ରାଜଧାନୀରେ ଏ ବର୍ଷ‌ର ସର୍ବାଧିକ, ଦିନକରେ ୧୫୦ ଆକ୍ରାନ୍ତ

କ୍ୟାପିଟାଲ ହସ୍ପିଟାଲରେ ଡାକ୍ତର, ରୋଗୀ ପଜିଟିଭ୍

ଭୁବନେଶ୍ବର : ଚଳିତବର୍ଷ ରାଜଧାନୀରେ ସର୍ବାଧିକ ସଂକ୍ରମଣ ଦେଖିବାକୁ ମିଳିଛି। ଗୋଟିଏ ଦିନରେ ୧୫୦ ଆକ୍ରାନ୍ତ ଚିହ୍ନଟ ହୋଇଛନ୍ତି। ଏଥିରେ ୩୩ଜଣ ସଙ୍ଗରୋଧରରୁ ଓ ୧୧୭ଜଣ ଲୋକାଲ କଣ୍ଟାକ୍ଟସ୍ ରହିଛନ୍ତି। ଗତ କିଛିଦିନ ହେବ ରାଜଧାନୀରେ କରୋନା ସଂକ୍ରମଣ ଶହେ ଉପରେ ରହୁଥିବା ବେଳେ ଗତ ୨୪ଘଣ୍ଟାରେ ଏଥିରେ ଯଥେଷ୍ଟ ବୃଦ୍ଧି ଦେଖିବାକୁ ମିଳିଛି।

ରାଜ୍ୟରେ କରୋନାର ଦ୍ବିତୀୟ ଲହର ଆରମ୍ଭ ହୋଇଛି। ପଶ୍ଚିମ ଓଡ଼ିଶାର ୧୦ଟି ଜିଲ୍ଲାକୁ ବାଦ୍ ଦେଲେ ଖୋର୍ଧା ଜିଲ୍ଲା, ବିଶେଷକରି ଭୁବନେଶ୍ବର ସଂକ୍ରମଣର ଅନ୍ୟତମ ପେଣ୍ଠସ୍ଥଳୀ ପାଲଟିଛି। ଗତବର୍ଷ ରାଜଧାନୀର ଅଧିକାଂଶ ବସ୍ତି ଅଞ୍ଚଳ ଓ ଆପାର୍ଟମେଣ୍ଟରୁ ଆକ୍ରାନ୍ତଙ୍କୁ ଚିହ୍ନଟ କରାଯାଉଥିଲା। ମାତ୍ର ଚଳିତବର୍ଷ ଏକାଧିକ ଶିକ୍ଷାନୁଷ୍ଠାନ, ବ୍ୟାଙ୍କ, ସ୍କୁଲ ଓ ଅନ୍ୟ ସ୍ଥାନରୁ ସଂକ୍ରମିତଙ୍କ ସଂଖ୍ୟା ବଢ଼ିଛି। ସଂକ୍ରମଣକୁ ନିୟନ୍ତ୍ରଣ କରିବା ଲାଗି ମାସ୍କ, ସାମାଜିକ ଦୂରତା ପାଇଁ ରାଜଧାନୀବ୍ୟାପୀ ଜୋରଦାର ଚଢ଼ାଉ ଜାରି ରହିଛି। ସ୍ବାସ୍ଥ୍ୟ ବିଭାଗର ବରିଷ୍ଠ ଅଧିକାରୀମାନେ ଭୁବନେଶ୍ବରରେ ଅନ୍ୟ ରାଜ୍ୟରୁ ଗମାନଗମନ ସୁବିଧା ରହିଥିବାରୁ ଏଠାରେ ସଂକ୍ରମଣ ବଢ଼ିବା ସ୍ବାଭାବିକ ବୋଲି ଆକଳନ କରୁଛନ୍ତି। ଅପରପକ୍ଷରେ ରାଜଧାନୀରେ ଗୋଟିଏ ଦିନରେ ୫୪ଜଣ ଆକ୍ରାନ୍ତ ସୁସ୍ଥ ହୋଇଛନ୍ତି। ରାଜଧାନୀରେ ମୋଟ ସୁସ୍ଥ ରୋଗୀଙ୍କ ସଂଖ୍ୟା ୩୨,୧୫୭କୁ ବୃଦ୍ଧି ପାଇଛି। ଏହାସହ ଚିକିତ୍ସାଧୀନ ରୋଗୀଙ୍କ ସଂଖ୍ୟା ୭୬୫କୁ ବୃଦ୍ଧି ପାଇଛି।

କ୍ୟାପିଟାଲ ହସ୍ପିଟାଲରେ ଡାକ୍ତର, ରୋଗୀ ପଜିଟିଭ୍
ଭୁବନେଶ୍ବର : କ୍ୟାପିଟାଲ ହସ୍ପିଟାଲରୁ ଆଜି ୨ଜଣ କରୋନା ସଂକ୍ରମିତ ଚିହ୍ନଟ ହୋଇଛନ୍ତି। ସେମାନଙ୍କ ମଧ୍ୟରେ ଜଣେ ଡାକ୍ତର ଓ ଅନ୍ୟ ଜଣେ ରୋଗୀ ରହିଛନ୍ତି। ଡାକ୍ତରଜଣଙ୍କ ଗୃହ ପୃଥକାବାସରେ ରହିଥିବା ବେଳେ ରୋଗୀଙ୍କୁ କୋଭିଡ୍‌ ହସ୍ପିଟାଲକୁ ସ୍ଥାନାନ୍ତର କରାଯାଇଛି।

ସୂଚନାଯୋଗ୍ୟ, ଡାକ୍ତରଜଣକ କରୋନାର ଦୁଇଟି ଡୋଜ୍ ଟିକା ନେଇସାରିଥିଲେ ହେଁ ଏବେ ପଜିଟିଭ୍ ଚିହ୍ନଟ ହୋଇଛନ୍ତି। ଅପରପକ୍ଷେ ସଂପୃକ୍ତ ଡାକ୍ତରଙ୍କ ସଂସ୍ପର୍ଶରେ ଆସିଥିବା ବ୍ୟକ୍ତିମାନଙ୍କ ମଧ୍ୟ କୋଭିଡ୍‌ ପରୀକ୍ଷା କରାଯାଇଛି। ସେମାନଙ୍କ ରିପୋର୍ଟ ନେଗେଟିଭ୍ ଆସିଥିବା ବେଳେ କିଛି ଦିନ ପରେ ସେମାନଙ୍କର ଆର୍‌ଟି-ପିସିଆର ପରୀକ୍ଷା କରାଯିବ ବୋଲି ଜଣାପଡ଼ିଛି।

କ୍ୟାପିଟାଲ ହସ୍ପିଟାଲ ନିର୍ଦେଶକ ଡା. ଲକ୍ଷ୍ମୀଧର ସାହୁ କହିଛନ୍ତି, ସର୍ଜରି ବିଭାଗର ଡାକ୍ତରଜଣକ ପୂର୍ବରୁ ଟିକା ନେଇଥିଲେ। ଏବେ ପଜିଟିଭ୍ ଚିହ୍ନଟ ହୋଇଛନ୍ତି। ଦ୍ବିତୀୟ ଲହରରେ ଏହା ପ୍ରଥମ ଘଟଣା। ଏ ଦୃଷ୍ଟିରୁ ହସ୍ପିଟାଲର କର୍ମଚାରୀମାନଙ୍କୁ କୋଭିଡ୍‌ ପ୍ରୋଟୋକଲ ଅନୁକରଣ କରିବା ଲାଗି ନିର୍ଦ୍ଦେଶ ଦିଆଯାଇଛି। ହସ୍ପିଟାଲରେ ଏବେ ରୋଗୀଙ୍କ ସଂଖ୍ୟା ଅହେତୁକ ଭାବେ ବୃଦ୍ଧି ପାଇଥିବାରୁ କୋଭିଡ୍‌ କାଳରେ ଏହା କଷ୍ଟକର ହୋଇ ପଡ଼ିଥିବା ଡା. ସାହୁ ସୂଚନା ଦେଇଛନ୍ତି।

ସମ୍ବନ୍ଧିତ ଖବର