୬ ମାସରେ ଆସିବ ୧୫ ଏକ୍‌ମୋ ମେସିନ୍‌

ସରକାରଙ୍କ ୬ଟି ମେସିନ୍‌ ଲାଗି ଟେଣ୍ଡର ସରିଲା, କିମ୍‌ସରେ ପ୍ରତିଷ୍ଠା ହେବ ଏକ୍‌ମୋ ସେଣ୍ଟର

ଭୁବନେଶ୍ବର : କରୋନାର ଦ୍ବିତୀୟ ଲହରରେ ଗୁରୁତର ରୋଗୀଙ୍କୁ ବଞ୍ଚାଇବା ଲାଗି ଏକ୍‌ମୋ ଚିକିତ୍ସା ଜରୁରୀ ହୋଇପଡ଼ିଥିବା ବେଳେ ଓଡ଼ିଶାରେ ଆଜି ପର୍ଯ୍ୟନ୍ତ ପର୍ଯ୍ୟାପ୍ତ ଏକ୍‌ମୋ ମେସିନ୍‌ ଲାଗିପାରି ନାହିଁ। ଭୁବନେଶ୍ବରର ମାତ୍ର ଦୁଇଟି ଘରୋଇ ହସ୍ପିଟାଲରେ ଏକ୍‌ମୋ ଚିକିତ୍ସା ଲାଗି ମେସିନ୍‌ ରହିଛି। ଏହି ଦୁଇଟି ପର୍ଯ୍ୟାପ୍ତ ହେଉ ନ ଥିବାରୁ ରାଜ୍ୟର ଅନେକ ଗୁରୁତର ରୋଗୀଙ୍କୁ ଏୟାର ଆମ୍ବୁଲାନ୍ସରେ ବାହାର ରାଜ୍ୟକୁ ନିଆଯାଉଛି। ତାହାକୁ ନଜରରେ ରଖି କରୋନାର ତୃତୀୟ ଲହର ବେଳକୁ ରାଜ୍ୟରେ ଅଧିକ ପରିମାଣରେ ଏକ୍‌ମୋ ଚିକିତ୍ସା ସୁବିଧା ଉପଲବ୍ଧ କରାଇବା ଦିଗରେ ରାଜ୍ୟ ସରକାର, ଭୁବନେଶ୍ବର ଏମ୍‌ସ ଓ କେତେକ ଘରୋଇ ହସ୍ପିଟାଲ କର୍ତୃପକ୍ଷ ପଦକ୍ଷେପ ନେଇଛନ୍ତି। ଆସନ୍ତା ୬ ମାସ ମଧ୍ୟରେ ରାଜ୍ୟର ବିଭିନ୍ନ ହସ୍ପିଟାଲରେ ୧୫ରୁ ଅଧିକ ଏକ୍‌ମୋ ମେସିନ୍‌ ଲଗାଇବାକୁ ଯୋଜନା ହୋଇଛି।

ଏକ୍‌ମୋ ମେସିନ୍‌ର ଗୁରୁତ୍ବକୁ ଉପଲବ୍ଧି କରି ରାଜ୍ୟ ସରକାର ପ୍ରଥମ ପର୍ଯ୍ୟାୟରେ ୬ଟି ଏକ୍‌ମୋ ମେସିନ୍ ଆଣିବାକୁ ନିଷ୍ପତ୍ତି ନେଇଛନ୍ତି। ଏଥିପାଇଁ ଟେଣ୍ଡର ପ୍ରକ୍ରିୟା ଶେଷ ହୋଇଥିବାରୁ ଖୁବ୍‌ଶୀଘ୍ର ମେସିନ୍‌ ଆସିବାର ସମ୍ଭାବନା ସୃଷ୍ଟି ହୋଇଛି। ପ୍ରଥମେ ଏସ୍‌ସିବି ମେଡିକାଲ କଲେଜ ଓ ପରବର୍ତ୍ତୀ ସମୟରେ କ୍ୟାପିଟାଲ ହସ୍ପିଟାଲରେ ଏକ୍‌ମୋ ଲଗାଯାଇ ଗୁରୁତର ରୋଗୀଙ୍କୁ ଚିକିତ୍ସା ସୁବିଧା ଯୋଗାଇ ଦିଆଯିବ। ଭୁବନେଶ୍ବର ଏମ୍‌ସ କର୍ତୃପକ୍ଷ ମଧ୍ୟ ପର୍ଯ୍ୟାୟକ୍ରମେ ଦୁଇଟି ଏକ୍‌ମୋ ମେସିନ୍ ଲଗାଇବାକୁ ନିଷ୍ପତ୍ତି ନେଇଛନ୍ତି। ସେପ୍ଟେମ୍ବର ସୁଦ୍ଧା ଏହି ସୁବିଧା ଉପଲବ୍ଧ ହୋଇପାରେ।

ଅନ୍ୟପକ୍ଷରେ କିମ୍‌ସ ହସ୍ପିଟାଲରେ ୨୦୧୭ରୁ ଏକ୍‌ମୋ ମେସିନ୍‌ ଉପଲବ୍ଧ ହେଉଛି। ୨୦୧୮ରେ ପ୍ରଥମ ଥର ଲାଗି ଏହି ମେସିନ୍‌ ରୋଗୀଙ୍କ ସେବାରେ ଲାଗିଥିଲା। ଏବେ କରୋନା ରୋଗୀଙ୍କ ଲାଗି ଏହି ମେସିନ୍‌ର ଗୁରୁତ୍ବ ବଢ଼ିଥିବାରୁ ଆଗାମୀ ଦିନରେ ହସ୍ପିଟାଲରେ ଏକ୍‌ମୋ ସେଣ୍ଟର ପ୍ରତିଷ୍ଠା କରିବାକୁ କର୍ତୃପକ୍ଷ ନିଷ୍ପତ୍ତି ନେଇଛନ୍ତି। କିଛି ଦିନ ତଳେ ଏମ୍‌ସରେ ଚିକିତ୍ସାଧୀନ ଥିବା ବିରୋଧୀ ଦଳ ନେତା ପ୍ରଦୀପ୍ତ ନାଏକଙ୍କ ଚିକିତ୍ସାରେ ଏହା ବ୍ୟବହାର ହୋଇଥିଲା। ଆବଶ୍ୟକ ସ୍ଥଳେ ଅନ୍ୟ ମେଡିକାଲକୁ ମଧ୍ୟ କିମ୍‌ସରୁ ଏକ୍‌ମୋ ମେସିନ୍‌ ସ୍ଥାନାନ୍ତର କରାଯାଉଛି। ଏହା ଶରୀର ବାହାରେ ସଂକ୍ରମିତଙ୍କ କୃତ୍ରିମ ହାର୍ଟ ଓ ଫୁସ୍‌ଫୁସ ଭଳି କାର୍ଯ୍ୟ କରି ରକ୍ତକୁ ଅମ୍ଳଜାନ ପହଞ୍ଚାଇଥାଏ ବୋଲି କିମ୍‌ସ ନିର୍ଦେଶକ(ପ୍ରଶାସନ) ଦିଲ୍ଲୀପ ପଣ୍ଡା ସୂଚନା ଦେଇଛନ୍ତି। ସମ୍‌ ଅଲ୍‌ଟିମେଟ୍‌ରେ ମଧ୍ୟ ଗୋଟିଏ ମେସିନ୍‌ ସହାୟତାରେ ଏକ୍‌ମୋ ଚିକିତ୍ସା ସୁବିଧା ଉପଲବ୍ଧ ହେଉଛି। ଆଗକୁ ମେସିନ୍‌ ସଂଖ୍ୟା ବଢ଼ାଇବାକୁ ଯୋଜନା ରହିଥିବା ହସ୍ପିଟାଲ କର୍ତୃପକ୍ଷ କହିଛନ୍ତି। ଏହା ବ୍ୟତୀତ ଭୁବନେଶ୍ବରର ଆଉ କିଛି ଘରୋଇ ହସ୍ପିଟାଲ ମଧ୍ୟ ଏ ଦିଗରେ ପଦକ୍ଷେପ ନେଉଛନ୍ତି। ରାଉରକେଲା, ସମ୍ବଲପୁର, ବ୍ରହ୍ମପୁରରେ ଥିବା କେତେକ ହସ୍ପିଟାଲରେ ଏକ୍‌ମୋ ମେସିନ୍‌ ଲଗାଇବାକୁ ଯୋଜନା ରହିଥିବା ସ୍ବାସ୍ଥ୍ୟ ବିଭାଗର ଜଣେ ବରିଷ୍ଠ ଅଧିକାରୀ କହିଛନ୍ତି।

ଏକ୍‌ମୋ ମେସିନ୍‌ ବ୍ୟବହାର ନେଇ ଡିଏମଇଟି ଡା.ସିବିକେ ମହାନ୍ତି କିଛିଦିନ ତଳେ କହିଥିଲେ ଯେ ରୋଗୀର ରକ୍ତ ବାହାରକୁ ଆସି ତାକୁ ଯନ୍ତ୍ର ମାଧ୍ୟମରେ ଅକ୍ସିଜେନେସନ କରାଯାଉଛି ଏବଂ ତାହା ପୁଣି ଶରୀରକୁ ଫେରି ଯାଉଛି। ଏହା ଏକ କୃତ୍ରିମ ପ୍ରକ୍ରିୟା। ଯେଉଁଥିରେ ଶରୀରର ଅକ୍ସିଜେନକୁ ସାମୟିକ ଭରଣପୋଷଣ କରିହେବ। ଏହା ଅସ୍ଥାୟୀ ଭାବେ କିଛି ଦିନ ଟାଣି ନେଇପାରେ। ଏହା ବ୍ୟୟବହୁଳ ଚିକିତ୍ସା। ପ୍ରଥମେ ଏହାକୁ ବ୍ୟବହାର କରିବା ପାଇଁ ୪ରୁ ୫ ଲକ୍ଷ ଟଙ୍କା ଦରକାର ପଡୁଛି। ପରେ ଚିକିତ୍ସା ଜାରି ରଖିବାକୁ ପ୍ରତ୍ୟେକ ଦିନ ୧ରୁ ୨ ଲକ୍ଷ ଟଙ୍କା ଖର୍ଚ୍ଚ ହେଉଛି। ଆଗରୁ ଫୁସଫୁସ୍‌ ପ୍ରତିରୋପଣ ବେଳେ ଏହାକୁ ବ୍ୟବହାର କରାଯାଉଥିଲା। କୋଭିଡ୍‌ ପରିସ୍ଥିତିରେ ଯେତେବେଳେ ଅତ୍ୟନ୍ତ ଗୁରୁତର ନିମୋନିଆ ହେଉଛି, ଭେଣ୍ଟିଲେଟର ଫେଲ୍‌ ମାରୁଛି, ସେତେବେଳେ ଏକ୍‌ମୋର ଆବଶ୍ୟକତା ପଡ଼ୁଛି। ଏକ୍‌ମୋ ମେସିନ୍‌ ଲଗେଇଦେଲେ ରୋଗୀ ବଞ୍ଚିଯିବ ବୋଲି ପ୍ରଚାର ଯୋଗୁଁ ଲୋକଙ୍କ ମଧ୍ୟରେ ଉତ୍ସୁକତା ବଢ଼ିଛି। ତେବେ ଏହା ପାଇଁ ଯେତିକି ମାନବ ସମ୍ବଳ ଦରକାର ତାହା ନ ଥିଲେ କେବଳ ମେସିନ ଆଣି ଥୋଇଦେଲେ ହେବନି। ଭାରତରେ ଏହି ମେସିନ ଉତ୍ପାଦନ ହେଉନି। ବିଦେଶରୁ ଆଣିବା ପାଇଁ ପ୍ରକ୍ରିୟା ଚାଲିଛି।

ସମ୍ବନ୍ଧିତ ଖବର