ଶ୍ରୀଲିଙ୍ଗରାଜ ମହାପ୍ରଭୁଙ୍କ ନାଁକୁ ଫେରିବ ୧୪୨ ଏକର ଜମି

କଟକ : ୧୪୨ ଏକର ୨୩୦ ‌ଡେସିମିଲ ଜମି ଶ୍ରୀଲିଙ୍ଗରାଜ ମହାପ୍ରଭୁଙ୍କ ନାଁକୁ ଫେରିବ। ଏ ନେଇ ରାଜସ୍ବ ପର୍ଷଦ ନିର୍ଦ୍ଦେଶ ଦେଇଛନ୍ତି। ୬ଟି ମୌଜା‌ରେ ଥିବା ଏହି ଜମି ଲିଙ୍ଗରାଜ ମହାପ୍ରଭୁଙ୍କ ନାଁରେ ରେକର୍ଡ କରିବା ସପକ୍ଷରେ ରାୟ ପ୍ରକାଶ ପାଇଛି। ଭୁବନେଶ୍ବର ମୌଜାର ୟୁନିଟ୍‌-୨୭ରେ ଥିବା ୧୩. ୭୯୪ ଏକର, ଭୀମପୁର ୟୁନିଟ-୨୨ର ୪୬.୯୯୭ ଏକର, କପିଳପ୍ରସାଦର ୪୩.୮୭୬ ଏକର, ରାଜାରାଣୀର ୬.୧୮୧ ଏକର, ଗୌତମନଗରର ୩୦.୭୪୨ ଏକର, ହରିପୁରପାଟଣାରେ ଥିବା ୦.୬୪୦ ଏକର ଜମି ଶ୍ରୀ ଲିଙ୍ଗରାଜଙ୍କ ନାଁ‌ରେ ରେକର୍ଡଭୁକ୍ତ ହେବ। ମୋଟ ୧୧୦୫ଟି ପ୍ଲଟ ଏଥିରେ ଅନ୍ତର୍ଭୁକ୍ତ। ୩୦ ବର୍ଷ ଧରି ଏ ନେଇ ଜାରି ରହିଥିବା ଆଇନଗତ ପ୍ରକ୍ରିୟାର ଏଥି ସହିତ ପରିସମାପ୍ତି ହୋଇଛି।

ମାମଲାର ବିବରଣୀରୁ ପ୍ରକାଶ ଯେ ଭୁବନେଶ୍ବର ଶ୍ରୀ ଲିଙ୍ଗରାଜ ମହାପ୍ରଭୁ ବ‌ିଜେଙ୍କ ନାଁରେ ଏହି ୬ଟି ମୌଜାରେ ଥିବା ସଂପତ୍ତି ୧୯୭୪, ମାର୍ଚ୍ଚ ୧୮ରେ ଭେଷ୍ଟିଂ ପରେ ସରକାରୀଙ୍କ ଖାତାରେ ‌ରେକର୍ଡ ହୋଇଥିଲା। ଏହି ସଂପତ୍ତି ଫେରି ପାଇବା ପାଇଁ ଜମିଦାରୀ ଉଚ୍ଛେଦ ଆଇନର ଧାରା ୭-କ’ରେ ୧୯୯୧, ଜୁନ ୨୮ରେ ଶ୍ରୀଲିଙ୍ଗରାଜ ମନ୍ଦିର ପ୍ରଶାସନର ନିର୍ବାହୀ ଅଧିକାରୀ ତିନୋଟି ପୃଥକ ଆବେଦନ କରିଥିଲେ। ଏହାପରେ ସାବିକ ପ୍ଲଟ ଗୁଡିକର ହାଲ ପ୍ଲଟ୍‌ ସଂପର୍କିତ ତଥ୍ୟ ଦାଖଲ କରି ରାଜସ୍ବ ପର୍ଷଦଙ୍କ ନିକଟରେ ବିଚାରାଧୀନ ଆବେଦନରେ ସଂଶୋଧନ ପାଇଁ ନିର୍ବାହୀ ଅଧିକାରୀ ପିଟିସନ ଦାଖଲ କରିଥିଲେ। ସଂଶୋଧନ ପିଟିସନକୁ ରାଜସ୍ବ ପର୍ଷଦ ସଦସ୍ୟ ଗ୍ରହଣ କରିବା ସହିତ ଉଲ୍ଲେଖ କରାଯାଇଥିବା ଜମିର ସାବିକ ତଥା ହାଲ ରେକର୍ଡ ଓ ଏ ସଂପର୍କିତ ସବିଶେଷ ବିବରଣୀ ତଲବ କରିଥିଲେ। ଭୁବନେଶ୍ବର ତହସିଲ ଓ ଶ୍ରୀଲିଙ୍ଗରାଜ ମନ୍ଦିର କର୍ତ୍ତୃପକ୍ଷଙ୍କ ପକ୍ଷରୁ ପ୍ରସ୍ତୁତ ଯୁଗ୍ମ ତଦନ୍ତ ରିପୋର୍ଟରେ ଖୋର୍ଦ୍ଧା ଜିଲ୍ଲାପାଳଙ୍କ ପ୍ରତିସ୍ବାକ୍ଷର ରହିଥିଲା। ଏହି ରିପୋର୍ଟ ସାଧାରଣ ପ୍ରଶାସନ ବିଭାଗ ତରଫରୁ ୨୦୧୯, ଜୁଲାଇ ୨୯ରେ ରାଜସ୍ବ ପର୍ଷଦଙ୍କ ନିକଟରେ ଦାଖଲ କରାଯାଇଥିଲା। ହାଲ ଆରଓଆର (ରେକର୍ଡ ଅଫ୍ ରାଇଟ୍ସ)ରେ ସାଧାରଣ ପ୍ରଶାସନ ବିଭାଗ ନାଁରେ ରେକର୍ଡ କରାଯାଇଥିବା ଜମିର ତାଲିକା ୨୦୨୨, ମେ ୧୧ରେ ସାଧାରଣ ପ୍ରଶାସନ ବିଭାଗ ତରଫରୁ ଦାଖଲ କରାଯାଇଥିଲା। ଶ୍ରୀ ଲିଙ୍ଗରାଜ ମହାପ୍ରଭୁଙ୍କ ପକ୍ଷରୁ ଉପସ୍ଥାପନ କରାଯାଇଥିବା ଦାବିକୁ ବିଚାରକୁ ନେଇ ରାଜସ୍ବ ପର୍ଷଦ ଉପରୋକ୍ତ ରାୟ ପ୍ରକାଶ କରିଛନ୍ତି।

ସମ୍ବନ୍ଧିତ ଖବର