ଭୁବନେଶ୍ବର : କୋଭିଡ୍ ଦ୍ବିତୀୟ ଲହର ବେଳେ ଫୁସ୍ଫୁସ ସଂକ୍ରମିତ ହୋଇ କେତେ ଯେ ଅମୂଲ୍ୟ ଜୀବନ ଯାଇଛି, ତା’ର ହିସାବ ନାହିଁ। ସେହି ସମୟରେ ଏକ୍ମୋ ବା କୃତ୍ରିମ ଫୁସ୍ଫୁସକୁ ଜୀବନ ରକ୍ଷାକାରୀ ଭାବରେ ଦେଖାଯାଉଥିଲା। ସମ୍ବଲପୁର, ବ୍ରହ୍ମପୁର କଥା ଦୂରେ ଥାଉ, ଏମ୍ସ କିମ୍ବା ଏସ୍ସିବି ଭଳି ରାଜ୍ୟର କୌଣସି ସରକାରୀ ଡାକ୍ତରଖାନାରେ ଏକ୍ମୋ ନଥିଲା। ତେଣୁ ସେତେବେଳେ ଲକ୍ଷାଧିକ ଟଙ୍କା ଖର୍ଚ୍ଚ କରାଯାଇ ଅନେକ ରୋଗୀଙ୍କୁ ସବୁଜ କରିଡର କରାଯାଇ ବାହାର ରାଜ୍ୟକୁ ପଠାଯାଇଛି। ମାତ୍ରାଧିକ ଖର୍ଚ୍ଚ ଯୋଗୁ ରୋଗୀଙ୍କ ପରିବାର ସର୍ବସ୍ବାନ୍ତ ହୋଇଛନ୍ତି ତ ଅନେକ କ୍ଷେତ୍ରରେ ଏକ୍ମୋ ଚିକିତ୍ସା ପରେ ବି ରୋଗୀଙ୍କ ଜୀବନ ରକ୍ଷା କରାଯାଇପାରିନାହିଁ।
ଜଟିଳ ସ୍ବାସ୍ଥ୍ୟଗତ ସ୍ଥିତିକୁ ଦେଖି ଏମ୍ସ ଭୁବନେଶ୍ବର ପକ୍ଷରୁ ୨୦୨୧ ଜୁନ୍ରେ ୨ଟି ଏକ୍ମୋ ମେସିନ୍ ଅଣାଯିବ ବୋଲି ଘୋଷଣା ହୋଇଥିଲା। ଜୁଲାଇରେ ଗୋଟିଏ ମେସିନ୍ ଉଦ୍ଘାଟିତ ହେଲା। ଏସ୍ସିବିରେ ଏକ୍ମୋ ଅନୁପଯୋଗ ହୋଇରହିଛି। କିନ୍ତୁ ଏମ୍ସରେ ଦେଢ଼ ବର୍ଷ ମଧ୍ୟରେ ୧୪ ଜଣ ରୋଗୀ ଏକ୍ମୋର ସୁବିଧା ନେଇଛନ୍ତି। ଏଥିରେ କୋଭିଡ୍ ସମୟରେ ୪ ଜଣ ଏବଂ ଅଣକୋଭିଡ୍ ରୋଗୀ ୧୦ ଜଣ ରହିଥିବା ନେଇ ସୂଚନା ଦେଇଛନ୍ତି ଅଧୀକ୍ଷକ ପ୍ରଫେସର ଦିଲ୍ଲୀପ ପରିଡ଼ା। ସର୍ବକନିଷ୍ଠ ୨୨ ମାସର ଜଣେ ଶିଶୁଙ୍କ ଶରୀରରେ ଏକ୍ମୋ ଲଗାଇ ଫୁସ୍ଫୁସ ସଫା କରାଯାଇଥିଲା। ଯାହାକି ସମଗ୍ର ଦେଶରେ ଉଦାହରଣ ସୃଷ୍ଟି କରିଥିଲା। ହୃଦ୍ଶଲ୍ୟ ବିଭାଗ ଅନ୍ତର୍ଗତରେ ଏକ୍ମୋ ପରିଚାଳିତ ହେଉଛି।
ଏକ୍ମୋ ବା କୃତ୍ରିମ ଫୁସ୍ଫୁସ ଶରୀରରୁ ରକ୍ତକୁ ବାହାରକୁ ଆଣି ପରିଷ୍କାର କରିବା ପରେ ପୁଣିଥରେ ଅମ୍ଳଜାନ ସହିତ ଶରୀର ଭିତରକୁ ଛାଡ଼େ। ଉଭୟ ହୃଦ୍ରୋଗ ଏବଂ ଶ୍ବାସରୋଗ (ପଲ୍ମୋନାରି) ବିଭାଗରେ ଏହାର ବ୍ୟବହାର ହୋଇଥାଏ। ଫୁସ୍ଫୁସ କିମ୍ବା ହୃତ୍ପିଣ୍ଡ ଗୁରୁତର ପ୍ରଭାବିତ ହୋଇଛି। କିନ୍ତୁ କିଛି ଦିନ ମଧ୍ୟରେ ସ୍ଥିତି ସ୍ବଭାବିକ ହୋଇଯିବ ଏବଂ ଫୁସ୍ଫୁସ ପ୍ରତିରୋପଣ କରାଯିବାକୁ ଥିଲେ ସର୍ବାଧିକ ଏକ ମାସ ପର୍ଯ୍ୟନ୍ତ ରୋଗୀଙ୍କ ଶରୀରରେ ଏକ୍ମୋ ଲଗାଯାଇପାରେ। ଶିଶୁଙ୍କ ହୃତ୍ପିଣ୍ଡ ଅସ୍ତ୍ରୋପଚାର କରାଯାଇଛି, କିନ୍ତୁ ବାଇପାସ୍ ମେସିନରୁ ବାହାରକୁ ଆସି ନପାରିଲେ ଏକ୍ମୋ ଲଗାଯାଏ। ଏମ୍ସରେ ବର୍ତ୍ତମାନ ପର୍ଯ୍ୟନ୍ତ ରୋଗୀଙ୍କଠାରେ ସର୍ବାଧିକ ୫ରୁ ୧୦ ଦିନ ପର୍ଯ୍ୟନ୍ତ ଏକ୍ମୋ ଲଗାଇଯାଇଛି।
ଏମ୍ସରେ ଏକ୍ମୋର ପ୍ରଥମ ବ୍ୟବହାର ୨୦୨୧ ଅଗଷ୍ଟରେ ଢେଙ୍କାନାଳର ଜଣେ ଦୁଇ ବର୍ଷ ବୟସର ନିମୋନିଆ ପୀଡ଼ିତ ରୋଗୀଙ୍କ ଶରୀରରେ ଲଗାଯାଇଥିଲା। ସେବେଠାରୁ ନିୟମିତ ଭାବରେ ଏକ୍ମୋ ଚିକିତ୍ସା ଏମ୍ସରେ ଜାରି ରହିଛି। ଏଥିପାଇଁ ସ୍ବତନ୍ତ୍ର ଏକ୍ମୋ ଟିମର ଗଠନ କରାଯାଇଛି। ଏଥିରେ ହୃଦ୍ଶଲ୍ୟ, ନିଶ୍ଚେତକ, ଶିଶୁ ଏବଂ ଫୁସ୍ଫୁସ ରୋଗ ବିଶେଷଜ୍ଞ ରହିଛନ୍ତି। ଏକ୍ମୋ ପ୍ରଶିକ୍ଷଣପ୍ରାପ୍ତ ପାରାମେଡିକାଲ କର୍ମଚାରୀଙ୍କ ନିଯୁକ୍ତି ହୋଇଛି। ପର୍ଫ୍ୟୁଜେନ୍ ଟେକ୍ନିସିଆନ୍ ଏହାର ପରିଚାଳନା କରନ୍ତି। କୋଭିଡ୍ ପରେ ହୃତ୍ପିଣ୍ଡର ବାଇପାସ୍ ସର୍ଜରି ସମେତ ସମସ୍ତ ଥୋରାସିକ୍ ସର୍ଜରି (ଛାତି ଅସ୍ତ୍ରୋପଚାର)ରେ ୧୦ ଜଣ ରୋଗୀଙ୍କ ଠାରେ ଏକ୍ମୋ ଲଗାଯାଇ ଚିକିତ୍ସା କରାଯାଇଛି। ଆଗାମୀ ଦିନରେ ଏକ୍ମୋ ଅଧିକ ସଂଖ୍ୟକ ରୋଗୀଙ୍କ ଜୀବନ ବଞ୍ଚାଇବା ନେଇ ଆଶା ରହିଛି।