ବାଲିଅନ୍ତା ବ୍ଲକରେ କରୋନା ମୁକାବିଲା : ୧୫୦ଜଣଙ୍କ ସ୍ବାବ୍‌ ପରୀକ୍ଷା, ସବୁ ନେଗେଟିଭ୍‌

୭ଦିନ ଧରି ଜ୍ବର ଥିବା ୩୯୦ ଜଣଙ୍କୁ ଔଷଧ ବଣ୍ଟନ, ଅଧିକାଂଶ ଭାଇରାଲ ଜ୍ବରରେ ପୀଡ଼ିତ ଥିଲେ

ବାଲିଅନ୍ତା : ବାଲିଅନ୍ତାରେ କରୋନା ରୋଗୀଙ୍କୁ ଚିହ୍ନଟ ପାଇଁ ଗତ ୯ ତାରିଖରୁ ଆରମ୍ଭ ହୋଇଥିବା ଅଭିଯାନ ଜୋରଦାର ଚାଲିଛି। ଆଶା, ଅଙ୍ଗନବାଡ଼ି ଓ ସ୍ବାସ୍ଥ୍ୟକର୍ମୀ ଘରକୁ ଘର ବୁଲି ଲୋକଙ୍କୁ ସେଚତନ କରିବା ସହ ଥଣ୍ଡା, କାଶ ଓ ଜ୍ବରରେ ପୀଡ଼ିତ ଲୋକଙ୍କୁ ଔଷଧ ବଣ୍ଟନ କରୁଛନ୍ତି। ସନ୍ଦେହ ହେଲେ ରାପିଡ୍‌ ରେସପନ୍ସ ଟିମ୍‌ (ଆର୍‌ଆର୍‌ଟି) ସହାୟତାରେ ଲୋକଙ୍କ ନମୁନା ସଂଗ୍ରହ କରି କୋଭିଡ୍‌-୧୯ ପରୀକ୍ଷା ପାଇଁ ପଠାଯାଉଛି। ତେବେ ବର୍ତ୍ତମାନ ସୁଦ୍ଧା ବ୍ଲକରେ କେହି ଜଣେ ହେଲେ ବି କରୋନା ଆକ୍ରାନ୍ତ ଚିହ୍ନଟ ହୋଇନଥିବା ଜଣାଯାଇଛି। ୫ରୁ ୭ଦିନ ଧରି ଜ୍ବରରେ ପୀଡ଼ିତ, କରୋନାର କିଛି ଲକ୍ଷଣ ଥିବା ଏବଂ ପଞ୍ଚାୟତ ସଙ୍ଗରୋଧ କେନ୍ଦ୍ର‌ରେ ଥିବା କିଛି ସଂଦିଗ୍ଧଙ୍କୁ ମିଶାଇ ମୋଟ ୧୫୦ଜଣଙ୍କ ସ୍ବାବ୍‌ ପରୀକ୍ଷା ପାଇଁ ଏମ୍‌ସ୍‌ ହସ୍ପିଟାଲକୁ ପଠାଯାଇଥିଲା। ହେଲେ ସବୁତକ ନମୁନାର ରିପୋର୍ଟ ନେଗେଟିଭ୍‌ ରହିଥିବା ଜଣାଯାଇଛି। ଯେଉଁମା‌ନେ ଦୀର୍ଘ ଦିନ ଧରି ଜ୍ବରରେ ପୀଡ଼ିତ ଥିଲେ, ପରୀକ୍ଷା କରି ଟାଇଫଏଡ୍‌, ମ୍ୟାଲେରିଆ ଓ ଭାଇରାଲ ଫିଭର୍‌ ‌ଔଷଧ ଖାଇବା ପରେ ଆରୋଗ୍ୟ ଲାଭ କରିଛନ୍ତି।

ବାଳକାଟି ଗୋଷ୍ଠୀ ସ୍ବାସ୍ଥ୍ୟକେନ୍ଦ୍ରର ଭାରପ୍ରାପ୍ତ ସ୍ବାସ୍ଥ୍ୟ ଅଧିକାରୀ ଡାକ୍ତର ତନ୍ମୟ ତ୍ରିପାଠୀଙ୍କ ସୂଚନାନୁଯାୟୀ, ଯେଉଁମାନଙ୍କଠାରେ ଦୀର୍ଘ ଦିନ ଧରି ଜ୍ବର ଲାଗି ରହୁଛି, ଖବର ପାଇବା କ୍ଷଣି ଆର୍‌ଆର୍‌ଟି ଗାଡ଼ି ପହଞ୍ଚି ଚିକିତ୍ସା କରୁଛି। ବ୍ଲକର ୧୬ଟି ଯାକ ପଞ୍ଚାୟତରେ ବର୍ତ୍ତମାନ ସୁଦ୍ଧା ୩୯୦ଜଣ ଲୋକଙ୍କୁ ମାଗଣାରେ ଥଣ୍ଡା, କାଶ ଓ ଜ୍ବର ଔଷଧ ଖାଇବାକୁ ଦିଆଯାଇଛି। ଅପରପକ୍ଷେ ଅଙ୍ଗନବାଡ଼ି, ଆଶାକର୍ମୀ ଓ ସ୍ବାସ୍ଥ୍ୟ‌କର୍ମୀ ଘରକୁ ଘର ବୁଲି ଲୋକଙ୍କ ସ୍ବାସ୍ଥ୍ୟାବସ୍ଥା ସଂପର୍କରେ ପଚାରି ବୁଝୁଛନ୍ତି।

୧୨୧୪ ଜଣଙ୍କର ହେଲା ରାପିଡ୍‌ ଟେଷ୍ଟ
ଭୁବନେଶ୍ବର : ରାଜଧାନୀରେ ୭ଦିନରେ ୫ହଜାର ରାପିଡ୍‌ ଟେଷ୍ଟ କରି ‌କରୋନାକୁ ନିୟନ୍ତ୍ରଣ କରିବାକୁ ରାଜ୍ୟ ସରକାର ଲକ୍ଷ୍ୟ ରଖିଛନ୍ତି। ଏଥିପାଇଁ ଭୁବନେଶ୍ବରରେ ରାପିଡ୍‌ ଟେଷ୍ଟ ଜୋରଦାର୍ କରାଯାଇଛି। ଶନିବାର ରାପିଡ୍‌ ଓ ସ୍ବାବ୍‌ ଟେଷ୍ଟକୁ ମିଶାଇ ମୋଟ୍‌ ୮୩୮ ନମୁନାର ପରୀକ୍ଷା ହୋଇଥିବା ବେଳେ ଆଜି ସମସ୍ତ ନମୁନାର ରାପିଡ୍‌ ଟେଷ୍ଟ ହୋଇଛି। ଆଜି ମୋଟ୍‌ ୧୨୧୪ଟି ‌ରାପିଡ୍‌ ଟେଷ୍ଟ ହୋଇଥିବା ବିଏମ୍‌ସି ପକ୍ଷରୁ କୁହାଯାଇଛି। ମିଳିଥିବା ସୂଚନା ଅନୁଯାୟୀ, ଆଜି ଦକ୍ଷିଣ-ପୂର୍ବ ଜୋନ୍‌ରେ ୮୦୦ ଜଣଙ୍କର ରାପିଡ୍‌ ଟେଷ୍ଟ ହୋଇଥିବା ବେଳେ ଉତ୍ତର ଜୋନ୍‌ରେ ୧୯୯ଟି ଏବଂ ଦକ୍ଷିଣ-ପଶ୍ଚିମ ଜୋନ୍‌ରେ ୨୧୫ଟି ରାପିଡ୍‌ ଟେଷ୍ଟ ହୋଇଛି। ସମସ୍ତଙ୍କର ନମୁନା ସଂଗ୍ରହ କରି ୧୫ରୁ ୨୦ମିନିଟ ଭିତରେ ରିପୋର୍ଟ ଦିଆଯାଉଛି। ଆଜି ବି ସମସ୍ତଙ୍କର ରିପୋର୍ଟ ନେଗେଟିଭ୍ ଆସିଛି।

ସମ୍ବନ୍ଧିତ ଖବର