ଜମି ଦେବା ନାଁରେ ୧୪ଲକ୍ଷ ଠକେଇ, ଜଣେ ଗିରଫ

ପୁରୁଣା ଭୁବନେଶ୍ୱର: ଜମି ଦେବା ନାଁରେ ଠକେଇ କରିବା ଅଭିଯୋଗରେ ଏୟାରପୋର୍ଟ ଥାନା ପୁଲିସ ଜଣେ ବ୍ୟକ୍ତିକୁ ଗିରଫ କରି କୋର୍ଟ ଚାଲାଣ କରିଛି। ଗିରଫ ବ୍ୟକ୍ତି ହେଲା ସେହି ଥାନା ଅଧୀନ ପୋଖରୀପୁଟ ଅନନ୍ତ ବିହାର ଫେଜ-୨ର ପୀତାମ୍ବର ପରିଡ଼ା (୬୮)। ପୁଲିସ ସୂଚନା ଅନୁଯାୟୀ ଭୀମଟାଙ୍ଗି ଅଞ୍ଚଳର ବିଶ୍ବନାଥ ଦାସ ଏକ ଜମି କିଣିବାକୁ ପୀତାମ୍ବରଙ୍କ ସହ ଯୋଗାଯୋଗ କରିଥିଲେ। ତାଙ୍କୁ ନିଜର ଏକ ପ୍ଲଟ ଦେବାର ପ୍ରତିଶ୍ରୁତି ଦେଇ ବିଶ୍ୱନାଥଙ୍କ ନିକଟରୁ ୩ଟି କିସ୍ତିରେ ମୋଟ ୧୪ଲକ୍ଷ ଟଙ୍କା ନେଇଥିଲା। ଟଙ୍କା ନେବା ପରେ ସେ ଆଉ ଧରାଛୁଆଁ ଦେଇନଥିଲା। ପରେ ଭୀମଟାଙ୍ଗୀ ଅଞ୍ଚଳର କିଛି ବରିଷ୍ଠ ନାଗରିକଙ୍କ ସହଯୋଗରେ ଉଭୟଙ୍କ ମଧ୍ୟରେ ଏକ ଚୁକ୍ତିନାମା ସ୍ବାକ୍ଷରିତ ହୋଇଥିଲା। ଚୁକ୍ତିନାମା ଅନୁଯାୟୀ ପୀତାମ୍ବର ଗତ ଏପ୍ରିଲ ମାସ ମଧ୍ୟରେ ଟଙ୍କା ଫେରସ୍ତ ଦେବାର ଥିଲେ ମଧ୍ୟ ଫେରାଇ ନଥିଲା। ଏନେଇ ବିଶ୍ୱନାଥ ଏୟାରପୋର୍ଟ ଥାନାରେ ଅଭିଯୋଗ କରିଥିଲେ।

ଦୁଷ୍କର୍ମ ଅଭିଯୁକ୍ତ ଗିରଫ

ଭୁବନେଶ୍ବର: ଆଜି ମହିଳା ଥାନା ପୁଲିସ ଜଣେ ଦୁଷ୍କର୍ମ ଅଭିଯୁକ୍ତକୁ ଗିରଫ କରିଛି। ସେ ହେଲା ପୁରୀ କାକଟପୁର ଅଞ୍ଚଳର ରଞ୍ଜନ କୁମାର ମଲ୍ଲିକ(୨୭)। ପୁଲିସ ସୂଚନାନୁସାରେ ରଞ୍ଜନ ଭଲ ପାଇିବାର ଛଳନା କରି ଜଣେ ଯୁବତୀଙ୍କ ସହ ଘନିଷ୍ଠତା ବଢ଼ାଇଲା। ଏକଦା ଜନ୍ମ ଦିନ ପାଳନ ଅବସରରେ ବିବାହର ମିଥ୍ୟା ପ୍ରତିଶ୍ରୁତି ଦେଇ ତାଙ୍କ ସହ ଶାରୀରିକ ସମ୍ପର୍କ ସ୍ଥାପନ କଲା। ଏହାପରେ ବିଭିନ୍ନ ବାହାନା କରି ବିବାହ ଗଡ଼ାଇ ଚାଲିବା ସହ ବାରମ୍ବାର ବଳପୂର୍ବକ ଦୁଷ୍କର୍ମ କରିଥିଲା। ପ୍ରତାରଣାର ଶିକାର ହେବା ପରେ ପୀଡ଼ିତାଜଣକ ମହିଳା ଥାନାର ଦ୍ବାରସ୍ଥ ହୋଇଥିଲେ।

ସମ୍ବନ୍ଧିତ ଖବର