ହକି ବିଶ୍ବକପ୍ ପୂର୍ବରୁ ଗଡ଼ିବ ୧୫୦୦ ବାଇସାଇକେଲ୍

ପବ୍ଲିକ ବାଇସାଇକେଲ୍ ସେୟାରିଂ ପାଇଁ ବାଟ ଖୋଲିଲା

ଭୁବନେଶ୍ବର: ସ୍ମାର୍ଟ ସିଟି ଭୁବନେଶ୍ବରରେ ଲୋକଙ୍କୁ ସୁଲଭ ମୂଲ୍ୟରେ ଭଡ଼ାରେ ସାଇକେଲ୍‌ ଦେବା ପାଇଁ ପୁଣି ବାଟ ଖୋଲିଛି। ‘ମୋ ବାଇକ୍’ କମ୍ପାନି ଶେଷ ମୁହୂର୍ତ୍ତରେ ଚୁକ୍ତିରୁ ଓହରିଯିବା ପରେ ଭୁବନେଶ୍ବର ସ୍ମାର୍ଟ ସିଟି ଲିମିଟେଡ୍ (ବିଏସ୍‌ସିଏଲ୍‌) ପକ୍ଷରୁ ପୁଣି ଏନେଇ ଟେଣ୍ଡର ଆହ୍ବାନ ହୋଇଥିଲା। ଏଥିରେ ଦୁଇଟି ସଂସ୍ଥା ‘ହେକ୍ସି’ ଏବଂ ‘ୟାନା’ ରାଜଧାନୀରେ ସାଇକେଲ୍ ଚଳାଇବାକୁ ଟେଣ୍ଡର୍‌ ପାଇଛନ୍ତି। ଦୁଇଟି ସଂସ୍ଥାକୁ କାର୍ଯ୍ୟାଦେଶ ଦିଆ ସରିଥିବା ବେଳେ ହକି ବିଶ୍ବକପ୍‌ ପୂର୍ବରୁ ରାଜଧାନୀବାସୀଙ୍କୁ ଭଡ଼ାରେ ସାଇକେଲ୍ ମିଳିବ ବୋଲି ବିଏସ୍‌ସିଏଲ୍‌ କର୍ତ୍ତୃପକ୍ଷ କହିଛନ୍ତି। ବିଏସ୍‌ସିଏଲ୍‌ର ଜଣେ ବରିଷ୍ଠ ଅଧିକାରୀଙ୍କ ସୂଚନା ଅନୁଯାୟୀ, ହେକ୍ସା କମ୍ପାନି ୧୦୦୦ଟି ବାଇସାଇକେଲ୍ ଯୋଗାଇବାକୁ ଥିବା ବେଳେ ୟାନା କମ୍ପାନି ୫୦୦ ବାଇସାଇକେଲ୍ ଯୋଗାଇବ। ଏହି ସମସ୍ତ ସାଇକେଲ୍‌ ଜିଓଫେସିନେଟିଙ୍ଗ ହେବ ବା ଜିପିଏସ୍‌ ବ୍ୟବସ୍ଥା ରହିବ। ବିଏମ୍‌ସି ଅଞ୍ଚଳ ବ୍ୟତୀତ ବାହାରକୁ ଏହା ଯାଇପାରିବନି। ମୋବାଇଲ୍ ଆପ୍ ଦ୍ବାରା ଏହି ସାଇକେଲ୍‌ ପରିଚାଳନା ହେବ। ଏହାଦ୍ବାରା ସାଇକେଲ୍ କେଉଁଠି ଅଛି, ତାହା ଠାବ କରିହେବ। ସାଇକେଲ୍‌ ଭଡ଼ାରେ ନେବାକୁ ଥିବା ଲୋକ ଅନଲାଇନ୍‌ ଓ ଅଫଲାଇନ୍‌ରେ ପେମେଣ୍ଟ କରିପାରିବେ। କ୍ୟାପିଟାଲ ରିଜିଅନ୍ ଅର୍ବାନ୍ ଟ୍ରାନ୍ସପୋର୍ଟ (କ୍ରୁଟ୍) ଏବଂ ବିଏସ୍‌ସିଏଲ୍‌ ଏହି ସାଇକେଲ୍ ବ୍ୟବସ୍ଥା ପରିଚାଳନା କରିବାକୁ ଥିବା ବେଳେ ଏବେ ସିଟି ବସ୍ ରହଣି ପାଇଁ ନିର୍ମାଣ ହେଉଥିବା ବସ୍‌ କ୍ୟୁ ସେଲ୍‌ଟରରେ ଏହି ସାଇକେଲ୍ ରହଣି ପାଇଁ ବ୍ୟବସ୍ଥା ରହିବ। ପୁରୁଣା ଭୁବନେଶ୍ବରରୁ ଆରମ୍ଭ କରି ଇନଫୋସିଟି ପର୍ଯ୍ୟନ୍ତ ୨୦୦ଟି ବସ୍‌ କ୍ୟୁ ସେଲ୍ଟର ନିର୍ମାଣ ହେଉଥିବା ବେଳେ ସମସ୍ତ ସ୍ଥାନରେ ଏହି ସୁବିଧା ଉପଲବ୍ଧ ହେବ। ଏହି ସାଇ‌େକଲରେ ସ୍ମାର୍ଟ ତାଲା ଲଗାଯିବ ଯାହାକି ମୋବାଇଲ ଆପ୍‌ ଦ୍ୱାରା ଖୋଲି ପାରିବ। ବାଇସାଇକେଲ୍‌ ନିୟମିତ ଭଡ଼ାରେ ନେବାକୁ ଥିବା ଲୋକ ଏଥିରେ ସଦସ୍ୟ ଭାବେ ନାମ ପଞ୍ଜୀକରଣ କରିପାରିବେ। ସଦସ୍ୟମାନଙ୍କ ପାଇଁ ପ୍ରଥମ ଅଧଘଣ୍ଟା ସାଇକେଲ୍‌ ଚଲାଇବା ମାଗଣା ହେବ। ଏହାପରେ ଦେୟ ଦେବାକୁ ପଡ଼ିବ। ଯେଉଁମାନେ ସଦସ୍ୟ ହୋଇନଥିବେ, ସେମାନଙ୍କୁ ଦେୟ ଦେଇକି ହିଁ ସାଇକେଲ୍ ଚଲାଇପାରିବେ।

ପବ୍ଲିକ ବାଇସାଇକେଲ୍‌ ସେୟାରି˚ ପାଇଁ ପ୍ରଥମ ପର୍ଯ୍ୟାୟରେ ୩ଟି ରୁଟ୍‌‌ରେ ହେବ। ପ୍ରଥମ ରୁଟ୍‌ଟି ହେଲା ଗଭର୍ଣ୍ଣର ହାଉସ୍‌ ଛକରୁ କଳିଙ୍ଗ ଷ୍ଟାଡିୟମ-ଜୟଦେବ ବିହାର-କଳିଙ୍ଗ ହସ୍ପିଟାଲ ଛକ- ପଟିଆ- କିଟ୍‌ ଛକ। ଦ୍ବିତୀୟ ରୁଟ୍‌ଟି ହେଲା ବିମାନବନ୍ଦରରୁ ସଚିବାଳୟ ମାର୍ଗ-ଜୟଦେବ ବିହାର- କଳିଙ୍ଗ ହସ୍ପିଟାଲ ଛକ। ତୃତୀୟ ରୁଟ୍‌ଟି ହେଲା ୟୁନିଟ ୧ରୁ ରେଳ ଷ୍ଟେସନ୍‌-ବାଣୀବିହାର ପର୍ଯ୍ୟନ୍ତ ଜନପଥ ରାସ୍ତା। ଏହାଛଡ଼ା ଏହି ମୁଖ୍ୟ ରାସ୍ତାଗୁଡ଼ିକୁ ସ˚ଯୋଗ କରୁଥିବା ରାସ୍ତାଗୁଡ଼ିକରେ ଏହି ସୁବିଧା ଉପଲବ୍ଧ ହେବ। ବର୍ତ୍ତମାନ ୪୦କିମି ରାସ୍ତାରେ ବାଇସାଇକେଲ୍‌ ଗଡ଼ିବାକୁ ଥିବା ବେଳେ ପରବର୍ତ୍ତୀ ସମୟରେ ୧୨୦କିମି ରାସ୍ତାରେ ଏହା ଲାଗୁ ହେବ। ଏଥିପାଇଁ ସ୍ବତନ୍ତ୍ର ଟ୍ରାକ୍‌ ନିର୍ମାଣ ହେବ। ହକି ବିଶ୍ବକପ୍‌ ପୂର୍ବରୁ ଏହି ଯୋଜନା ଆରମ୍ଭ ହେବ ବୋଲି ବିଏସ୍‌ସିଏଲ୍‌ ପକ୍ଷରୁ କୁହାଯାଇଛି।

ସମ୍ବନ୍ଧିତ ଖବର