ବିନା ବିଜୁଳିରେ ୧୫ ଘଣ୍ଟା, ଇନ୍‌ଫୋସିଟି ଅଞ୍ଚଳବାସୀ ହନ୍ତସନ୍ତ

ଚନ୍ଦ୍ରଶେଖରପୁର : ମଙ୍ଗଳବାର ସନ୍ଧ୍ୟାରେ ବର୍ଷା ଆରମ୍ଭ ହେଲା। କ୍ରମେ ବଢି ବଢି ପ୍ରାୟ ୩ରୁ ୪ ଘଣ୍ଟା ଧରି ଜାରି ରହିଲା। ପବନ ବେଗ କମ୍‌ ଥିଲା, ଅଥଚ ବର୍ଷା ଆରମ୍ଭ ହେବା ମାତ୍ରେ ବିଦ୍ୟୁତ ଯୋଗାଣ ଲୁଚକାଳି ଖେଳିବା ଆରମ୍ଭ କଲା। ସନ୍ଧ୍ୟା ୬ଟାରୁ ରାତି ୯ଟା ମଧ୍ୟରେ ୮ରୁ ୧୦ ଥର ବିଜୁଳି ଗଲା ଓ ଆସିଲା। ମାତ୍ର ରାତି ୯ଟା ପରେ ଗଲା ଯେ, ପରଦିନ ଅର୍ଥାତ୍‌ ବୁଧବାର ମଧ୍ୟାହ୍ନ ୧୨ଟା ପର୍ଯ୍ୟନ୍ତ ଆସିଲା ନାହିଁ। ଏହା ହେଉଛି ଚନ୍ଦକା ଶିଳ୍ପାଞ୍ଚଳର ଗୁରୁତ୍ୱପୂର୍ଣ୍ଣ ଇନଫୋସିଟି ଅଞ୍ଚଳର ଘଟଣା।

ଏହା କେବଳ ଗୋଟିଏ ଦିନର ସମସ୍ୟା ନୁହେଁ, ବାରମ୍ବାର ଏ ଅଞ୍ଚଳରେ ଏଭଳି ବିଦ୍ୟୁତ ବିଭ୍ରାଟ ଘଟୁଛି। ଯେଉଁଥିପାଇଁ ଅଞ୍ଚଳରେ ଥିବା କିଛି କ୍ଷୁଦ୍ରଶିଳ୍ପ ସହ ବିଭିନ୍ନ ଶିକ୍ଷାନୁଷ୍ଠାନ ନାହିଁ ନ ଥିବା ସମସ୍ୟାର ସମ୍ମୁଖୀନ ହେଉଛନ୍ତି। ଶୈଳଶ୍ରୀବିହାର ବିଦ୍ୟୁତ ପେରିଫେରି ଡିଭିଜନ ଅଧୀନରେ ଆସୁଥିବା ଏହି ଅଞ୍ଚଳର ଲୋକେ ଏନେଇ ବାରମ୍ବାର ଅଭିଯୋଗ କଲେ ମଧ୍ୟ କିଛି ସୁଫଳ ମିଳୁନି। ଗ୍ରାହକଙ୍କ କହିବା କଥା ହେଉଛି ବିଦ୍ୟୁତ୍‌ ବିଭ୍ରାଟ ହେବା ନେଇ ଡିଭିଜନର ଜେଇଙ୍କୁ କିମ୍ବା ଅଫିସ ନମ୍ବରକୁ ଫୋନ୍ କଲେ ଅଧିକାଂଶ ସମୟରେ ନୋ-ରିପ୍ଲାଇ ଆସୁଛି। କେତେବେଳେ ଫୋନ୍ ଧରିଲେ, ଆମେ ଦେଖୁଛୁ ବୋଲି ଉତ୍ତର ମିଳୁଛି। କେନ୍ଦ୍ରୀୟ ଅଭିଯୋଗ ନମ୍ବର ୧୯୧୨ରେ ଅଭିଯୋଗ କଲେ ତାହାକୁ ଗ୍ରହଣ କରାଯାଏ, ମାତ୍ର ତତ୍କାଳ କୌଣସି ସହଯୋଗ ମିଳେ ନାହିଁ।

ସେହିପରି ଇନଫୋସିଟି ଛକରୁ ଶୈଳଶ୍ରୀବିହାର ସାଇ ମନ୍ଦିର ଦିଗରେ ମୁଖ୍ୟ ରାସ୍ତାର ବାମପାର୍ଶ୍ବରେ ଥିବା ଏଲଟି ଲାଇନ ଦୀର୍ଘ ବର୍ଷ ଧରି ଉଚିତ ରକ୍ଷଣାବେକ୍ଷଣ କରାଯାଉନାହିଁ। କେତେକ ଖୁଣ୍ଟରେ ତାର ସବୁ ଓହଳି, ପରସ୍ପର ଘଷିହୋଇ ମଝିରେ ମଝିରେ ନିଆଁ ଝୁଲ ବାହାରୁଛି। ସ୍ଥାନୀୟ ବିଦ୍ୟୁତ ଗ୍ରାହକମାନେ ଏହି ସବୁ ଖୁଣ୍ଟରେ ଏବି କେବୁଲ୍ ଟାଣିବା ପାଇଁ ଦାବି କରୁଥିଲେ ମଧ୍ୟ କୌଣସି ତ୍ବରିତ କାର୍ଯ୍ୟପନ୍ଥା ଗ୍ରହଣ କରାଯାଉ ନାହିଁ। ଏହାବାଦ୍‌ ଇନଫୋସିଟି ଛକରେ ଥିବା ଟ୍ରାନ୍ସଫର୍ମର ନିକଟରେ ବିଭିନ୍ନ ସମୟରେ ସମସ୍ୟା ସୃଷ୍ଟି ହେଉଛି। ଏହାକୁ ଠିକ୍ ଭାବରେ ରକ୍ଷଣାବେକ୍ଷଣ ଓ ମରାମତି କରା ନ ଯାଇ କାମଚଳା କରାଯାଉଥିବାରୁ ବାରମ୍ବାର ବିଦ୍ୟୁତ ବିଭ୍ରାଟ ଘଟୁଛି। ତେବେ ପ୍ରଶ୍ନ ଉଠୁଛି, ଏ ଅଞ୍ଚଳର ବିଦ୍ୟୁତ ଗ୍ରାହକମାନଙ୍କୁ ଏପରି ହଇରାଣ, ହରକତ କରୁଥିବା କେଉଁ ଅଧିକାରୀ ଏଥିପାଇଁ ଉତ୍ତରଦାୟୀ ରହିବେ? ଗତକାଲି ବର୍ଷା ପରେ ୧୫ ଘଣ୍ଟା ବିଦ୍ୟୁତ୍‌ ବିଭ୍ରାଟ ନେଇ ସ୍ଥାନୀୟ ଜେଇଙ୍କୁ ଯୋଗାଯୋଗ କରାଯାଇଥିଲେ ମଧ୍ୟ ସେ କୌଣସି ଉତ୍ତର ଦେଇ ନ ଥିଲେ।

ସମ୍ବନ୍ଧିତ ଖବର