ଭୁବନେଶ୍ବର: ବିଏମ୍‌ସି କମିସନରଙ୍କ ନାଁରେ ଅଦାଲତ ଅବମାନନା ମାମଲା ବଢ଼ିବଢ଼ି ଚାଲିଛି। ଗତ ମାର୍ଚ୍ଚ ମାସରେ ୯ଟି ମାମଲାର ଶୁଣାଣି ହୋଇଥିବା ବେଳେ ଚଳିତ ମାସରେ ୧୫ଟି ମାମଲାର ଶୁଣାଣି ରହିଛି। କର୍ମଚାରୀଙ୍କ ତ୍ରୁଟି ଯୋଗୁ ତାରିଖ ଗଡ଼ିଯିବା ଓ ଉପଯୁକ୍ତ ତଥ୍ୟ ପ୍ରମାଣ ଅଭାବରୁ ଏଭଳି ଏକ ଅଭାବନୀୟ ସ୍ଥିତି ସୃଷ୍ଟି ହୋଇଛି। ଧାର୍ଯ୍ୟ ତାରିଖ ପୂର୍ବରୁ କୋର୍ଟରେ ଉପଯୁକ୍ତ ଉତ୍ତର ଉପସ୍ଥାପନ ନ ହେଲେ ବା ଉପରକୋର୍ଟ(ସୁପ୍ରିମ୍‌କୋର୍ଟ)ରେ ହାଇକୋର୍ଟଙ୍କ ଆଦେଶର ଅପିଲ୍‌ ନହେଲେ ବିଏମ୍‌ସି କମିସନର କୋର୍ଟରେ ବ୍ୟକ୍ତିଗତ ଭାବେ ହାଜର ହେବା ଆଶଙ୍କା ରହିଛି। ପୂର୍ବରୁ ଦୁଇଜଣ କମିସନର ଦୁଇଟି ପୃଥକ୍‌ ପୃଥକ୍‌ ମାମଲାରେ ହାଇକୋର୍ଟରେ ବ୍ୟକ୍ତିଗତ ହାଜର ହୋଇ କ୍ଷମା ପ୍ରାର୍ଥନା କରିବା ରେକର୍ଡ ରହିଥିବାରୁ ଏବେ ନୂଆ କମିସନରଙ୍କ ପାଇଁ ଅଡ଼ୁଆ ବଢ଼ିଛି। ତେବେ ଏଥିରେ ଗୃହନିର୍ମାଣ ଓ ନଗର ଉନ୍ନୟନ ବିଭାଗ ହସ୍ତକ୍ଷେପ କରିଛି। ଯେଉଁ ୧୫ଟି ମାମଲାର ଶୁଣାଣି ରହିଛି ସେହି ସବୁ ମାମଲାରେ କଣ କରାଯାଇ ପାରିବ ତାହାର ସମୀକ୍ଷା କରିବେ ଗୃହନିର୍ମାଣ ନିର୍ଦ୍ଦେଶକ। ଏଥିପାଇଁ ଜୁନ୍‌ ୧୨ ତାରିଖ ଧାର୍ଯ୍ୟ ହୋଇଛି। ବିଏମ୍‌ସି ବିଧି ଉପବିଭାଗ(ଲ’ ସେକ୍ସନ)ର ଅଧିକାରୀ ବା କର୍ମଚାରୀ ଉପଯୁକ୍ତ କାଗଜପତ୍ର ସହ ନିର୍ଦ୍ଦେଶକଙ୍କ କାର୍ଯ୍ୟାଳୟରେ ଉପସ୍ଥିତ ହେବା ପାଇଁ ନିର୍ଦ୍ଦେଶ ଆସିଛି। ଚିଠି ପହଞ୍ଚିବା ପରେ ତନାଘନା ଆରମ୍ଭ ହୋଇଛି।

Advertisment

ମାର୍ଚ୍ଚରେ ଥିଲା ୯ଟି
ଉପଯୁକ୍ତ ଉତ୍ତର ରଖୁ ନାହାନ୍ତି କି ଅପିଲ୍‌ କରୁନାହାନ୍ତି
୧୨ରେ ସମୀକ୍ଷା କରିବେ ଗୃହନିର୍ମାଣ ନିର୍ଦ୍ଦେଶକ

୨୦୨୨ ମସିହାରେ ସତ୍ୟକାଳୀ ବସ୍ତି ଉଚ୍ଛେଦ କରିବାକୁ ବିଏମ୍‌ସି ଯୋଜନା କରିଥିଲା। ଏ ନେଇ ୫୨ ମାମଲା ହାଇକୋର୍ଟରେ ପହଞ୍ଚିଥିଲା। ରାଜୀବ ଗାନ୍ଧୀ ଆବାସ ଯୋଜନା(ରେ’)ରେ ଥଇଥାନ କରିବା ପରେ ଏମାନଙ୍କୁ ଉଚ୍ଛେଦ କରିବା ପାଇଁ ୨୦୨୨ ମସିହା ଜାନୁଆରି ୩ ତାରିଖରେ ହାଇକୋର୍ଟ ଆଦେଶ ଦେଇଥିଲେ। ୬ ସପ୍ତାହ ମଧ୍ୟରେ ଏହି ଆଦେଶ ପାଳନ କରିବାକୁ ବିଏମ୍‌ସି ଓ ବିଡିଏ ଉଭୟଙ୍କୁ ଆଦେଶ ହୋଇଥିଲେ ମଧ୍ୟ ୨ ବର୍ଷ ବିତିଯାଇଥିଲା, ହେଲେ ଆଦେଶ ପାଳନ ହୋଇନଥିଲା। ବରଂ ସେମାନଙ୍କୁ ଉଚ୍ଛେଦ କରିଦିଆଯାଇଥିଲା। ଫଳରେ କମିସନରଙ୍କ ନାମରେ କାହିଁକି ଅଦାଲତ ଅବମାନନା ମାମଲାରେ କାର୍ଯ୍ୟାନୁଷ୍ଠାନ ନ ହେବ ସେ ନେଇ ଏବେ କୋର୍ଟ ପ୍ରଶ୍ନ ଉଠାଇଛନ୍ତି। ବିଏମ୍‌ସି କର୍ମଚାରୀ ଚନ୍ଦ୍ରଶେଖର ନାୟକ ବାତ୍ୟା ପରେ ଓଡ଼ିଶା ଗ୍ରାମ୍ୟ ଗୃହ ନିର୍ମାଣ ଓ ଉନ୍ନୟନ ନିଗମରୁ ଋଣ ନେଇଥିଲେ। ଏହି ଋଣର ‌ବକେୟା ଅର୍ଥ ଆଦାୟ ପାଇଁ ଗ୍ରାମ୍ୟ ଗୃହ ନିର୍ମାଣ ଓ ଉନ୍ନୟନ ନିଗମ ଏମ୍‌ଡି ତାଙ୍କୁ ନୋଟିସ୍‌ କରିଥିଲେ ଓ ବିଏମ୍‌ସି ତତ୍‌କାଳୀନ କମିସନର ଏହି ଋଣର ଇଏମ୍‌ଆଇ ବାବଦ ଅର୍ଥ ତାଙ୍କ ଦରମାରୁ କାଟି ଦେଇଥିଲେ। ଏହାକୁ ବେଆଇନ ଦର୍ଶାଇ ଚନ୍ଦ୍ରଶେଖର କୋର୍ଟ ଯାଇଥିଲେ। ମାମଲାର ବିଚାର କରି ହାଇକୋର୍ଟ ଆଦେଶ ଦେଇଥିଲେ କି ବାତ୍ୟା ପରେ ଯେଉଁମାନେ ଗ୍ରାମ୍ୟ ଗୃହ ନିର୍ମାଣ ଓ ଉନ୍ନୟନ ନିଗମରୁ ଋଣ ନେଇଥିଲେ ଓ ବିଏମ୍‌ସି ସେମାନଙ୍କର ଦରମାରୁ ଋଣ ବାବଦ ଅର୍ଥ ଦରମାରୁ କାଟି ଦେଇଛି, ସମସ୍ତଙ୍କୁ ଦୁଇମାସ ମଧ୍ୟରେ ଫେରାଉ। ୨୦୨୨ ମସିହା ଜାନୁଆରି ୫ ତାରିଖ ଦିନ ଏହି ଆଦେଶ ହୋଇଥିଲେ ମଧ୍ୟ ଦୁଇବର୍ଷ ହେଲା ବିଏମ୍‌ସି ଫେରାଉ ନାହିଁ। ଫଳରେ ଏବେ ଅଦାଲତ ଅବମାନନା ଅଭିଯୋଗ ହୋଇଛି।

ଖାରବେଳନଗର ପ୍ଲଟ୍‌ ନଂ ୯୭କଡ଼ରେ ଥିବା ଜାଗାରେ ରୁମା ବେହେରା ରହୁଥିଲେ। ବିଏମ୍‌ସି ତାଙ୍କୁ ଉଚ୍ଛେଦ କରିବାକୁ ଯୋଜନା କରିବାରୁ ସେ କୋର୍ଟ ଯାଇଥିଲେ। ‘ବସ୍ତି ବାସିନ୍ଦାଙ୍କୁ ଭୂମି ଅଧିକାର ଆଇନ’ ବଳରେ ୬ ସପ୍ତାହ ମଧ୍ୟରେ ଥଇଥାନ କରିବା ପରେ ଉଚ୍ଛେଦ କରିବାକୁ କୋର୍ଟ ଗତ ବର୍ଷ ଜୁଲାଇ ମାସ‌ରେ ଆଦେଶ ଦେଇଥିଲେ। କିନ୍ତୁ କୋର୍ଟଙ୍କ ଆଦେଶ ପାଳନ ନ କରି ଉଚ୍ଛେଦ ହୋଇଥିବାରୁ କୋର୍ଟ ଅବମାନନା ମାମଲା ରୁଜୁ ହୋଇଛି। ଏଥିରେ ବିଏମ୍‌ସି କମିସନର ଓ ଖୋର୍ଦ୍ଧା ଜିଲ୍ଲାପାଳ ପକ୍ଷ ଅଛନ୍ତି।
ପୂର୍ବରୁ ‘ଏକାମ୍ରକ୍ଷେତ୍ର ଆମେନିଟିଜ୍ ଓ ମନୁମେଣ୍ଟ ରିଭାଇଭାଲ ଆକ୍ସନ ପ୍ଲାନ୍’ ଅଧୀନରେ ଲିଙ୍ଗରାଜ ଐତିହ୍ୟ ପ୍ରକଳ୍ପ ପାଇଁ ଜମି ଅଧିଗ୍ରହଣରେ କ୍ଷତିପୂରଣ, ଅବସରପ୍ରାପ୍ତ କର୍ମଚାରୀଙ୍କୁ ସ୍ଲମ୍‌ କ୍ବାର୍ଟର୍ସ ଖାଲି କରିବାକୁ ନୋଟିସ୍ ଓ ବ୍ୟକ୍ତିଗତ ଜମିରେ ବେଆଇନ ଭାବରେ ରାସ୍ତା‌କରି ପୂର୍ବତନ କମିସନରମାନେ ଅଦାଲତ ଅବମାନନା ମାମଲାର ଶିକାର ହୋଇ କୋର୍ଟରେ ବ୍ୟକ୍ତିଗତ ହାଜର ହେବା ନଜିର ରହିଛି।