ଭୁବନେଶ୍ବର: ବର୍ଷର ପ୍ରଥମ ୫ ମାସ ମଧ୍ୟରେ ସାଇବର ଲୁଟେରାମାନେ ଭୁବନେଶ୍ବରରୁ ୧୫ କୋଟିରୁ ଊର୍ଦ୍ଧ୍ବ ଟଙ୍କା ଲୁଟିଛନ୍ତି। ହେଲେ ଏହା ତୁଳନାରେ ମାତ୍ର ୨.୫କୋଟିରୁ ଊର୍ଦ୍ଧ୍ବ ଟଙ୍କା ଫେରି ପାରିଛି। ଏବେବି ଲକ୍ଷାଧିକ ଟଙ୍କା  ବିଭିନ୍ନ ଆକାଉଣ୍ଟରେ ବ୍ଲକ୍‌ ହୋଇ ପଡ଼ିରହିଛି। ଚଳିତ ବର୍ଷ ଜାନୁଆରି ମାସରେ ସର୍ବାଧିକ ୪୨୪ ସାଇବର ଠକେଇ ମାମଲା ରୁଜୁ ହୋଇଥିଲା ବେଳେ ମାତ୍ର ୧ କୋଟି ୨ ଲକ୍ଷ ୭୮ ହଜାର ୫୫୫ ଫେରିପାରିଥିଲା। ସେହିପରି ଫେବ୍ରୁଆରିରେ ୪୩ ଲକ୍ଷ ୬୬ ହଜାର ୪୯୨ ଟଙ୍କା, ମାର୍ଚ୍ଚ ମାସରେ ୪୪ ଲକ୍ଷ ୭୫ ହଜାର ୬୦ ଟଙ୍କା, ଏପ୍ରିଲ ମାସରେ ୩୮ ଲକ୍ଷ ୯୮ ହଜାର ୯୦୭ ଟଙ୍କା, ମେ’ ମାସରେ ୩୬ ଲକ୍ଷ ୨୧ ହଜାର ୨୧୪ ଟଙ୍କା ଫେରାଇ ଅଣାଯାଇ ପାରିଛି। ଇନଭେଷ୍ଟମେଣ୍ଟ, ଡିଜିଟାଲ ଆରେଷ୍ଟ, ଲୋନ ଆପ୍, ଟ୍ରେଡିଂ ଓ ଅନ୍ୟାନ୍ୟ ତରିକାରେ ଲୋକଙ୍କଠାରୁ ଠକେଇ ହେଉଥିବା ଅଭିଯୋଗ ହୋଇଆସୁଛି। ଏପରିକି ସାଇବର ଅପରାଧରେ ରାଜ୍ୟରେ ଭୁବନେଶ୍ବର ଏବେ ହଟ୍‌ସ୍ପଟ୍‌ ପାଲଟିଗଲାଣି। ଏପରିକି ଖୋଦ ରାଜ୍ୟପାଳ ମଧ୍ୟ ନିକଟରେ ସାଇବର ଠକେଇର ଚିତ୍ରକୁ ନେଇ ଚିନ୍ତାପ୍ରକଟ କରିଥିଲେ। ଯଦିଓ ଏଥିପାଇଁ ‌ଜନସଚେତନତା ଜରୁରି ହୋଇପଡ଼ିଛି, ତଥାପି ଅନେକ ଉଚ୍ଚଶିକ୍ଷିତ ବ୍ୟକ୍ତି ଠକଙ୍କ ଜାଲରେ ପଡ଼ୁଛନ୍ତି। ତେଣୁ ଠକେଇ ମାମଲା ହ୍ରାସ କରିବାକୁ ହେଲେ ସଚେତନତା କାର୍ଯ୍ୟକ୍ରମକୁ ଅଧିକ ତ୍ବରାନ୍ବିତ କରିବାକୁ ହେବ ବୋଲି ସାଇବର ଥାନା ପକ୍ଷରୁ କୁହାଯାଇଛି।