ଜମି ଦେବା ବାହାନାରେ ୧୪ ଲକ୍ଷ ଚଳୁ, ମନ୍ଦିରରୁ ନକଲି ପୂଜକ ଗିରଫ

ଧଉଳି: ରାଜଧାନୀରେ ଜମି ଦେବାକୁ କହି ୧୪ ଲକ୍ଷ ଟଙ୍କା ଚଳୁ କରିଥିବା ଅଭିଯୋଗରେ ଆଜି ଧଉଳି ଥାନା ପୁଲିସ ଜଣେ ଯୁବକଙ୍କୁ ଗିରଫ କରିଛି। ଅଭିଯୁକ୍ତ ହେଲା ଧଉଳି ଥାନା ପଳାଶପୁର ଗ୍ରାମର କଳିଙ୍ଗ ପଣ୍ଡା(୪୫)। ଟଙ୍କା ଠକିନେବା ପରେ ଧୂର୍ତ୍ତ କଳିଙ୍ଗ ନକଲି ପୂଜକ ସାଜି କେନ୍ଦୁଝରରେ ଏକ ମନ୍ଦିରରେ ଆତ୍ମଗୋପନ କରିଥିବା ବେଳେ ପୁଲିସ ତାକୁ ଉଠାଇଛି।

ଅଭିଯୋଗ ଅନୁସାରେ ବ୍ୟବସାୟୀ ରଶ୍ମିରଞ୍ଜନ ସ୍ବାଇଁଙ୍କୁ ଏକ ଜମି ଦେବ ବୋଲି କହି କଳିଙ୍ଗ ତାଙ୍କଠାରୁ ୧୪ ଲକ୍ଷ ଟଙ୍କା ନେଇଥିଲା। ମାତ୍ର ଟଙ୍କା ପାଇବା ପରେ ସେ ହଠାତ୍ କେଉଁଆଡ଼େ ଅନ୍ତର୍ଧାନ ହୋଇଯାଇଥିଲା। ଗତ ଅକ୍ଟୋବର ମାସରୁ ସେ ଗାଁରୁ ନିଖୋଜ ହୋଇଯିବା ପରେ ରଶ୍ମିରଞ୍ଜନଙ୍କ ଭଳି କିଛି ଲୋକଙ୍କୁ ଚୁନ ଲଗାଇଥିବା କଥା ପଦାକୁ ଆସିଥିଲା। ତେଣୁ ରଶ୍ମିରଞ୍ଜନ ଧଉଳି ଥାନାରେ ଲିଖିତ ଅଭିଯୋଗ କରିଥିଲେ। ମାତ୍ର ଧୂର୍ତ୍ତ କଳିଙ୍ଗ କେନ୍ଦୁଝର ପଳାଇ ସେଠାରେ ଏକ ମନ୍ଦିରରେ ପୂଜକ ଭାବେ ରହିଥିଲା। ତେବେ ଠକାମିର ଶିକାର ହୋଇଥିବା ଲୋକମାନେ କଳିଙ୍ଗକୁ ଖୋଜିଖୋଜି ଉକ୍ତ ମନ୍ଦିରରେ ଥିବା ଜାଣିବାକୁ ପାଇଥିଲେ। ସେମାନେ କଳିଙ୍ଗକୁ କାବୁ କରି ଆଜି ଥାନାକୁ ହସ୍ତାନ୍ତର କରିଥିଲେ।

ସମ୍ବନ୍ଧିତ ଖବର