ଏଣ୍ଡୋସ୍କୋପି ପାଇଁ ୧୫ ଦିନ, ପରୀକ୍ଷା କରି ନ ପାରି ଉପାସରେ ଫେରୁଛନ୍ତି ରୋଗୀ

ଭୁବନେଶ୍ବର: କ୍ୟାପିଟାଲ ହସ୍ପିଟାଲରେ ଏଣ୍ଡୋସ୍କୋପି କରିବା ପାଇଁ ୧୫ଦିନ ଲାଗୁଛି। ଧାର୍ଯ୍ୟ ତାରିଖ ଦିନ ପରୀକ୍ଷା ହେବର କୌଣସି ଗ୍ୟାରେଣ୍ଟି ନାହିଁ। ‌ଏସ୍‌ସିବିରୁ ଜଣେ ଡାକ୍ତର ଗୋଟିଏ ଦିନ କ୍ୟାପିଟାଲ ହସ୍ପିଟାଲକୁ ଆସୁଥିବା ବେଳେ ସେହି ଦିନ ହିଁ କେବଳ ଏଣ୍ଡୋସ୍କୋପି କରାଯାଉଛି। ତେବେ ଜରୁରୀ ପରିସ୍ଥିତିରେ ରୋଗୀଙ୍କୁ ଏଣ୍ଡୋସ୍କୋପି ସୁବିଧା ମିଳିପାରୁ ନାହିଁ। ହସ୍ପିଟାଲରେ ଗୋଟିଏ ପରେ ଗୋଟିଏ ନୂତନ ୟୁନିଟ୍ ଖୋଲୁଥିବା‌ ବେଳେ ପୁରୁଣା ୟୁନିଟ୍‌ଗୁଡ଼ିକ ପ୍ରତି ଧ୍ୟାନ ଦିଆଯାଉ ନାହିଁ। କେତେବେଳେ ସିଟି ସ୍କାନ୍ ମେସିନ୍ ଅଚଳ ହୋଇଯାଉଛି ତ ଆଉ କେତେବେଳେ ଡାକ୍ତରଙ୍କ ଅଭାବରୁ ଅସ୍ତ୍ରୋପଚାର ବନ୍ଦ ହୋଇଯାଉଛି। ରାଜଧାନୀର ପ୍ରମୁଖ ସରକାରୀ ଡାକ୍ତରଖାନରେ ଏଭଳି ଅବ୍ୟବସ୍ଥା ଲାଗି ରହିଛି। ପେଟ ରୋଗ ପାଇଁ ଏଣ୍ଡୋସ୍କୋପି ଜରୁରୀ ପରୀକ୍ଷା। ଏଥିପାଇଁ କ୍ୟାପିଟାଲ ହସ୍ପିଟାଲରେ ସ୍ବତନ୍ତ୍ର ୟୁନିଟ୍ ରହିଛି। ମାତ୍ର କିଛିଦିନ ହେବ ତାଲିମପ୍ରାପ୍ତ ଡାକ୍ତରଙ୍କ ଅଭାବରୁ ଏଣ୍ଡୋସ୍କୋପି ନିୟମିତ ହୋଇପାରୁ ନାହିଁ। ହସ୍ପିଟାଲର ଦୁଇ ଡାକ୍ତର ଓ ଏସ୍‌ସିବିର ଗ୍ୟାଷ୍ଟ୍ରୋଏଣ୍ଟ୍ରୋଲୋଜି ଡାକ୍ତରଙ୍କୁ ମିଶାଇ ସପ୍ତାହର ପ୍ରାୟ ପ୍ରତ୍ୟେକ ଦିନ ରୋଗୀମାନଙ୍କ ଏଣ୍ଡୋସ୍କୋପି କରାଯାଉଥିଲା। ମାତ୍ର ଗତମାସ ୨୭ତାରିଖରେ ହସ୍ପିଟାଲର ଦୁଇ ଜଣ ଡାକ୍ତରଙ୍କ ବଦଳି ହେବା ପରେ ଏଣ୍ଡୋସ୍କୋପି ଏକପ୍ରକାର ବନ୍ଦ ହୋଇଯାଇଛି। ରୋଗୀମାନଙ୍କୁ ଅତିକମ୍‌ରେ ୧୫ଦିନର ସମୟ ଦିଆଯାଉଛି। ଏଣ୍ଡୋସ୍କୋପି ପାଇଁ ଖାଲି ପେଟରେ ଆସିବାକୁ ପଡ଼ୁଥିବା ବେଳେ ଧାର୍ଯ୍ୟ ତାରିଖ ଦିନ ଏହି ପରୀକ୍ଷା ହୋଇପାରୁ ନାହିଁ। ଦିନଭରି ଉପାସରେ ରହିବା ପରେ ରୋଗୀମାନେ ଫେରି ଯାଉଛନ୍ତି। ଅପରପକ୍ଷରେ ଜରୁରୀ ସମୟରେ ହସ୍ପିଟାଲକୁ ଚିକିତ୍ସା ପାଇଁ ଆସୁଥିବା ‌ରୋଗୀମାନଙ୍କ ପାଇଁ ମଧ୍ୟ ସମାନ ସମସ୍ୟା ସୃଷ୍ଟି ହେଉଛି। ଡାକ୍ତରଙ୍କ ଅଭାବରୁ ୟୁନିଟ୍‌ ବନ୍ଦ ରହିବା ଯୋଗୁଁ ରୋଗୀମାନେ ବାଧ୍ୟ ହୋଇ ଘରୋଇ ଡାଏଗ୍ନୋଷ୍ଟିକ୍ ସେଣ୍ଟରରେ ଏଣ୍ଡୋସ୍କୋପି କରୁଛନ୍ତି। ଘରୋଇ ଡାଏଗ୍ନୋଷ୍ଟିକ୍ ସେଣ୍ଟରରେ ଏଣ୍ଡୋସ୍କୋପି ପାଇଁ ୧୩ଶହରୁ ୧୫ଶହ ଟଙ୍କା ନିଆଯାଉଛି। ଗରିବ ରୋଗୀମାନଙ୍କ କ୍ଷେତ୍ରରେ ଏତେ ଟଙ୍କା ବ୍ୟୟ କରିବା ସମ୍ଭବ ହେଉ ନାହିଁ।

ଅପରପକ୍ଷରେ ଏଣ୍ଡୋସ୍କୋପିକୁ ଜାଣିଶୁଣି ବନ୍ଦ କରି ଦିଆଯାଇଥିବା ଅଭିଯୋଗ ହେଉଛି। ଘରୋଇ ଡାକ୍ତରଖାନା/ଡାଏଗ୍ନୋଷ୍ଟିକ୍ ସେଣ୍ଟର ସହିତ ଚାଲିଥିବା ମଧୁଚନ୍ଦ୍ରିକା ଯୋଗୁଁ ଏଭଳି ଚକ୍ରାନ୍ତ ହୋଇଥିବା କୁହାଯାଉଛି। ଏଣ୍ଡୋସ୍କୋପି ୟୁନିଟ୍‌ ବନ୍ଦ ହେବା ପଛରେ ଏକ ବଡ଼ ଅଦୃଶ୍ୟ ଶକ୍ତି କାର୍ଯ୍ୟ କରୁଥିବା ସୂଚନା ମିଳିଛି। ତେବେ କ୍ୟାପିଟାଲ ହସ୍ପିଟାଲରେ ଘରୋଇ ଡାକ୍ତରଖାନାକୁ ରୋଗୀ ପଠାଇବା ନୂଆ ଘଟଣା ନୁହେଁ। ମାତ୍ର ଏଣ୍ଡୋସ୍କୋପି ୟୁନିଟ୍‌ଟି ସଂପୂର୍ଣ୍ଣ ବନ୍ଦ ହେବା ଫଳରେ ଘରୋଇ ଡାଏଗ୍ନୋଷ୍ଟିକ୍ ସେଣ୍ଟର ପାଇଁ ବାଟ ଖୋଲି ଦେଇଛି। କ୍ୟାପିଟାଲ ହସ୍ପିଟାଲର ଜଣେ ଉଚ୍ଚପଦସ୍ଥ ଅଧିକାରୀଙ୍କ କହିବା କଥା, ଏଣ୍ଡୋସ୍କୋପି ପାଇଁ ତାଲିମାପ୍ରାପ୍ତ ଡାକ୍ତର ନାହାନ୍ତି। ତେଣୁ ରୋଗୀମାନଙ୍କୁ ଅଧିକ ଦିନ ପର୍ଯ୍ୟନ୍ତ ଅପେକ୍ଷା କରିବାକୁ ପଡ଼ୁଛି। ତାଲିମପ୍ରାପ୍ତ ଡାକ୍ତର ଆସିବା ପରେ ପୁଣିଥରେ ନିୟମିତ ଏଣ୍ଡୋସ୍କୋପି ଆରମ୍ଭ ହେବ ବୋଲି ଅଧିକାରୀ କହିଛନ୍ତି।

ଗୋଟିଏ କୋଠା ଦୁଇ ଥର ଉଦ୍‌ଘାଟନ
ଭୁବନେଶ୍ବର: କ୍ୟାପିଟାଲ ହସ୍ପିଟାଲ ପରିସରରେ ଥିବା ରୋଜମ୍ୟାରି ଗୃହରେ ଶୁକ୍ରବାର ସ୍ବତନ୍ତ୍ର କର୍କଟ ବିଭାଗ ଖୋଲିଛି। ସ୍ବାସ୍ଥ୍ୟମନ୍ତ୍ରୀ ପ୍ରତାପ ଜେନା ଏହାକୁ ଉଦ୍‌ଘାଟନ କରିଥିଲେ। ଏଥିପାଇଁ ପୂର୍ବରୁ ସେଠାରେ ଲାଗିଥିବା ଫଳକ ଉପରେ ଫ୍ଲେକ୍‌ସ ଲଗାଇ ଦିଆଯାଇଥିଲା, ସମସ୍ତଙ୍କ ନଜର ହଟାଇବା ପାଇଁ। ଏବେ ବି ଫଳକ ଉପରେ ଫ୍ଲେକ୍ସ ଲାଗିଛି। ୨୦୦୪/୦୫ ମସିହାରେ କ୍ୟାପିଟାଲ ହସ୍ପିଟାଲକୁ ଚିକିତ୍ସା ପାଇଁ ଆସୁଥିବା ରୋଗୀଙ୍କ ଆଟେଣ୍ଡାଣ୍ଟଙ୍କ ରହିବା ପାଇଁ ରୋଜ‌ମ୍ୟାରି ଓ ରୋପର୍ସ ଗୃହ ଖୋଲିଥିଲା। ରୋଜିମ୍ୟାରିରେ ଡର୍ମିଟୋରି ପାଇଁ ୫ ଟଙ୍କା ଓ ରୁମ୍ ପାଇଁ ୧୦ଟଙ୍କା ନିଆଯାଇଥିଲା। ପରବର୍ତୀ ସମୟରେ ଏହି ଦରରେ ସାମାନ୍ୟ ବୃଦ୍ଧି ହୋଇଥିଲା। କିନ୍ତୁ ଧୀରେ ଧୀରେ ଏହା ଅଚଳ ହୋଇ ଯାଇଥିଲା। ସେଠାରେ ‌ଆଟେଣ୍ଡାଣ୍ଟମାନେ ରହିବାକୁ ଇଚ୍ଛା ପ୍ରକାଶ କରି ନ ଥିଲେ। ଫଳରେ ଅସାମାଜିକ ବ୍ୟକ୍ତି ସେଠାରେ ଆଡ଼ା ଜମାଇଥିଲେ। ଏକ ପରିତ୍ୟକ ଗୃହରେ ଏହା ପରିଣତ ହୋଇଥିଲା। ମାତ୍ର ଏହି ଗୃହକୁ ଆଉଥରେ ଉଦ୍‌ଘାଟନ କରାଯାଇଛି ହେଲେ ଭିନ୍ନ ବ୍ୟବସ୍ଥା ପାଇଁ। ଫଳରେ ପୂର୍ବର ଉଦ୍‌ଘାଟନ ଲୁଚି ଯାଇଛି।

ସମ୍ବନ୍ଧିତ ଖବର