ରେଲୱେ ଚାକିରି ନାଁରେ ୧୪ଲକ୍ଷ ଠକେଇ: କୋଲକାତାରୁ ଧରା ହେଲା ଠକ

ଭୁବନେଶ୍ବର: ରେଲୱେରେ ଚାକିରି କରାଇଦେବା ନାଁରେ ୧୪ଲକ୍ଷ ଟଙ୍କା ଠକେଇ ଅଭିଯୋଗରେ ସହିଦନଗର ଥାନା ପୁଲିସ ଠକକୁ କୋଲକାତାରୁ ଗିରଫ କରିଛି। ସେ ହେଲା କୋଲକାତା ମହାତ୍ମାଗାନ୍ଧୀମାର୍ଗ ତିଳୋତ୍ତମା ଆପାର୍ଟମେଣ୍ଟର ମହମ୍ମଦ ଆକ୍ରମ(୪୨)।

ସୂଚନା ମୁତାବକ, ୨୦୧୯ ମସିହାରେ ଆକ୍ରମ ସହ ବାଣୀବିହାରର ବୀରେନ୍ଦ୍ର ସିଂହ ନାମକ ଜଣେ ଛାତ୍ରଙ୍କ ଭେଟ ହୋଇଥିଲା। ଆକ୍ରମ ‌ନିଜକୁ ରେଲୱେର ଜଣେ ଅଧିକାରୀ ପରିଚୟ ଦେଇଥିଲା। ବଡ଼ ବଡ଼ ଅଧିକାରୀଙ୍କ ସହ ସମ୍ପର୍କ ଅଛି। ତମେ ଯଦି ରେଲୱେରେ ଚାକିରି କରିବ କୁହ। ଏମିତି କହି ବୀରେନ୍ଦ୍ରଙ୍କୁ ପାଲରେ ପକାଇଥିଲା। ବୀରେନ୍ଦ୍ରଙ୍କ ମନେରେ ବିଶ୍ବାସ ଆଣିବା ପାଇଁ ରେଲ୍‌ୱେର ସର୍ଭିସ କାର୍ଡ ଦେଖାଇଥିଲା। ଚାକିରି ପାଇଁ ୨୦ଲକ୍ଷ ଟଙ୍କା ଲାଗିବ ବୋଲି କହିଥିଲା। ବୀରେନ୍ଦ୍ର ଆଗ୍ରହ ଦେଖାଇବା ପରେ ବିଭିନ୍ନ ପର୍ଯ୍ୟାୟରେ ଫୋନ୍‌ ପେ’, ଗୁଗଲ ପେ’, ଆକାଉଣ୍ଟ ମାଧ୍ୟମରେ ପାଖାପାଖି ୧୪ ଲକ୍ଷ ଟଙ୍କା ନେଇଥିଲା।

ଟଙ୍କା‌ ନେବା ପରେ ଚାକିରି ତ ଦୂରର କଥା ଆଉ ଧରାଛୁଆଁ ଦେଇନଥିଲା। ଏନେଇ ବୀରେନ୍ଦ୍ର ଥାନାରେ ଅଭିଯୋଗ ପରେ ପୁଲିସ ଏକ ମାମଲା ରୁଜୁକରି ଘଟଣାର ତଦନ୍ତ ଜାରି ରଖିଥିଲା। ଠିକଣା ଠାବ ହେବାପରେ ପୁଲିସର ଏକ ଟିମ୍‌ କୋଲକାତାସ୍ଥିତ ଆକ୍ରମ ଘରେ ଚଢ଼ଉ କରି ତାକୁ ଗିରଫ କରିଥିଲା। ଆଜି ତାକୁ ଥାନାକୁ ଆଣି ପଚରାଉଚରା ପରେ କୋର୍ଟ ଚାଲାଣ କରାଯାଇଛି।

ସମ୍ବନ୍ଧିତ ଖବର