ଭୁବନେଶ୍ବର : ଫ୍ଲାଟ୍‌ ଦେବା ନାଁରେ ୧୫କୋଟିରୁ ଊର୍ଧ୍ବ ଟଙ୍କା ଠକେଇ ଘଟଣାରେ କ୍ରାଇମ୍‌ବ୍ରାଞ୍ଚ ଅର୍ଥନୈତିକ ଅପରାଧ ଶାଖା(ଇଓଡବ୍ଲୁ) ଆଜି ଆଉ ଜଣେ ବିଲ୍ଡରଙ୍କୁ ଗିରଫ କରିଛି। ସେ ହେଲେ ମିଶ୍ର କ୍ରିଏସନ୍ସ ପ୍ରାଇଭେଟ୍‌ ଲିମିଟେଡ୍‌ର ସହକାରୀ ପରିଚାଳନା ନିର୍ଦ୍ଦେଶକ ସନ୍ତୋଷ କୁମାର ରଥ। ତାଙ୍କୁ କଟକ ଓପିଆଇଡି କୋର୍ଟରେ ହାଜର କରାଯାଇଥିଲା ଏବଂ ଜାମିନ୍‌ ନାମଞ୍ଜୁର ହେବାରୁ ତାଙ୍କୁ ବିଚାର ବିଭାଗୀୟ ହାଜତକୁ ପଠାଯାଇଛି।

Advertisment

ସୂଚନା ମୁତାବକ, ଗତ ୨୦୧୬ ମସିହାରେ ସଂସ୍ଥାର ପରିଚାଳନା ନିର୍ଦେଶକ ଜ୍ୟୋତିରଂଜନ ମିଶ୍ର ଓ ସନ୍ତୋଷ ରଥ ମିଶି ଲୋକଙ୍କୁ ଚନ୍ଦକା ଅଞ୍ଚଳରେ ଶସ୍ତାରେ ଫ୍ଲାଟ୍‌ ଦେବାର ଲୋଭ‌ ଦେଖାଇ କୋଟି‌ କୋଟି ଟଙ୍କା ଆଦାୟ କରିଥିଲେ। ୩୦ମାସ ମଧ୍ୟରେ ଜମାକାରୀଙ୍କୁ ଫ୍ଲାଟ୍‌ ଦେବା ପାଇଁ ଚୁକ୍ତି ହୋଇଥିଲା। ଏଥିପାଇଁ ଜମାକାରୀ, ବ୍ୟାଙ୍କ ଓ ସଂସ୍ଥା ମଧ୍ୟରେ ଚୁକ୍ତି ସ୍ବାକ୍ଷର ହୋଇଥିଲା। ଇତି ମଧ୍ୟରେ ୭ବର୍ଷ ବିତିଯାଇଥିଲେ ବି ସଂସ୍ଥା ଜଣେ ହେଲେ ଜମାକାରୀଙ୍କୁ ଫ୍ଲାଟ୍‌ ଦେଇନଥିଲା କି ଟଙ୍କା ଫେରାଇନଥି‌ଲା। ଯଦି କେହି ଟଙ୍କା ମାଗୁଥିଲା ତାକୁ ପାଲଟା ଧମକଚମକ ଦେଉଥିଲେ। ଏନେଇ ରସୁଲଗଡ଼ ଅଞ୍ଚଳର ସ୍ବଦେଶ ରାୟ ଚୌଧୁରୀ ନାମକ ଜଣେ ଜମାକାରୀ ଇଓଡବ୍ଲୁରେ ଅଭିଯୋଗ କରିଥିଲେ। ଇଓଡବ୍ଲୁ ମାମଲାର ତଦନ୍ତ ବେଳେ ଜାଣିବାକୁ ପାଇଥିଲା ଯେ, କେବଳ ସ୍ବଦେଶ ନୁହଁନ୍ତି, ସଂସ୍ଥା ଏମିତି ୧୨୭ଜଣ ଜମାକାରୀଙ୍କୁ ଫ୍ଲାଟ‌୍‌ ଦେବା ଆଳରେ ୧୫କୋଟିରୁ ଊର୍ଧ୍ବ ଟଙ୍କାର ଚୂନ ଲଗାଇଛି। ଏନେଇ ଇଓଡବ୍ଲୁ ମାମଲା ରୁଜୁକରି ଗତ ୧୬ ମେ’ରେ ଜ୍ୟୋତିରଂଜନକୁ ଗିରଫ କରି କୋର୍ଟ ଚାଲାଣ କରିଥିବା ବେଳେ ଆଜି ସନ୍ତୋଷଙ୍କୁ ଗିରଫ କରି କୋର୍ଟ ଚାଲାଣ କରିଛି। ଠକେଇ ମାମଲାରେ ଆଉ କେଉଁମାନଙ୍କ ସମ୍ପୃକ୍ତି ଅଛି, ସେନେଇ ଇଓଡବ୍ଲୁ ଅଧିକ ତଦନ୍ତ କରୁଛି।