ଭୁବନେଶ୍ବର: କିଏ ଉଚ୍ଚଶିକ୍ଷା ବାହାନାରେ ତ କିଏ ପରିଭ୍ରମଣ ଆଳରେ ଭାରତ ଆସୁଛନ୍ତି। ପୁଣି କିଛି କିଛି ଫୁଟ୍ବଲ ଭଳି ବିଭିନ୍ନ ଖେଳରେ ଅଂଶଗ୍ରହଣ କରିବାକୁ ଭାରତ ଆସୁଛନ୍ତି। କିନ୍ତୁ ସେମାନଙ୍କ ମୂଳ ଲକ୍ଷ୍ୟ ଲୁଟ୍ ଓ ଡ୍ରଗ୍ସ ଭଳି ଜହର କାରବାର। ଦିଲ୍ଲୀ ଓ ବେଙ୍ଗାଲୁରୁ ଭଳି ମେଟ୍ରୋ ସହରରେ ଆଡ଼ା ଜମାଇ ସେମାନେ ଭାରତୀୟମାନଙ୍କୁ ସାଇବର ମାୟାଜାଲରେ ଫସାଇ ଲୁଟୁଛନ୍ତି। ଗୁରୁତ୍ବପୂର୍ଣ୍ଣ କଥା ହେଉଛି ଏମାନେ ହନିଟ୍ରାପ୍ ଓ ହ୍ୟାକିଂ ଭଳି ଅତ୍ୟାଧୁନିକ ଠକେଇ ପଦ୍ଧତିରେ ବେଶ୍ ଧୁରନ୍ଧର ଏବଂ ବଡ଼ ଚତୁରତାର ସହ କେବଳ ବଡ଼ବଡ଼ିଆଙ୍କୁ ଟାର୍ଗେଟ୍ କରୁଛନ୍ତି। ଗତ ୬ ବର୍ଷ ମଧ୍ୟରେ ଓଡ଼ିଶା ପୁଲିସ ବିଦେଶୀ ଠକ ହିସାବରେ ୧୫ ନାଇଜେରୀୟଙ୍କୁ ବାନ୍ଧିଲାଣି। ସେହିଭଳି ଦିଲ୍ଲୀ ପୁଲିସ ମଧ୍ୟ ବହୁ ନାଇଜେରୀୟ ଠକ ଓ ଡ୍ରଗ୍ସ ବେପାରୀଙ୍କୁ ଗିରଫ କରିଛି। ଗତ କିଛି ବର୍ଷ ଭିତରେ ନାଇଜେରୀୟ ଗ୍ୟାଙ୍ଗ୍ ସେମାନଙ୍କ ଏଜେଣ୍ଟଙ୍କ ଜରିଆରେ ସମଗ୍ର ଦେଶରେ କାୟା ବିସ୍ତାର କରିସାରିଲେଣି।
ଏହି ନାଇଜେରୀୟ ଗ୍ୟାଙ୍ଗ୍ରେ ଭାରତୀୟ ଯୁବକ ଓ ମହିଳାମାନେ ସାମିଲ ହେଉଛନ୍ତି। ଦିଲ୍ଲୀ ଓ ବେଙ୍ଗାଲୁରୁ ଭଳି ସହରର ବିଭିନ୍ନ କ୍ୟାସିନୋରେ ଏହି ମହାଧୂର୍ତ୍ତ ନାଇଜେରୀୟ ଯୁବକମାନେ ଭାରତୀୟ ଯୁବତୀ ଓ ଯୁବକଙ୍କୁ ମାୟାଜାଲରେ ଫସାଇଥାଆନ୍ତି। ସାଇବର ଠକେଇରେ ଧୁରୀଣ ଏହି ଯୁବକମାନେ ଭାରତୀୟ ଏଜେଣ୍ଟଙ୍କ ସହଯୋଗରେ ଶିକାରକୁ ଟାର୍ଗେଟ୍ କରନ୍ତି। କାହାକୁ ହନିଟ୍ରାପ୍ରେ ଫସାନ୍ତି ତ କାହାର ମେଲ୍ ହ୍ୟାକ୍ କରି ବ୍ଲାକ୍ମେଲ୍ କରନ୍ତି। ସେହିଭଳି ନିଜକୁ କଷ୍ଟମସ୍ ଅଧିକାରୀର ପରିଚୟ ଦେଇ ଡ୍ରଗ୍ସ ପାର୍ସଲ୍ ଧରାହୋଇଛି ବୋଲି ଫୋନ୍ରେ ଧମକ ଦେଇ ଲକ୍ଷଲକ୍ଷ ଟଙ୍କା ଝଡ଼ାଇ ଥାଆନ୍ତି। ଗତକାଲି କମିସନରେଟ୍ ପୁଲିସ ଏଭଳି ୨ ଠକଙ୍କୁ ଦିଲ୍ଲୀରୁ ଗିରଫ କରିଛି। ସେମାନଙ୍କ ସହ ଜଣେ ଭାରତୀୟ ମହିଳା ମଧ୍ୟ ଗିରଫ ହୋଇଛନ୍ତି। ଅଭିଯୁକ୍ତା ମହିଳାଙ୍କ ଜରିଆରେ ଏହି ଦୁଇ ମହାଠକ ଓଡ଼ିଶାର ଜଣେ ମହିଳାଙ୍କଠାରୁ ଅଢ଼େଇ କୋଟି ଟଙ୍କା ଠକି ନେଇଥିବା ଅଭିଯୋଗ ହୋଇଛି। କେଶର ବ୍ୟବସାୟ ନାଁରେ ଏମାନେ ଅଭିଯୋଗକାରିଣୀଙ୍କୁ ଚୂନ ଲଗାଇଥିଲେ। ୨୦୧୮ ଡିସେମ୍ବର ୧୭ରେ ଦିଲ୍ଲୀରୁ ନାଇଜେରୀୟ ନାବ୍ୟୁଏଜା ଚୁକୁଲୁଡି ସହ ଜଣେ ଭାରତୀୟ ପୀୟୂଷ ଆର୍ଯ୍ୟ ସାଇବର ଠକେଇ ଅଭିଯୋଗରେ ଗିରଫ ହୋଇଥିଲେ। ଏମାନେ ପୁରୀର ଜଣେ ମହିଳାଙ୍କଠାରୁ ୪୧ ଲକ୍ଷ ଟଙ୍କା ଠକେଇ କରିବା ଅଭିଯୋଗରେ ଓଡ଼ିଶା କ୍ରାଇମ୍ବ୍ରାଞ୍ଚ ଗିରଫ କରିଥିଲା। ବିଦେଶରୁ ଗିଫ୍ଟ ପାର୍ସଲ୍ ଆସିଛି ଏବଂ କଷ୍ଟମସ୍ ବିଭାଗ ଜବତ କରିଛି ବୋଲି ମହିଳାଙ୍କୁ ଧମକ ଦେଇ ସେମାନେ ଠକେଇ କରିଥିଲେ। ସେହିଭଳି ୨୦୨୧ ନଭେମ୍ବରରେ ତତ୍କାଳୀନ ଓକାକ୍ ସିଇଓ (ସିଏସି)ଙ୍କ ହ୍ବାଟ୍ସଆପ୍ ଆକାଉଣ୍ଟକୁ ହ୍ୟାକ୍ କରାଯାଇଥିଲା ଏବଂ ସିଇଓଙ୍କ ମିଥ୍ୟା ପରିଚୟ ଦେଇ ସାଇବର ଠକ ସିଇଓଙ୍କ ଜଣେ ସମ୍ପର୍କୀୟଙ୍କଠାରୁ ୭ ଲକ୍ଷ ଟଙ୍କା ଉଡ଼ାଇ ନେଇଥିଲେ। ସେତେବେଳେ ଏହି ମାମଲାରେ ଦିଲ୍ଲୀ ପୁଲିସ ହାତରେ ନାଇଜେରୀୟ ଗ୍ୟାଙ୍ଗ୍ ଧରାପଡ଼ିଥିଲା।
ବେଙ୍ଗାଲୁରୁରେ ରହି ଏହି ଗ୍ୟାଙ୍ଗ୍ ଓଡ଼ିଶାରୁ ଲୁଟ୍ କରିଥିଲେ। ୨୦୨୧ ଅଗଷ୍ଟ ୨୮ରେ ୨ ନାଇଜେରୀୟ ଯୁବକ ବାଲେଶ୍ବରର ଜଣେ ବ୍ୟକ୍ତିଙ୍କୁ ହନିଟ୍ରାପ୍ରେ ଫସାଇ ୩୦ ଲକ୍ଷ ଟଙ୍କା ଲୁଟି ନେଇଥିଲେ। ହନିଟ୍ରାପ୍ କରିଥିବା ମହିଳାଜଣଙ୍କ ବନ୍ଧୁତା ସ୍ଥାପନ କରି ଗିଫ୍ଟ, ଗୋଲ୍ଡ ବିସ୍କୁଟ୍ ଓ ଦାମୀ ଵାଚ୍ ପଠାଇଥିବା ଫୋନ୍ କରି ଜଣାଇଥିଲେ। ପରେ ଉକ୍ତ ପାର୍ସଲ୍ଟି ଦିଲ୍ଲୀ ଏୟାର୍ପୋର୍ଟରେ ଜବତ କରାଯାଇଛି ବୋଲି ଧୂର୍ତ୍ତ ନାଇଜେରୀୟ ଯୁବକଜଣକ କଷ୍ଟମସ୍ ଅଧିକାରୀ ସାଜି ଫୋନ୍ରେ ଧମକାଇଥିଲା। ମାମଲାର ରଫାଦଫା ପାଇଁ ନକଲି କଷ୍ଟମସ୍ ଅଧିକାରୀ ୩୦ ଲକ୍ଷ ଟଙ୍କା ଦାବି କରିଥିଲା। ବାଲେଶ୍ବର ଜିଲ୍ଲା ସାଇବର ଵିଙ୍ଗ୍ ଏହି ନାଇଜେରିୟ ଠକ ସହିତ ହନିଟ୍ରାପ୍ କରିଥିବା ମହିଳାଙ୍କୁ ଗିରଫ କରିଥିଲା। ୨୦୨୨ ଡିସେମ୍ବର ୧୫ରେ ଓଡ଼ିଶାର ଜଣେ ମହିଳାଙ୍କ ସହ ନେଦରଲାଣ୍ଡର ଜଣେ ଗାଇନାକୋଲୋଜିଷ୍ଟ ଫେସ୍ବୁକ୍ ଜରିଆରେ ବନ୍ଧୁତା ସ୍ଥାପନ କରିଥିଲେ। କିନ୍ତୁ ସେ ନକଲି ବା ଛଦ୍ମବେଶୀ ଥିଲେ। ପରେ ଓଡ଼ିଶା ବୁଲିବାକୁ ଆସିଥିଲେ ଏବଂ ତାଙ୍କ ପାଖରେ ଥିବା ୯୦,୦୦୦ ୟୁରୋକୁ ଦିଲ୍ଲୀ ଏୟାର୍ପୋର୍ଟରେ ଜବତ କରାଯାଇଛି ବୋଲି ଓଡ଼ିଶାର ମହିଳାଙ୍କୁ ଫୋନ୍ କରିଥିଲେ। ନକଲି କଷ୍ଟମସ୍ ଅଧିକାରୀ ମାମଲାର ରଫାଦଫା ପାଇଁ ୨୮ ଲକ୍ଷ ୬୭ ହଜାର ଟଙ୍କା ଦାବି କରିଥିଲେ। ନକଲି ନେଦରଲାଣ୍ଡ ଡାକ୍ତର ଏହି ଟଙ୍କା ଓଡ଼ିଶା ଯାଇ ଫେରାଇବ ବୋଲି କହିଥିଲା। ମହିଳାଜଣକ ଠକର ଚାଲ୍ ବୁଝି ନପାରି ଟଙ୍କା ଦେଇ ଠକେଇର ଶିକାର ହୋଇଥିଲେ। ଏହି ମାମଲାରେ ଓଡ଼ିଶା ପୁଲିସ ଧୂର୍ତ୍ତ ନାଇଜେରିୟ ପାଟ୍ରିକ୍ ଚିଜୋରାମ୍ ଓର୍ଜାକାକୁ ଦିଲ୍ଲୀରୁ ଗିରଫ କରିଥିଲା। ସେହିଭଳି ଚଳିତ ବର୍ଷ ମାର୍ଚ୍ଚରେ ନେଟ୍ ବ୍ୟାଙ୍କିଂ ନାଁରେ ଠକୁଥିବା ଏକ ଗ୍ୟାଙ୍ଗ୍ର ୧୧ ଜଣଙ୍କୁ ଗିରଫ କରାଯାଇଥିଲା। ସେମାନଙ୍କ ମଧ୍ୟରେ ୭ ନାଇଜେରୀୟ ଥିଲେ।