ଭୁବନେଶ୍ବର : କ୍ୟାପିଟାଲ ହସ୍ପିଟାଲରୁ ହିଁ ରାଜ୍ୟର କରୋନା ଟିକାକରଣର ଶୁଭାରମ୍ଭ ହୋଇଛି। ହସ୍ପିଟାଲର କାର୍ଯ୍ୟ କରୁଥିବା କର୍ମଚାରୀ ବିରଞ୍ଚି ନାୟକ ପ୍ରଥମେ ଓ ଡାକ୍ତର ଭାବେ ନିର୍ଦେଶକ ଡା.ଲକ୍ଷ୍ମୀଧର ସାହୁ ଟିକା ନେଇ ଅନ୍ୟମାନଙ୍କ ମନରୁ ଭୟ ଦୂର କରିଥିଲେ। ତେବେ ଆଜିର ଟିକାକରଣ ପାଇଁ ୧୫୧ଜଣଙ୍କୁ ମେସେଜ୍ ପଠାଯାଇଥିଲା। ତହିଁରୁ ଅନେକ ହିତାଧିକାରୀ କିନ୍ତୁ ଟିକା ନେଇପାରି ନ ଥିଲେ। ଗତ ୨/୩ଦିନ ପୂର୍ବରୁ ହସ୍ପିଟାଲରେ ଦିଆଯାଇଥିବା ହେପାଟାଇଟିସ୍ ଓ ଅନ୍ୟ ଟିକା ନେଇଥିବାରୁ ଆଜିର ଟିକାକରଣରେ ସେମାନେ ସାମିଲ ହୋଇପାରି ନ ଥିଲେ। ଯାହାକୁ ନେଇ ଅନେକ ଅସନ୍ତୋଷ ମଧ୍ୟ ବ୍ୟକ୍ତ କରିଛନ୍ତି। ଟିକାରେ ଆମ ନାଁ ରହିଥିବାରୁ ଅନ୍ୟ ଟିକା ଦେବାର କୌଣସି ଆବଶ୍ୟକତା ନ ଥିଲା ବୋଲି କର୍ମଚାରୀମାନେ କହିଛନ୍ତି। ଏଥିରେ ଷ୍ଟାଫ୍ନର୍ସଙ୍କଠାରୁ ଆରମ୍ଭ କରି ଇଲେକଟ୍ରିକାଲ ଓ ଅନ୍ୟ ବିଭାଗର କର୍ମଚାରୀ ରହିଛନ୍ତି। ଆସନ୍ତା ୧୪ ଦିନ ପରେ ସେମାନେ କରୋନା ଟିକା ନେବେ ବୋଲି ଜଣାପଡ଼ିଛି।
କ୍ୟାପିଟାଲ ହସ୍ପିଟାଲର ଯେଉଁ ୧୫ଶହ କର୍ମଚାରୀଙ୍କୁ କରୋନା ଟିକା ଦିଆଯିବ; ଏଥିରେ ଡାକ୍ତର, ଷ୍ଟାଫ୍ନର୍ସ, ସଫେଇ କର୍ମଚାରୀ, ଆଟେଣ୍ଡାଣ୍ଟ, ଏଲଟି ଓ ଅନ୍ୟମାନେ ରହିଥିବା ଜଣାପଡ଼ିଛି। ହସ୍ପିଟାଲରେ ୧୫୬ଜଣଙ୍କୁ ଟିକା ଦିଆଯାଇଥିବା ବେଳେ କୌଣସି ବ୍ୟକ୍ତିଙ୍କ ଶରୀରରେ ପାର୍ଶ୍ବ ପ୍ରତିକ୍ରିୟା ଦେଖିବାକୁ ମିଳିନାହିଁ। ଆସନ୍ତାକାଲି ଟିକାଦାନ ପ୍ରକ୍ରିୟା ବନ୍ଦ ରହିବ। ତେବେ ଟିକା ପ୍ରଦାନ କରୁଥିବା ୨ ଭ୍ୟାକ୍ସିନେଟରଙ୍କ ଡ୍ୟୁଟି ଆସନ୍ତା ସୋମବାର ଶେଷ ହେବ। ତାଙ୍କ ବଦଳରେ ନୂଆ ଭ୍ୟାକ୍ସିନେଟର ଆସିବେ ବୋଲି ସୂଚନା ମିଳିଛି।