ବାଲିଅନ୍ତାରେ ଫାଟୁଆ : ୧୪୭ ଆକ୍ରାନ୍ତ, ୧୫ ମେଣ୍ଢା ମୃତ

ବାଲିଅନ୍ତା : ବାଲିଅନ୍ତା ବ୍ଲକ ତଥା ପଞ୍ଚାୟତ ଅଧୀନ ଭୁବନପୁର ଗ୍ରାମରେ ଗତ କିଛି ଦିନ ହେବ ଫାଟୁଆ ରୋଗରେ ଶତାଧିକ ଗାଈ ବାଛୁରୀ ସମେତ ମଇଁଷି ଆଦି ଆକ୍ରାନ୍ତ ହୋଇଥିବା ଜଣାପଡ଼ିଛି। ରୋଗ ନିରାକରଣ ପାଇଁ ଉପଯୁକ୍ତ ପ୍ରତିଷେଧକ ବ୍ୟବସ୍ଥା ତଥା ଦାୟିତ୍ୱରେ ଥିବା ପଶୁ ଚିକିତ୍ସକ ଓ ଅଧିକାରୀଙ୍କ ଚରମ ଅବହେଳା ଯୋଗୁଁ ଏହି ଭୂତାଣୁଜନିତ ରୋଗ ଏବେ ପଶୁ ସଂପଦ ବିକାଶ ବିଭାଗର ସଂପୂର୍ଣ୍ଣ ନିୟନ୍ତ୍ରଣ ବାହାରକୁ ଚାଲିଯାଇଥିବା ସ୍ଥାନୀୟ ଗୋ-ପାଳକମାନେ ଅଭିଯୋଗ କରିଛନ୍ତି। ଏ ସଂପର୍କରେ ସମବେତ ଅଭିଯୋଗକାରୀମାନେ ଆସନ୍ତାକାଲି ବାଲିଅନ୍ତା ବ୍ଲକ ସମ୍ମିଳନୀ କକ୍ଷରେ ଆୟୋଜିତ ହେବାକୁ ଥିବା ଖୋର୍ଧା ଜିଲ୍ଲାପାଳକଙ୍କ ଜନ ଶୁଣାଣି ଶିବିରରେ ଅଭିଯୋଗ କରିବେ ବୋଲି ଗ୍ରାମର ଶ୍ୟାମଶୁନ୍ଦର ବେହେରା ଜଣାଇଛନ୍ତି। ଏନେଇ ସ୍ଥାନୀୟ ଅଞ୍ଚଳର ଗୋପାଳକମାନଙ୍କ ମଧ୍ୟରେ ଘୋର ଅସନ୍ତୋଷ ପ୍ରକାଶ ପାଇଛି।

ପ୍ରାପ୍ତ ସୂଚନାନୁଯାୟୀ, ଭୁବନପୁର ଗ୍ରାମର ଶିବ ବେହେରାଙ୍କର ୧୨ଟି ଗାଈ ଓ ବାଛୁରୀ ସହ ୨୦ ମଇଁଷି, ଗୋବିନ୍ଦ ବେହେରାଙ୍କ ୨୦ ଗାଈ ଓ ୨୦ ମଇଁଷି, ବାବାଜୀ ବେହେରାଙ୍କ ୧୫ ମଇଁଷି, ବାପି ବେହେରାଙ୍କ ୨୦ ଗାଈ, ବାସୁଦେବ ବେହେରାଙ୍କ ୨୦ ଗାଈ ଏବେ ଫାଟୁଆରେ ଆକ୍ରନ୍ତ ହୋଇଥିବା ବେଳେ ତାଙ୍କର ୧୫ଟି ମେଣ୍ଢାଙ୍କର ମୃତ୍ୟୁ ଘଟିଥିବା ଗ୍ରାମର ଅନ୍ୟତମ ଜଣେ ଗୋ-ପାଳକ ନୀଳମାଧବ ବେହେରା କହିଛନ୍ତି। ଦୀର୍ଘ ଦିନ ହେବ ଏଠାରେ ଥିବା ପ୍ରାଣୀ ଚିକିତ୍ସା କେନ୍ଦ୍ର ଠିକ୍‌ ସମୟରେ ଖୋଲୁ ନଥିବା ବେଳେ ଅଧିକାଂଶ ସମୟରେ ଏହା ବନ୍ଦ ରହୁଥିବା ଅନେକ ଗୋପାଳକ ଅଭିଯୋଗ କରିଛନ୍ତି। ଫଳରେ ସେମାନଙ୍କର ଗୃହପାଳିତ ପଶୁମାନଙ୍କୁ ଆବଶ୍ୟକ ଚିକିତ୍ସା ସେବା ମିଳୁନଥିବା ଜଣାପଡ଼ିଛି। ଏ ସଂପର୍କରେ ବେଣୁପୁରସ୍ଥିତ ପ୍ରାଣୀ ଚିକିତ୍ସା କେନ୍ଦ୍ରର ବିଭିଓ ଡ. ଏସ୍‌ ପାର୍ଥସାରଥିଙ୍କୁ ପଚାରିବାରେ ଏ ବିଷୟରେ ତାଙ୍କ ପାଖରେ ସେଭଳି କୌଣସି ଅଭିଯୋଗ ହୋଇ ନଥିବା କହିଥିବା ବେଳେ ହଂସପାଳ, ମଞ୍ଚେଶ୍ୱର, କଳାରାହାଙ୍ଗ ଆଦି ସ୍ଥାନରେ ଏହି ରୋଗ ବ୍ୟାପିଥିବା ଓ ସେ ରୋଗ ସଂକ୍ରମଣ ହୋଇଥିବା କହିଛନ୍ତି।

କାନିକା ଖାଇ ଗୋଟିଏ ଗାଈ ମୃତ, ୬ ଗୁରୁତର

ବାଲିଅନ୍ତା : ବାସି କାନକା ଖାଇ ଆଜି ସକାଳେ ଭୁବନପୁର ଗ୍ରାମର ନୀଳମାଧବ ବେହେରାଙ୍କ ଗୋଟିଏ ଗାଈର ମୃତ୍ୟୁ ହୋଇଛି। ଏ ସଂପର୍କରେ ଖବର ପାଇ ଜୟପୁର ପ୍ରାଣୀ ଚିକିତ୍ସା କେନ୍ଦ୍ରର ଏଲ୍‌ଆଇ ଶୁଭେନ୍ଦୁ ମାଝୀ ମୃତ ଗାଈର ବ୍ୟବଚ୍ଛେଦ କରାଇଥିଲେ। ବ୍ୟବଚ୍ଛେଦ ସମୟରେ ଗାଈ ପେଟରୁ ପାଖାପାଖି ଦୁଇବସ୍ତା ପଲିଥିନ୍‌ ଓ ଆଉ ଏକ ଜିନ୍‌ ପ୍ୟାଣ୍ଟ ବାହାରିଥିବା ସେ କହିଛନ୍ତି। ତାଙ୍କର ଆଉ ଦୁଇଟି ଗାଈ ଓ ବାଛୁରୀ ମଧ୍ୟ ଗୁରୁତର ଅସୁସ୍ଥ ଥିବା ନେଇ ମଧ୍ୟ ନୀଳ ସୂଚନା ଦେଇଛନ୍ତି। ଏଥିସହ ଗ୍ରାମର ନିରଞ୍ଜନ ବେହେରା ଓ ବାଟୁ ସାହୁଙ୍କ ଅନ୍ୟ ୩ଟି ବୁଲା ଗାଈ ବାଛୁରି ଅନୁରୂପ ଭାବେ ଏହି ବାସି ଖାଦ୍ୟ ଖାଇ ଚିକିତ୍ସାଧୀନ ଅଛନ୍ତି।

ସମ୍ବନ୍ଧିତ ଖବର