ସ୍ବୟଂଚାଳିତ ଟ୍ରାଫିକ୍ ବ୍ୟବସ୍ଥା କାହା ପାଇଁ, ୧୫କୋଟି ପାଣିରେ ପଡ଼ିଲା

ପେଲିକାନ୍ କାମରେ ଲାଗୁନି କି ପଥଚାରୀ ଜାଣିନାହାନ୍ତି

ଭୁବନେଶ୍ବର: ସ୍ମାର୍ଟ ସିଟି ଯୋଜନାରେ ୧୫କୋଟି ଟଙ୍କା ଖର୍ଚ୍ଚ କରି ରାଜଧାନୀରେ ଆଡାପ୍ଟିଭ୍ ଟ୍ରାଫିକ୍ ସିଗନାଲ୍ ବ୍ୟବସ୍ଥା ଆରମ୍ଭ ହେଲା। କୁହାଗଲା ସ୍ବୟଂଚାଳିତ ବ୍ୟବସ୍ଥାରେ ଟ୍ରାଫିକ୍ ପରିଚାଳନା ହେବ। ଏଣିକି କୌଣସି ଟ୍ରାଫିକ ପୋଷ୍ଟରେ ଟ୍ରାଫିକ ପୁଲିସ ଛିଡ଼ା ହେବେନି କି ଟ୍ରାଫିକ ପରିଚାଳନା କରିବାକୁ ପଡ଼ିବନି। ଭିଡ଼ ଦେଖି ଟ୍ରାଫିକ ସିଗନାଲ୍ ସ୍ବତସ୍ଫୂର୍ତ୍ତ ଭାବେ ପରିଚାଳନା ହେବ। ଏହା କେବଳ ଯୋଜନାରେ ଅଛି। ପୂର୍ବରୁ ରାଜଧାନୀର ଟ୍ରାଫିକ ବ୍ୟବସ୍ଥା ଯାହା ଥିଲା ଏବେବି ତାହା ଅଛି। କିଛି ବଦଳିଲାନି। ବରଂ ୧୫କୋଟି ପାଣିରେ ପଡ଼ିଲା। ରାଜଧାନୀର ବିଭିନ୍ନ ଛକ ସମେତ ବାଣୀବିହାର, ଆଚାର୍ଯ୍ୟ ବିହାର ଛକ, ଏଜି ଛକ ଆଦି ସ୍ଥାନକୁ ଦେଖିଲେ ଏହା ଯେ କେହିବି ଜାଣିପାରିବେ। ଆଡାପ୍ଟିଭ୍ ଟ୍ରାଫିକ୍ ସିଗନାଲ୍ ବ୍ୟବସ୍ଥା ଆରମ୍ଭ କରିଥିବା ଭୁବନେଶ୍ବର ସ୍ମାର୍ଟ ସିଟି ଲିମିଟେଡ୍ (ବିଏସ୍‌ସିଏଲ୍‌) କର୍ତ୍ତୃପକ୍ଷ ଓ କମିସନରେଟ୍ ପୁଲିସ ମଧ୍ୟରେ ତାଳମେଳ ରହୁ ନଥିବାରୁ ଏବେ ସ୍ବୟଂଚାଳିତ ଟ୍ରାଫିକ ବ୍ୟବସ୍ଥା ପୂରା ଭୁଶୁଡ଼ିଯାଇଛି। ବିଏସ୍‌ସିଏଲ୍‌ କର୍ତ୍ତୃପକ୍ଷ କହୁଛନ୍ତି ଆମର ସମସ୍ତ ଟ୍ରାଫିକ୍ ସିଗନାଲ୍ କାର୍ଯ୍ୟ କରୁଛି। ସବୁ ସିଗନାଲ୍ ସ୍ବୟଂଚାଳିତ। ଯେଉଁଠି ବି ସିଗନାଲ୍ କାମ କରୁନଥିବା ଜଣାପଡ଼ୁଛି ତାହାକୁ ତୁରନ୍ତ ମରାମତି କରାଯାଉଛି। କିନ୍ତୁ ବିଭିନ୍ନ ଛକରେ ମୁତୟନ ହେଉଥିବା ଟ୍ରାଫିକ୍ ପୁଲିସ ସିଗନାଲ୍‌କୁ ବ୍ଲିଙ୍କର ମୋଡ୍‌‌ରେ ରଖି ଦେଉଥିବାରୁ ନୂଆ ବ୍ୟବସ୍ଥା କାର୍ଯ୍ୟ କରୁନି। ଏନେଇ ଆମେ ଟ୍ରାଫିକ ପୁଲିସ ଅଧିକାରୀଙ୍କୁ ବାରମ୍ବାର କହିଥିଲେ ହେଁ ସେମାନେ ଶୁଣୁନାହାନ୍ତି। ଟ୍ରାଫିକ ପରିଚାଳନା ବ୍ୟବସ୍ଥା କମିସନରେଟ୍ ପୁଲିସର ହୋଇଥିବାରୁ ଆମର କିଛି କରିପାରୁ ନାହୁଁ ବୋଲି ବିଏସ୍‌ସିଏଲ୍‌ର ଜଣେ ଅଧିକାରୀ କହିଛନ୍ତି।

ଏନେଇ ଟ୍ରାଫିକ ଏସିପି ଅନୁପ କାନୁନ୍‌ଗୋଙ୍କୁ ଯୋଗାଯୋଗ କରିବାରୁ ସେ କହିଛନ୍ତି, ବିଏସ୍‌ସିଏଲ୍‌ ପକ୍ଷରୁ ଲାଗିଥିବା ସମସ୍ତ ଟ୍ରାଫିକ ସିଗନାଲ୍ ଠିକ୍ ଭାବେ କାର୍ଯ୍ୟ କରୁଛି। କିନ୍ତୁ କେତେକ ସ୍ଥାନରେ ଆବଶ୍ୟକୀୟ ଭିଡ଼ ନଥିବାରୁ ବା କେତେକ ସ୍ଥାନରେ ପ୍ରବଳ ଭିଡ଼ ହେଉଥିବାରୁ ଆମକୁ ବିଭିନ୍ନ ଛକରେ ସିଗନାଲ୍‌କୁ ବ୍ଲିଙ୍କର ମୋଡ୍‌ରେ ରଖିବାକୁ ପଡ଼ୁଛି। ଶ୍ରୀ କାନୁନ୍‌ଗୋ କହିଛନ୍ତି ଯେ, ସଚିବାଳୟ ମାର୍ଗରେ ମୁଖ୍ୟମନ୍ତ୍ରୀଙ୍କ ସମେତ ବିମାନବନ୍ଦରରୁ ବହୁ ଭିଭିଆଇପି ଯାତାୟାତ କରୁଥିବାରୁ ଏହି ରାସ୍ତାରେ ଥିବା ବିଭିନ୍ନ ଜଙ୍କସନ୍‌‌ରେ ଆମକୁ ସିଗନାଲ୍ ବ୍ଲିଙ୍କର ମୋଡ୍‌ରେ ରଖିବାକୁ ପଡ଼ୁଛି। ଭିଭିଆଇପି ଛକ ଅତିକ୍ରମ କରିବା ପୂର୍ବରୁ ଓ କରିବାର କିଛି ସମୟ ପର୍ଯ୍ୟନ୍ତ ପ୍ରବଳ ଭିଡ଼ ହେଉଥିବାରୁ ଆମକୁ କିଛି ସମୟ ପାଇଁ ସିଗନାଲ୍‌କୁ ବ୍ଲିଙ୍କର ମୋଡରେ ରଖିବାକୁ ପଡ଼ୁଛି। ସେହିପରି ଆଡାପ୍ଟିଭ୍ ଟ୍ରାଫିକ ସିଗନାଲ୍ ବ୍ୟବସ୍ଥାରେ ସିଗନାଲ୍ ବଦଳିବା ପାଇଁ ଟାଇମ୍ ସେଟିଂ କରାଯାଇଛି। କେତେକ ସ୍ଥାନରେ ସର୍ବାଧିକ ୧ମିନିଟ୍ ଥିବାବେଳେ ଏହି ସମୟରେ ସବୁ ଗାଡ଼ି ଛାଡ଼ିବା ସମ୍ଭବ ନୁହେଁ। ସହର ମଧ୍ୟରେ ରାସ୍ତା କମ୍ ଓସାର ଥିବାରୁ ଭିଡ଼ ନିୟନ୍ତ୍ରଣ ପାଇଁ ଆମକୁ ଟ୍ରାଫିକ୍ ପୁଲିସ ମୁତୟନ କରି ସିଗନାଲ୍‌ ପରିଚାଳନା କରିବାକୁ ପଡ଼ୁଛି। ଏପରିକି କେତେକ ସ୍ଥାନରେ ୧୫ରୁ ୩୦ ସେକେଣ୍ଡରେ ସିଗନାଲ୍ ବଦଳୁଥିବାବେଳେ ସେତିକି ସମୟ ପାଇଁ ବି ଭିଡ଼ ରହୁନି। ଯେମିତି ପଟିଆ, କିଟ୍‌ ଛକ ଆଦି ସ୍ଥାନରେ ମଧ୍ୟାହ୍ନରେ ଭିଡ଼ ରହୁନି। ଏହି ସମୟରେ ତ ଲୋକଙ୍କୁ ବିନା ଭିଡ଼ରେ ବି ରାସ୍ତା ଉପରେ ଛିଡ଼ା କରିବୁନି। ତେଣୁ ଆମକୁ ଟ୍ରାଫିକ୍ ପୁଲିସ୍ ମୁତୟନ କରି ମାନୁଆଲ୍ ମୋଡ୍‌ରେ ସିଗନାଲ୍ ପରିଚାଳନା କରିବା ସହ ବ୍ଲିଙ୍କର୍ ମୋଡ୍‌ରେ ରଖିବାକୁ ପଡ଼ୁଛି।
ବିଏସ୍‌ସିଏଲ୍‌ର ଉକ୍ତ ଅଧିକାରୀଙ୍କ କହିବାନୁଯାୟୀ, ଯେତେବେଳେ ଅଧିକ ଭିଡ଼ ହେବ ସେତେବେଳେ ଏହି ବ୍ୟବସ୍ଥା ଠିକ୍ ଭାବେ କାର୍ଯ୍ୟ କରିବ। କମିସନରେଟ୍ ପୁଲିସ ଅତ୍ୟାଧୁନିକ ଟ୍ରାଫିକ ସିଗନାଲ୍ ବ୍ୟବସ୍ଥାକୁ ବିଶ୍ବାସ କରିବା ଦରକାର। ଯଦି କେହି ସିଗନାଲ୍ ମାନୁନାହାନ୍ତି ବା ଟ୍ରାଫିକ ନିୟମ ଉଲ୍ଲଂଘନ କରୁଛନ୍ତି ତେବେ ତାଙ୍କ ଠାରୁ ଜରିମାନା ଆଦାୟ କରନ୍ତୁ। ବ୍ୟବସ୍ଥାକୁ ବଦଳାଇ ଦେଉଥିବାରୁ ଯେତେ ଅର୍ଥ ଖର୍ଚ୍ଚ କରି ନୂଆ ବ୍ୟବସ୍ଥା କଲେ ବି ତାହା କାମରେ ଆସିବନି। ରାଜଧାନୀରେ ଆଡାପ୍ଟିଭ୍‌ ଟ୍ରାଫିକ୍‌ ସିଗନାଲ୍‌ ବ୍ୟବସ୍ଥାରେ ୫୦ଟି ଜଙ୍କସନ୍‌, ୮ଟି ପେଲିକାନ୍‌ ଏବ˚ ୫ଟି ବ୍ଲିଙ୍କରରେ ଅତ୍ୟାଧୁନିକ ସିଗନାଲ୍‌ ବ୍ୟବସ୍ଥା ଲାଗିଛି। ୫୦ଟି ଜଙ୍କସନ୍‌ରେ ବିଭିନ୍ନ ଦିଗରେ ସିଗନାଲ୍ ଲାଗିଥିବାବେଳେ ଏହା ଭିଡ଼ ଦେଖି ସିଗନାଲ୍ ଦେଉଛି। ୮ଟି ପେଲିକାନ୍ ଲାଗିଥିବା ସ୍ଥାନରେ ଯଦି ପଥଚାରୀମାନେ ରାସ୍ତା ଅତିକ୍ରମ କରିବାକୁ ଚାହୁଁଥିବେ ତେବେ ସେମାନେ ରାସ୍ତା କଡ଼ରେ ଥିବା ସୁଇଚ୍ ଚିପି ଦେଲେ ରେଡ୍ ସିଗନାଲ୍ ଆସିଯିବ। ଏହାପରେ ଗାଡ଼ି ରହିବ। ଆଉ ଲୋକମାନେ ରାସ୍ତା ଅତିକ୍ରମ କରିବା ପରେ ଅପରପାର୍ଶ୍ବରେ ଥିବା ଗ୍ରିନ୍ ସିଗନାଲ୍ ସୁଇଚ୍ ଚିପି ଦେବେ। କିନ୍ତୁ ଏହିଭଳି ବ୍ୟବସ୍ଥା ଅଛି ବୋଲି ରାଜଧାନୀବାସୀ ଜାଣିନାହାନ୍ତି କି ପଥଚାରୀଙ୍କୁ ଏନେଇ ସଚେତନ କରାଯାଉନି।

କମିସନରେଟ୍ ପୁଲିସର ଜଣେ ବରିଷ୍ଠ ଅଧିକାରୀଙ୍କ କହିବାନୁଯାୟୀ, ଆମର ପ୍ଲାନିଂ କରୁଥିବା ସଂସ୍ଥା, ଏହାକୁ ପରିଚାଳନା କରୁଥିବା ସଂସ୍ଥା, ନିୟମ ନମାନିଲେ କାର୍ଯ୍ୟାନୁଷ୍ଠାନ ନେବା ସଂସ୍ଥା ଯଦି ଗୋଟିଏ ହେବ ତେବେ ସବୁ ଯୋଜନା ଠିକ୍ ଭାବେ କାର୍ଯ୍ୟକାରୀ ହୋଇପାରିବ। ଭୁବନେଶ୍ବରର ରାସ୍ତା ଡିଜାଇନ୍‌ରେ ବ୍ୟାପକ ତ୍ରୁଟି ଥିବାରୁ ଏଥିରେ ସଂଶୋଧନ ଆଣିପାରି‌ଲେ ହିଁ ସ୍ବୟଂଚାଳିତ ଟ୍ରାଫିକ ସିଗନାଲ୍ ବ୍ୟବସ୍ଥା କାର୍ଯ୍ୟକ୍ଷମ ହୋଇପାରିବ।

ସମ୍ବନ୍ଧିତ ଖବର