ଭୁବନେଶ୍ବର: କ୍ୟାପିଟାଲ୍‌ ହସ୍ପିଟାଲ୍‌ର ସଂକ୍ରମଣ ୱାର୍ଡରେ ଏବେ ମୋଟ ୧୫ ଜଣ ରୋଗୀ ଚିକିତ୍ସିତ ହେଉଛନ୍ତି। ଏହି ରୋଗୀମାନେ ଗୋଟିଏ ସ୍ଥାନରୁ ଆସି ନଥିବାରୁ ହଇଜାକୁ ନେଇ ସେପରି ଚିନ୍ତିତ ହେବାର ପରିସ୍ଥିତି ଆସି ନାହିଁ। ତଥାପି ସତର୍କ ରହିବାକୁ କ୍ୟାପିଟାଲ୍‌ ହସ୍ପିଟାଲ୍‌ ନିର୍ଦ୍ଦେଶକ ଡା. ରୂପଭାନୁ ମିଶ୍ର ପରାମର୍ଶ ଦେଇଛନ୍ତି। 
ସୂଚନା ଅନୁସାରେ ରାଜ୍ୟରେ ହଇଜା ରୋଗୀଙ୍କ ସଂଖ୍ୟା ବୃଦ୍ଧି ପାଇବା ପରେ କ୍ୟାପିଟାଲ୍‌ ହସ୍ପିଟାଲ୍‌ରେ ଏହାକୁ ନେଇ ସ୍ବତନ୍ତ୍ର ପ୍ରସ୍ତୁତି କରାଯାଇଛି। ଏବେ ସଂକ୍ରମଣ ୱାର୍ଡରେ ମୋଟ୍‌ ୧୮ଟି ଶଯ୍ୟା ରହିଛି। ସେଥିମଧ୍ୟରୁ ୧୫ଟି ୱାର୍ଡରେ ରୋଗୀ ଚିକିତ୍ସିତ ହେଉଛନ୍ତି। ‌ଆଜି ୩ରୁ ୪ ଜଣ ରୋଗୀ ଭର୍ତ୍ତି ହୋଇଛନ୍ତି। ସମସ୍ତଙ୍କ ଅବସ୍ଥା ସ୍ଥିର ରହିଛି। ରୋଗୀମାନଙ୍କ ପାଇଁ ଆବଶ୍ୟକ ଔଷଧ ଓ ସାଲାଇନ୍ ମହଜୁଦ ରଖାଯାଇଛି। ଆବଶ୍ୟକ ପଡ଼ିଲେ ଶଯ୍ୟା ସଂଖ୍ୟା ୪୦ ଶଯ୍ୟାକୁ ବୃଦ୍ଧି କରାଯିବ। ଏହାବା‌ଦ ଅସ୍ଥା‌ୟୀ ଶଯ୍ୟା ମଧ୍ୟ ରଖାଯାଇଛି। ଏନେଇ ଡା. ମିଶ୍ର କହିଛନ୍ତି ଯେ ହଇଜା ମୁଖ୍ୟତଃ ଏକ ଜଳବାହିତ ରୋଗ। ତେଣୁ ଫୁଟା ପାଣି ନ‌ଚେତ୍ ଆକ୍ବାଗାର୍ଡ ପାଣି ପିଅନ୍ତୁ। ପାଣି ଟାଙ୍କିକୁ ବ୍ଲିଚିଂ ପକାଇ ସଫା ରଖନ୍ତୁ। ଶୌଚ ହୋଇ ଆସିବା ପରେ ଭଲ ଭାବେ ହାତ ସଫା ରଖନ୍ତୁ। ଗରମ ଖା‌ଦ୍ୟ ଖାଆନ୍ତୁ। ରାଜଧାନୀରେ ହଇଜା ବର୍ତ୍ତମାନ ନିୟନ୍ତ୍ରଣରେ ରହିଛି। ତଥାପି ସତର୍କ ରହିବାକୁ ଡା ମିଶ୍ର ପରାମର୍ଶ ଦେଇଛନ୍ତି।