ରଙ୍ଗିଲା ରମେଶ ନାଁରେ ୧୪ ମାମଲା

ଗଠନ ହେଲା ଏସ୍‌ଆଇଟି,ରିମାଣ୍ଡରେ ଆସିବ ଭଉଣୀ

ଭୁବନେଶ୍ବର: ରାଜ୍ୟ ଓ ରାଜ୍ୟ ବାହାରେ ୧୭ ମହିଳାଙ୍କୁ ବିବାହ କରିଥିବା‌ ନକଲି ଡାକ୍ତର ରମେଶ ସ୍ବାଇଁ ନାଁରେ ବିଭିନ୍ନ ଥାନାରେ ୧୪ ମାମଲା ରୁଜୁ ହୋଇସାରିଲାଣି। ସବୁ ମାମଲା ଠକେଇ ସମ୍ପର୍କିତ। ଭୁବନେଶ୍ବର ମହିଳା ଥାନାରେ ୬ଟି, ଖଣ୍ଡଗିରି ଥାନାରେ ୩, ଭରତପୁର ଥାନାରେ ୨, କଟକ ମଙ୍ଗଳାବାଗ ଥାନାରେ ୨, କେନ୍ଦ୍ରାପଡ଼ା ପାଟକୁରା ଥାନାରେ ଗୋଟିଏ ଏମିତି ତା’ ନାଁରେ ୧୪ ଠକେଇ ମାମଲା ରୁଜୁ ହୋଇଛି। ଅନ୍ୟ ପକ୍ଷରେ ଠକ ରମେଶର ଭଉଣୀ ରଶ୍ମିତାକୁ ପୁଲିସ ରିମାଣ୍ଡରେ ଆଣିବ ବୋଲି କୋର୍ଟରେ ଆବେଦନ କରିଛି। ୭ ଦିନିଆ ରିମାଣ୍ଡ ପାଇଁ ପୁଲିସ ଆବେଦନ କରିଛି।

ସମସ୍ତ ମାମଲାର ତଦନ୍ତକୁ ନେଇ ଆଜି ପୁଲିସ କମିସନର ସୌମେନ୍ଦ୍ର ପ୍ରିୟଦର୍ଶୀ ସମୀକ୍ଷା କରିଛନ୍ତି। ସେ କହିଛନ୍ତି ଯେ ରମେଶ ୩/୪ ପ୍ରକାର ଠକେଇ କରୁଥିଲା। ବିବାହ ନାଁରେ ମହିଳାଙ୍କୁ ଠକୁଥିବା ବେଳେ ଚାକିରି କରାଇଦେବା, ଏମ୍‌ବିବିଏସ୍‌ରେ ଆଡ୍‌ମିସନ୍‌ କରାଇଦେବା, ନକଲି କୃଷି ଅଧିକାରୀ ବେଶରେ ବ୍ୟବସାୟୀଙ୍କୁ ଚୂନ ଲଗାଇବା, ‌କ୍ଲିନିକ୍‌ରେ ରୋଗୀଙ୍କୁ ଉପଯୁକ୍ତ ଚିକିତ୍ସା ନଦେଇ ଶୋଷଣ କରିବା ଓ ଡାକ୍ତର ଓ ଷ୍ଟାଫ୍‌ଙ୍କୁ ପାଉଣା ନଦେବା ଭଳି ଠକାମି କରୁଥିଲା।

ଏମିତିକି ସେ କୋଭିଡ୍‌ ମ୍ୟାନେଜ୍‌ମେଣ୍ଟ ନାଁରେ ରାଜ୍ୟ ବାହାରେ ମଧ୍ୟ ଠକେଇ କରିଛି ବୋଲି ନୂଆ କଥା ଉଠିଛି ଓ ପୁଲିସ ସେନେଇ ଖୋଳତାଡ୍‌ ଆରମ୍ଭ କରିଛି। ସବୁ ଠକେଇ ମାମଲାରୁ ସେ ପ୍ରାୟ ୧୦ କୋଟିରୁ ଅଧିକ ଟଙ୍କା‌ ଆୟ କରିଥିବା ଆକଳନ କରାଯାଇଛି। ତେଣୁ ତଦନ୍ତ ପ୍ରକ୍ରିୟାକୁ ସୁଦୃଢ଼ କରିବା ପାଇଁ ଏକ ଏସ୍‌ଆଇଟି(ସ୍ପେସାଲ୍‌ ଇନ୍‌ଭେଷ୍ଟିଗେସନ୍‌ ଟିମ୍‌) ଗଠନ କରାଯାଇଛି।

ପୂର୍ବରୁ ମହିଳା ଥାନା, ସାଇବର, ଆଣ୍ଟି ଫ୍ରଡ୍ ସେଲ୍ ଓ ସ୍ପେସାଲ ସ୍କ୍ବାଡ୍ ଅଧିକାରୀଙ୍କୁ ନେଇ ଟିମ୍‌ ଗଠନ କରାଯାଇଥିବା ବେଳେ ଏବେ ନୂଆ କରି ଜଣେ ଆଡିସିନାଲ୍‌ ଡିସିପି, ଚାଟାର୍ଡ ଆକାଉଟାଣ୍ଟ, ଲିଗାଲ୍‌ ଆଡ୍‌ଭାଇଜର, କାଉନସେଲିଂ ଅଧିକାରୀଙ୍କୁ ସାମିଲ୍‌ କରାଯାଇଛି। ଆର୍ଥିକ କାରବାରର ତଦନ୍ତ ପାଇଁ ତା’ ନାଁରେ ରହିଥିବା ସମସ୍ତ ବ୍ୟାଙ୍କ୍‌କୁ ରିପୋର୍ଟ ମଗାଯାଇଛି। ଆଜି ପୁଲିସ କମିସନରଙ୍କ ଉପସ୍ଥିତିରେ ଡିସିପି ଉମାଶଙ୍କର ଦାସ, ସ୍ପେସାଲ୍‌ ସ୍କ୍ବାଡ୍‌ ଏସିପି ସଞ୍ଜୀବ ଶତପଥୀ ଓ ଏସ୍‌ଆଇଟି ଟିମ୍‌ ଆଲୋଚନା କରିଥିଲେ। ଡିସିପି ଶ୍ରୀ ଦାଶଙ୍କ ତତ୍ତ୍ବାବଧାନରେ ସମସ୍ତ ତଦନ୍ତ ଜାରି ରହିବ ବୋଲି ନିଷ୍ପତ୍ତି ହୋଇଛି।

ନିର୍ବାଚନ ଲଢ଼ିଥିଲେ ପ୍ରଥମ ପତ୍ନୀ

ଏବେ ଧୂର୍ତ୍ତ ରମେଶ ଦ୍ବିତୀୟ ପର୍ଯ୍ୟାୟ ରିମାଣ୍ତରେ ପୁଲିସ ଜେରାର ସମ୍ମୁଖୀନ ହେଉଛି। ପୁଲିସର ବହୁ ପ୍ରଶ୍ନକୁ ସେ ବଡ଼ ଚତୁରତାର ସହ ଫାଙ୍କି ଦେଉଥିବା ଜଣାପଡ଼ିଛି। କିନ୍ତୁ କିଛି ପ୍ରଶ୍ନରେ ତା’ ପାଟି ଖନି ମାରିଯାଉଛି। ତେବେ ଜଣାପଡ଼ିଛି ଯେ ତା’ ପ୍ରଥମ ପତ୍ନୀ ଏକଦା ବିଧାୟକ ପଦ ପାଇଁ ସ୍ବାଧୀନ ପ୍ରାର୍ଥୀ ଭାବେ ନିର୍ବାଚନ ଲଢ଼ିଥିଲେ। ଅବଶ୍ୟ ସେ ଉକ୍ତ ନିର୍ବାଚନରେ ହାରି ଯାଇଥିଲେ। ତେଣୁ ଠକାମି ଅର୍ଥରେ ସେ ନିର୍ବାଚନ ଖର୍ଚ୍ଚ ତୁଲାଇଥିବା କୁହାଯାଉଛି। ଏସବୁ ଅଭିଯୋଗର ସତ୍ୟାସତ୍ୟ ଜାଣିବା ପାଇଁ ଏକ ସ୍ବତନ୍ତ୍ର ପୁଲିସ ଟିମ୍‌ କାମାକ୍ଷାନଗରସ୍ଥିତ ରମେଶ ଘରକୁ ଯିବ। ସେଠାରେ ପ୍ରଥମ ପତ୍ନୀଙ୍କୁ ଭେଟି ପଚରାଉଚରା କରିବା ସହ ସମ୍ପତ୍ତିର ଆକଳନ କରିବ। ସେହିଭଳି ରମେଶର ଠକ ସାମ୍ରାଜ୍ୟ ପଛରେ ତାଙ୍କର କି ଭୂମିକା ରହିଛି, ସେବାବଦରେ ପୁଲିସ ଟିମ୍‌ ଛାନ୍‌ଭିନ୍ କରିବ।

ସମ୍ବନ୍ଧିତ ଖବର