ଭୁବନେଶ୍ବର : ରାଜଧାନୀର ବିଭିନ୍ନ ହାଟ, ବଜାରରେ କୋଭିଡ କଟକଣା ଉଲ୍ଲଂଘନ ହେବାରୁ ବିଏମ୍ସି ପକ୍ଷରୁ ୧୫ଟି ହାଟକୁ ନିକଟସ୍ଥ ପଡ଼ିଆ ଓ ଖୋଲା ସ୍ଥାନକୁ ସ୍ଥାନାନ୍ତର କରାଯାଇଛି। ଆଜି ବହୁ ହାଟ ନୂଆ ସ୍ଥାନକୁ ଉଠି ଯାଇଥିବାବେଳେ ବାକି ହାଟଗୁଡ଼ିକ ଶୁକ୍ରବାର ସ୍ଥାନାନ୍ତର ହେବ। ଆଗାମୀ ନିର୍ଦ୍ଦେଶନାମା ପ୍ରକାଶ ପାଇବା ପର୍ଯ୍ୟନ୍ତ ଏହି ହାଟଗୁଡ଼ିକ ଏଠାରେ ଚାଲିବ ବୋଲି କୁହାଯାଇଛି। ବ୍ୟବସାୟୀଙ୍କ ମଧ୍ୟରେ ୬ଫୁଟ୍ର ଦୂରତା ରହିବା ଭଳି ଜାଗା ଚିହ୍ନଟ କରାଯାଇଛି। ସମସ୍ତ ବ୍ୟବସାୟୀଙ୍କ ପାଇଁ ମାସ୍କ ପିନ୍ଧିବା ବାଧ୍ୟତାମୂଳକ କରାଯାଇଛି। ହାଟକୁ ଆସୁଥିବା ଲୋକ କୋଭିଡ କଟକଣା ମାନିବାକୁ ବିଏମ୍ସି ପକ୍ଷରୁ କୁହାଯାଇଛି।
ବିଏମ୍ସିରୁ ମିଳିଥିବା ସୂଚନା ଅନୁଯାୟୀ, ଦକ୍ଷିଣ-ପୂର୍ବ ଜୋନ୍ରେ ୮ଟି ହାଟକୁ ସ୍ଥାନାନ୍ତର କରାଯାଇଛି। ଏଥିରେ ୟୁନିଟ-୧ ହାଟକୁ ୟୁନିଟ-୧ ହାଇସ୍କୁଲ ଖେଳ ପଡ଼ିଆକୁ. ୟୁନିଟ-୪ ପରିବା ହାଟ ଓ ମାଛ ହାଟକୁ ଶାସ୍ତ୍ରୀ ନଗରରୁ ରେଡକ୍ରସ୍ ଭବନକୁ ସଂଯୋଗ କରୁଥିବା ରାସ୍ତାକୁ, ଲିଙ୍ଗରାଜ ହାଟକୁ ନିକଟସ୍ଥ ପାର୍କିଂ ଅଞ୍ଚଳକୁ, ସୁନ୍ଦରପଦା ହାଟକୁ ଏକାମ୍ର କଲେଜ ନିକଟସ୍ଥ ରାସ୍ତାକୁ, ବ୍ରହ୍ମେଶ୍ବର ହାଟକୁ ନିକଟସ୍ଥ ମେଳନ ପଡ଼ିଆକୁ, ନାଗେଶ୍ବର ଟାଙ୍ଗି ହାଟକୁ ରବି ଟକିଜ୍ ଓ ସାନିଟୋରିୟମ୍ ଛକକୁ ସଂଯୋଗ କରୁଥିବା ରାସ୍ତାକୁ, ସହିଦନଗର ହାଟକୁ ସହିଦନଗର ଦୁର୍ଗାପୂଜା ପଡ଼ିଆକୁ ସ୍ଥାନାନ୍ତର କରାଯାଇଛି। ଆଜିଠାରୁ ୟୁନିଟ-୪ ହାଟ ଓ ନାଗେଶ୍ବର ଟାଙ୍ଗି ହାଟ ନୂଆ ସ୍ଥାନରେ ଖୋଲିଥିବାବେଳେ ଶୁକ୍ରବାରଠାରୁ ବାକି ହାଟ ନୂଆ ସ୍ଥାନରେ ଖୋଲିବ।
ସେହିପରି ଦକ୍ଷିଣ-ପଶ୍ଚିମ ଜୋନ୍ରେ ସିରିପୁର, ଡୁମଡୁମା, ଆଇଡି ମାେର୍କଟ ଓ ରୁଚିକା ହାଟକୁ ସ୍ଥାନାନ୍ତର କରାଯାଇଛି। ଆଜି ଡୁମଡୁମା ହାଟକୁ ଫେଜ୍-୨କୁ ସ୍ଥାନାନ୍ତର କରାଯାଇଥିବାବେଳେ ଆଇଡି ମାର୍କେଟ ହାଟ ନୂଆପଲ୍ଲୀ ଦୁର୍ଗା ପୂଜା ପଡ଼ିଆକୁ ଉଠିଛି। ବାକି ହାଟ ଶୁକ୍ରବାର ସ୍ଥାନାନ୍ତର ହେବ।
ଉତ୍ତର ଜୋନ୍ରେ ଭିଏସ୍ଏସ୍ ନଗର ହାଟ ରାସ୍ତା ଉପରକୁ ଉଠିଥିବାବେଳେ ପଳାସୁଣି ହାଟରେ ବ୍ୟବସାୟୀଙ୍କୁ ସେହି ସ୍ଥାନରେ ୬ଫୁଟର ଦୂରତା ରଖି ବସିବାକୁ କୁହାଯାଇଛି। ଶୁକ୍ରବାର ଡମଣା ହାଟ ଓ ଚନ୍ଦ୍ରଶେଖରପୁର ତାରିଣୀ ହାଟକୁ ନୂଆ ସ୍ଥାନକୁ ସ୍ଥାନାନ୍ତର କରାଯିବ।
ହାଟରେ ଯେପରି ସମସ୍ତେ କୋଭିଡ କଟକଣା ମାନିବେ ସେନେଇ ଜୋନାଲ୍ ଡେପୁଟି କମିସନରମାନେ ନିୟମିତ ବ୍ୟବଧାନରେ ଯାଞ୍ଚ କରିବେ। ସ୍ଥାନୀୟ ଏସିପି ଓ ଥାନାଧିକାରୀଙ୍କୁ ନେଇ ଚଢ଼ଉ କରିବାକୁ କୁହାଯାଇଛି।