଥ ମେହେରଙ୍କ ସମେତ ୧୪ ଜଣଙ୍କୁ ପୁରସ୍କୃତ କରାଯାଇଥିଲା। ମହାମାରୀ ସମୟରେ ଉଲ୍ଲେଖନୀୟ କାର୍ଯ୍ୟ ପାଇଁ ଅନ୍ୟ ୬୦ଜଣ ଅଫିସର ଓ କର୍ମଚାରୀଙ୍କୁ ସମ୍ବର୍ଦ୍ଧିତ କରାଯାଇଥିଲା।

ନୂଆ ଯୋଜନା
ଅପରାଧର ତରିକା ବଦଳୁଥିବାରୁ କମିସନରେଟ୍‌ ପୁଲିସ ମଧ୍ୟ ସେହି ଅନୁସାରେ ଆଧୁନିକ ହେବାର ଆବଶ୍ୟକତା ରହିଛି। ସେଥିପାଇଁ ଖୁବ୍‌ଶୀଘ୍ର ଅତ୍ୟାଧୁନିକ ନିୟନ୍ତ୍ରଣ କକ୍ଷ ସ୍ଥାପନ ହେବାକୁ ଯାଉଛି। ଏଥିରେ ଅପରାଧୀଙ୍କୁ ଚିହ୍ନଟ କରିବା ସହ ସହର ଉପରେ ନଜର ରଖାଯିବ। ଏଥିପାଇଁ ସରକାର ୫ କୋଟି ଟଙ୍କା ପ୍ରଦାନ କରିଛନ୍ତି। ସେହିଭଳି ସହର ସାରା ଉନ୍ନତମାନର ସିସିଟିଭି କ୍ୟାମେରା ମଧ୍ୟ ଲାଗିବ। ଏହା ପ୍ରଥମେ କଟକରେ କାର୍ଯ୍ୟକ୍ଷମ ହେବ। ନିକଟ ଅତୀତରେ ‌ଯେଉଁ ଏସ୍‌ପିଓ(ସ୍ପେସାଲ ପୁଲିସ ଅଫିସର) ବ୍ୟବସ୍ଥା ହୋଇଥିଲା, ତାହା ଆଗକୁ ସଶକ୍ତ ହେବାକୁ ଯାଉଛି। ବରିଷ୍ଠ ନାଗରିକଙ୍କ ସୁରକ୍ଷା ପାଇଁ ମଧ୍ୟ ସ୍ବତନ୍ତ୍ର ବ୍ୟବସ୍ଥା ହାତକୁ ନିଆଯିବ।

ସମ୍ବନ୍ଧିତ ଖବର