ରାଜଧାନୀରେ ୧୫ ପ୍ଲାଟୁନ ଫୋର୍ସ ମୁତୟନ, ନଦୀପଠା ସମେତ ୫ଟି ସ୍ଥାନରେ ରହିବେ ଓଡ୍ରାଫ ଟିମ୍‌

ଭୁବନେଶ୍ବର : ରାଜଧାନୀରେ ହୋଲିକୁ ସୁରକ୍ଷିତ ଭାବେ ପାଳନ କରିବା ପାଇଁ କମିସନରେଟ ପୁଲିସ ପକ୍ଷରୁ କଡ଼ା ସୁରକ୍ଷା ବ୍ୟବସ୍ଥା କରାଯାଇଛି। ବିଭିନ୍ନ ସ୍ଥାନରେ ପୁଲିସ ପଇଁତରା ମାରିବା ସହିତ ନଦୀପଠା ଓ ଅନ୍ୟ ସ୍ଥାନଗୁଡ଼ିକରେ ଓଡ୍ରାଫ ଟିମ୍‌ ମୁତୟନ ହେ‌େବ। ଏପରିକି ସହରର ବିଭିନ୍ନ ସ୍ଥାନରେ କ୍ୟୁଆର୍‌ଟି ଫୋର୍ସ ମୁତୟନ ମଧ୍ୟ ହେବେ।

ଡିସିପି ଅନୁପ ସାହୁଙ୍କଠାରୁ ମିଳିଥିବା ସୂଚନା ମୁତାବକ, ରାଜଧାନୀରେ ୧୫ ପ୍ଲାଟୁନ୍‌ ପୁଲିସ ଫୋର୍ସ ମୁତୟନ ହେବେ। ୧୬ଟି ସ୍ଥାନରେ ପାଟ୍ରୋଲିଂ ଟିମ୍‌ ଦିନ ତମାମ ଘୂରି ବୁଲି‌େବ। ୨୮ଟି ସ୍ଥାନରେ ପୁଲିସ ଚେକ୍‌ ପୋଷ୍ଟ ମାଧ୍ୟମରେ ଚେକିଂ କରିବ।

ସେହିପରି ହୋଲି ଖେଳ ସରିବା ପରେ ଅନେକ ଗାଧୋଇବା ପାଇଁ ରାଜଧାନୀ ଉପକଣ୍ଠରେ ଥିବା ନଦୀପଠାକୁ ଯିବେ। ନଦୀପଠାରେ ବିଗତ ବର୍ଷମାନଙ୍କରେ ଅଘଟଣ ଘଟିଛି। ଏହି କାରଣରୁ ରାଜଧାନୀ ଉପକଣ୍ଠ କୁଆଖାଇ, ପୁରୀ କେନାଲ, ଭାର୍ଗବୀ, ଦୟା, କେଦାରଗୌରୀ ଓ ଗୁଆଝରରେ ୫ଟି ଓଡ୍ରାଫ୍‌ ଟିମ ନି‌ୟୋଜିତ ହେବେ ବୋଲି ଡିସିପି ଶ୍ରୀ ସାହୁ କହିଛନ୍ତି।

ହୋଲି ଖେଳିବାର ବିଭିନ୍ନ ନିୟମ ସଂପର୍କରେ ସୂଚନା

୧- ଯେଉଁମାନେ ହୋଲି ଖେଳିବା ପାଇଁ ଆଗ୍ରହ ପ୍ରକାଶ କରୁନାହାନ୍ତି, ସେମାନଙ୍କ ସହ ହୋଲି ଖେଳନ୍ତୁ ନାହିଁ
୨- ଅଜଣା ବ୍ୟକ୍ତିଙ୍କୁ ରଙ୍ଗ ବୋଳନ୍ତୁ ନାହିଁ, କିମ୍ବା ରଙ୍ଗ ବେଲୁନ ଫିଙ୍ଗନ୍ତୁ ନାହିଁ
୩- କୌଣସି ରସାୟନିକ ରଙ୍ଗର ବ୍ୟବହାର କରନ୍ତୁ ନାହିଁ
୪- ହୋଲି ଖେଳିବା ସମୟରେ ଯୁବତୀ, ମହିଳା କିମ୍ବା ନାବାଳିକାମାନଙ୍କୁ ଅସଦାଚରଣ କରନ୍ତୁ ନାହିଁ
୫- ହୋଲି ଖେଳ ସରିବା ପହଁରା ଜାଣି ନ ଥିଲେ ନଦୀରେ ଗାଧାନ୍ତୁ ନାହିଁ
୬- ହୋଲି ଖେଳିବା ସମୟରେ ଶାନ୍ତିଶୃଙ୍ଖଳା ରକ୍ଷା କରନ୍ତୁ
୭- ମଦ୍ୟପାନ କରନ୍ତୁ ନାହିଁ, କିମ୍ବା ବାଇକରେ ବୁଲି ବୁଲି ରଙ୍ଗ ଖେଳନ୍ତୁ ନାହିଁ

ସମ୍ବନ୍ଧିତ ଖବର