ଭୁବନେଶ୍ୱର: ବଙ୍କିମଚନ୍ଦ୍ର ଚଟ୍ଟୋପାଧ୍ୟାୟଙ୍କ ରଚିତ ରାଷ୍ଟ୍ରୀୟ ଗୀତ ‘ବନ୍ଦେ ମାତରମ୍’ର ୧୫୦ ବର୍ଷ ପୂର୍ତ୍ତି ଉତ୍ସବ ଅବସରରେ ଆଜି ରବୀନ୍ଦ୍ର ମଣ୍ଡପରେ ଓଡ଼ିଆ ଭାଷା, ସାହିତ୍ୟ ଓ ସଂସ୍କୃତି ବିଭାଗ ପକ୍ଷରୁ ଏକ ସ୍ୱତନ୍ତ୍ର କାର୍ଯ୍ୟକ୍ରମ ଆୟୋଜିତ ହୋଇଯାଇଛି। ଏଥିରେ ଯୋଗ ଦେଇ ମୁଖ୍ୟମନ୍ତ୍ରୀ ମୋହନ ଚରଣ ମାଝୀ କହିଲେ ଯେ ବନ୍ଦେ ମାତରମ୍ ହେଉଛି ଦେଶର ପ୍ରଥମ ବୈପ୍ଳବିକ ସ୍ଲୋଗାନ। ‘ବନ୍ଦେ ମାତରମ’ କେବଳ ଏକ ଜାତୀୟତାବାଦ ଭିତ୍ତିକ ସଙ୍ଗୀତ ନୁହେଁ। ଏହା ଦେଶ ମାତୃକାର ବନ୍ଦନା। ୭ ନଭେମ୍ବର ୧୮୭୫ରେ ଯେତେବେଳେ ତାଙ୍କ ଅମର କୃତି ‘ଆନନ୍ଦ ମଠ’ ମାଧ୍ୟମରେ ‘ବନ୍ଦେ ମାତରମ୍’ ପ୍ରଥମେ ପ୍ରକାଶିତ ହୋଇଥିଲା, ସେତେବେଳେ ଏକ ନୂଆ ଯୁଗର ଆରମ୍ଭ ହେଲା।
ସେତେବେଳେ ସ୍ୱାଧୀନତା ସଂଗ୍ରାମୀମାନେ ରାଜରାସ୍ତାରେ ଏହି ଜାତୀୟତାବାଦ ଗୀତର ତାଳେ ତାଳେ ବ୍ରିଟିସ୍ ଶାସନକୁ ବିରୋଧ କରୁଥିଲେ। ଓଡ଼ିଶାର ପ୍ରତ୍ୟେକ ଜିଲ୍ଲା, ପ୍ରତ୍ୟେକ ବିଦ୍ୟାଳୟ, ବିଶ୍ୱବିଦ୍ୟାଳୟ, ପ୍ରତ୍ୟେକ ସଂସ୍କୃତିକ କେନ୍ଦ୍ରରେ ବନ୍ଦେ ମାତରମ୍ ଉତ୍ସବ କରାଯିବ ବୋଲି ସେ କହିଥିଲେ। କାର୍ଯ୍ୟକ୍ରମରେ ଯୁବପିଢ଼ିମାନଙ୍କୁ ଆହ୍ବାନ ଦେଇ ମୁଖ୍ୟମନ୍ତ୍ରୀ କହିଥିଲେ ଯେ, ଦେଶପ୍ରେମର ଭାବନା କେବଳ ଇତିହାସ ପଢ଼ିଦେଲେ ହୁଏନି, ତାହାକୁ ଜୀବନରେ ବାସ୍ତବରେ ଅନୁସରଣ କରିବା ଦରକାର। ଦେଶକୁ ଭଲପାଇବା ଅର୍ଥ ଦାୟିତ୍ୱବୋଧ, ଶୃଙ୍ଖଳା ଓ ଶ୍ରମ ବୋଲି ସେ କହିଥିଲେ।
ରାଜ୍ୟର ପ୍ରତ୍ୟେକ ଶିକ୍ଷାନୁଷ୍ଠାନରେ ଗାନ କରାଯିବ
ଆୟୋଜିତ ଉତ୍ସବରେ ଆଇନ, ଅବକାରୀ ଓ ପୂର୍ତ୍ତ ବିଭାଗ ମନ୍ତ୍ରୀ ପୃଥ୍ୱୀରାଜ ହରିଚନ୍ଦନ କହିଥିଲେ ଯେ, ‘ବନ୍ଦେ ମାତରମ୍’ ମାଧ୍ୟମରେ ବଙ୍କିମଚନ୍ଦ୍ର ଚଟ୍ଟୋପାଧ୍ୟାୟ ଭାରତୀୟ ଜନମନସରେ ଜାଗରଣ ଆଣିଥିଲେ, ଯାହା ଦେଶକୁ ସ୍ୱାଧୀନତା ଆନ୍ଦୋଳନର ପଥରେ ଅଗ୍ରସର କରିଥିଲା। ଏହି ଅବସରରେ ରବୀନ୍ଦ୍ର ମଣ୍ଡପରେ ଏକ ଫଟୋଚିତ୍ର ପ୍ରଦର୍ଶନୀ ଆୟୋଜିତ ହୋଇଥିଲା। ଓଡ଼ିଆ ଭାଷା, ସାହିତ୍ୟ ଓ ସଂସ୍କୃତି ବିଭାଗ ନିର୍ଦ୍ଦେଶକ ବିଜୟ କେତନ ଉପାଧ୍ୟାୟ ସ୍ୱାଗତ ଭାଷଣ ଦେଇଥିଲେ। ଓଡ଼ିଶା ସଂଗୀତ ନାଟକ ଏକାଡେମୀର ସଚିବ ଚନ୍ଦ୍ରଶେଖର ହୋତା ଧନ୍ୟବାଦ ଦେଇଥିଲେ। ଏହି ଅବସରରେ ଆୟୋଜିତ ସାଂସ୍କୃତିକ କାର୍ଯ୍ୟକ୍ରମରେ ପଦ୍ମିନୀ ଦୋରା, ଜୟଶ୍ରୀ ଧଳ, କରୁଣାକର, ଶୈଳଭାମା ମହାପାତ୍ର, ସୌରଭ ନାୟକ, ରଶ୍ମିତା ଦାଶ, ବନ୍ଦିଶ୍ ପାଲିତ୍, ଲକ୍ଷ୍ମୀକାନ୍ତ ପାଲିତ୍, ରଣଦୀପ ପାଲିତ୍ ଯୋଗ ଦେଇଥିଲେ।
ପୂର୍ବତଟ ରେଳପଥ
ପୂର୍ବତଟ ରେଳପଥ ପକ୍ଷରୁ ସାମୂହିକ ବନ୍ଦେ ମାତରମ୍ ଗାନ କରାଯାଇଛି। ଭୁବନେଶ୍ବରସ୍ଥିତ ରେଳ ସଦନରେ ଆୟୋଜିତ ଏହି କାର୍ଯ୍ୟକ୍ରମରେ ରେଳପଥ ଅଧିକାରୀ, କର୍ମଚାରୀ ଓ ସ୍କୁଲ୍ ଛାତ୍ରଛାତ୍ରୀ ସାମିଲ ହୋଇ ‘ବନ୍ଦେ ମାତରମ୍’ ଗାନ କରିଥିଲେ। ବରିଷ୍ଠ ଅଧିକାରୀ ଓ କର୍ମଚାରୀଙ୍କ ସହ ମହାପ୍ରବନ୍ଧକ କାର୍ଯ୍ୟକ୍ରମରେ ଅଂଶଗ୍ରହଣ କରିଥିଲେ। ଭାରତର ସ୍ୱାଧୀନତା ଓ ଜାତୀୟ ପରିଚୟର ଗୀତ ଭାବେ ‘ବନ୍ଦେ ମାତରମ୍’ର ଗୁରୁତ୍ବ ଉପରେ ଆଲୋକପାତ କରାଯାଇଥିଲା। ବଙ୍କିମ ଚନ୍ଦ୍ରଙ୍କ ଦ୍ୱାରା ଲିଖିତ ଏହି କାଳଜୟୀ ଗୀତରୁ ଶକ୍ତି ଓ ପ୍ରେରଣା ପାଇଥିବା ଅଗଣିତ ସ୍ୱାଧୀନତା ସଂଗ୍ରାମୀଙ୍କୁ ସମାବେଶରେ ଶ୍ରଦ୍ଧାଞ୍ଜଳି ଅର୍ପଣ କରାଯାଇଥିଲା। ପୂର୍ବତଟ ରେଳପଥ ଅଧୀନସ୍ଥ ସମସ୍ତ ଡିଭିଜନ୍ ଓ କର୍ମଶାଳାରେ ‘ବନ୍ଦେ ମାତରମ୍’ ଗାନ କରାଯାଇଥିଲା। ଏହି ଗୀତଟିକୁ ରେଳ ଷ୍ଟେସନଗୁଡ଼ିକରେ ମଧ୍ୟ ପରିବେଷଣ କରାଯାଇଥିଲା। ସେଥିରେ ଯାତ୍ରୀ ଓ ରେଳ କର୍ମଚାରୀମାନେ ମଧ୍ୟ ସାମିଲ ହୋଇଥିଲେ।
ଖୋର୍ଦ୍ଧାରୋଡ୍ ରେଳମଣ୍ଡଳ
ଖୋର୍ଦ୍ଧାରୋଡ୍ ରେଳମଣ୍ଡଳର ମୁଖ୍ୟାଳୟ ସମେତ ବିଭିନ୍ନ ରେଳ ଷ୍ଟେସନ୍ରେ ‘ବନ୍ଦେ ମାତରମ୍’ ସମୂହ ଗାନ ଆୟୋଜିତ ହୋଇଯାଇଛି। ଖୋର୍ଦ୍ଧାରୋଡ୍ ରେଳମଣ୍ଡଳ ମୁଖ୍ୟାଳୟରେ ମଣ୍ଡଳ ରେଳ ପ୍ରବନ୍ଧକ ଆଲୋକ ତ୍ରିପାଠୀ, ଅତିରିକ୍ତ ମଣ୍ଡଳ ରେଳ ପ୍ରବନ୍ଧକମାନଙ୍କ ସହ ସମସ୍ତ ଶାଖା ଅଧିକାରୀ ଓ କର୍ମଚାରୀ ସମୂହ ଜାତୀୟ ସଙ୍ଗୀତ ପରିବେଷଣ କରିଥିଲେ। ଏହି ଅବସରରେ ଏକକାଳୀନ ଖୋର୍ଦ୍ଧାରୋଡ୍ ରେଳମଣ୍ଡଳ ଅଧୀନରେ ଥିବା ସମସ୍ତ ଷ୍ଟେସନ୍ରେ ମଧ୍ୟ ଅଡିଓ-ଭିଜୁଆଲ୍ ମୋଡ୍ରେ ଏହି ସଂଗୀତ ବାଜିଥିଲା। ଖୋର୍ଦ୍ଧାରୋଡ୍ ଓ କଟକରେ ମୁଖ୍ୟ କାର୍ଯ୍ୟକ୍ରମ ବ୍ୟତୀତ ପୁରୀ, ବ୍ରହ୍ମପୁର ଓ ଅନ୍ୟାନ୍ୟ ପ୍ରମୁଖ ଷ୍ଟେସନରେ ବନ୍ଦେ ମାତରମ୍ ଗାନ କରାଯାଇଥିଲା। କାର୍ଯ୍ୟକ୍ରମକୁ ରେଳମଣ୍ଡଳର ବରିଷ୍ଠ ମଣ୍ଡଳ କାର୍ମିକ ଅଧିକାରୀ ଆର୍ ଏନ୍ ଏ ପରିଡ଼ା ସଂଯୋଜନା କରିଥିଲେ।
/filters:format(webp)/sambad/media/media_files/2025/11/08/fshhfshfsxvbbv-2025-11-08-02-03-47.jpg)
ଭୁବନେଶ୍ବର ମହାନଗର ନିଗମ
ଭୁବନେଶ୍ୱର ମହାନଗର ନିଗମ(ବିଏମ୍ସି) ପକ୍ଷରୁ ‘ବନ୍ଦେ ମାତରମ୍’ର ୧୫୦ତମ ବର୍ଷ ପୂର୍ତ୍ତି ଉତ୍ସବ ବିଏମ୍ସି ମୁଖ୍ୟାଳୟସ୍ଥିତ ଏକାମ୍ର ହଲ୍ରେ ଅନୁଷ୍ଠିତ ହୋଇଯାଇଛି। ଏହି ଅବସରରେ ଆୟୋଜିତ ସ୍ୱତନ୍ତ୍ର କାର୍ଯ୍ୟକ୍ରମରେ ନୂଆଦିଲ୍ଲୀ ଇନ୍ଦିରା ଗାନ୍ଧୀ ଇନ୍ଡୋର୍ ଷ୍ଟାଡିୟମ୍ଠାରେ ପ୍ରଧାନମନ୍ତ୍ରୀଙ୍କ ଦ୍ୱାରା ‘ବନ୍ଦେ ମାତରମ୍’ର ୧୫୦ତମ ବର୍ଷ ପୂର୍ତ୍ତି ପାଳନ ଉଦ୍ଘାଟନୀ କାର୍ଯ୍ୟକ୍ରମର ସିଧା ପ୍ରସାରଣ ପ୍ରଦର୍ଶିତ ହୋଇଥିଲା। କାର୍ଯ୍ୟକ୍ରମରେ ମେୟର୍ ସୁଲୋଚନା ଦାସ, ଡେପୁଟି ମେୟର୍ ମଞ୍ଜୁଲତା କହଁର, କମିସନର ଚଞ୍ଚଳ ରାଣା, ଅତିରିକ୍ତ କମିସନର ରତ୍ନାକର ସାହୁ, ସିଟି ଇଂଜିନିୟର୍ ନାରଦଚନ୍ଦ୍ର ରଥ, ମୁଖ୍ୟ ବିତ୍ତ ଅଧିକାରୀ ଦୀପକ ରଂଜନ ବେହେରା ପ୍ରମୁଖ ଉପସ୍ଥିତ ଥିଲେ। ବିଏମ୍ସିର ସମସ୍ତ ଅଧିକାରୀ ଓ କର୍ମଚାରୀ ସାମୂହିକ ଭାବେ ରାଷ୍ଟ୍ରୀୟ ଗୀତ ‘ବନ୍ଦେ ମାତରମ୍’ ଗାନ କରିଥିଲେ। ଦେଶବ୍ୟାପୀ ଆଜି ସାମୁହିକ ଭାବେ ‘ବନ୍ଦେ ମାତରମ୍’ର ଗାନ କରାଯାଇଥିବା ବେଳେ ବିଏମ୍ସି ବି ଏଥିରେ ସାମିଲ୍ ହୋଇଥିଲା।
ଏମ୍ସ, ଭୁବନେଶ୍ବର
ଭୁବନେଶ୍ୱର: ଏମ୍ସ ଭୁବନେଶ୍ୱର ଆଜି ‘ବନ୍ଦେ ମାତରମ୍’ ସଙ୍ଗୀତର ୧୫୦ ବର୍ଷ ପୂର୍ତ୍ତି ପାଳନ ଅବସରରେ ସାମୂହିକ ‘ବନ୍ଦେ ମାତରମ୍’ ଗାନ କରାଯାଇଛି। ଏମ୍ସ ଭୁବନେଶ୍ବରର କାର୍ଯ୍ୟନିର୍ବାହୀ ନିର୍ଦ୍ଦେଶକ ଡାକ୍ତର ଆଶୁତୋଷ ବିଶ୍ବାସଙ୍କ ନେତୃତ୍ବରେ ଅନୁଷ୍ଠିତ ଏହି ସାମୂହିକ ଗାନରେ ଅଧ୍ୟାପକ, ଅଧ୍ୟାପିକା, ଛାତ୍ରଛାତ୍ରୀ ଓ କର୍ମଚାରୀ ସାମିଲ ହୋଇଥିଲେ। ଏହି ଅବସରରେ ଡାକ୍ତର ଶ୍ରୀ ବିଶ୍ୱାସ ସଙ୍ଗୀତର ରଚୟିତା ବଙ୍କିମ ଚନ୍ଦ୍ର ଚଟ୍ଟୋପାଧ୍ୟାୟଙ୍କୁ ଶ୍ରଦ୍ଧାଞ୍ଜଳି ଅର୍ପଣ କରିଥିଲେ। ଏହା କେବଳ ଏକ ଗୀତ ନୁହେଁ, ବରଂ ଭାରତୀୟଙ୍କୁ ଏକତ୍ର ବାନ୍ଧିରଖିବା ଏକ ଅନନ୍ୟ ରଜ୍ଜୁ ବୋଲି ସେ କହିଥିଲେ। ଅନ୍ୟମାନଙ୍କ ମଧ୍ୟରେ ମେଡିକାଲ୍ ଅଧୀକ୍ଷକ ଡାକ୍ତର ଦିଲୀପ କୁମାର ପରିଡ଼ା, ଡିଡିଏ ଲେଫ୍ଟନାଣ୍ଟ କର୍ଣ୍ଣେଲ ଅଭିଜିତ ସରକାର, କୁଳସଚିବ ଡାକ୍ତର ସୁଦୀପ୍ତ ରଞ୍ଜନ ସିଂହ, ଏସ୍ଇ ଆର୍. ଟପ୍ପୋ, ରାଜକୁମାର ଶର୍ମା, ଦିବ୍ୟରଞ୍ଜନ ପଟ୍ଟନାୟକ ପ୍ରମୁଖ ଉତ୍ସବରେ ଅଂଶଗ୍ରହଣ କରିଥିଲେ।
ଜଟଣୀ ପୌରପାଳିକା
ଜଟଣୀ ପୌରପାଳିକା ପକ୍ଷରୁ ସ୍ଥାନୀୟ ଟାଉନ୍ ହଲ୍ (ସ୍ରଷ୍ଠା)ଠାରେ ରାଷ୍ଟ୍ରୀୟ ସଙ୍ଗୀତ ‘ବନ୍ଦେ ମାତରମ୍’ ର ୧୫୦ବର୍ଷ ପୂର୍ତ୍ତି ଉତ୍ସବ ପାଳିତ ହୋଇଯାଇଛି। ଏହି ଅବସରରେ ସମୂହ ସଙ୍ଗୀତ ଗାନ କରାଯାଇଥିଲା। ଏହାସହିତ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀଙ୍କ ଅଭିଭାଷଣର ସିଧାପ୍ରସାରଣ ହୋଇଥିଲା। କାର୍ଯ୍ୟକ୍ରମରେ ପୌରାଧ୍ୟକ୍ଷ ଅନନ୍ତ ବେହେରା, ନିର୍ବାହୀ ଅଧିକାରୀ ଆକ୍ରିତି ଗୋଏଙ୍କା, ଏମ୍ଇ ଅନୁରାଧା ପ୍ରଧାନଙ୍କ ସମେତ ବିଭିନ୍ନ ୱାର୍ଡର କାଉନ୍ସିଲର୍, ମହିଳା ଗୋଷ୍ଠୀର ସଦସ୍ୟା, ସ୍ୱେଚ୍ଛାସେବୀ ଅନୁଷ୍ଠାନର କର୍ମକର୍ତ୍ତାମାନେ ଉପସ୍ଥିତ ଥିଲେ। କାର୍ଯ୍ୟକ୍ରମକୁ ଜଟଣୀ ପୌରପାଳିକା ପକ୍ଷରୁ ତ୍ରିଲୋଚନ ସାମନ୍ତରାୟ, ଜ୍ୟୋତିରଞ୍ଜନ ରାଉତରାୟ, ସୁଜ୍ଞାନୀ ପାଢ଼ୀ, ମନସ୍ବିନୀ ମହାରଣା, ରାଜେଶ ଭୋଳ ପ୍ରମୁଖ ପରିଚାଳନା କରିଥିଲେ।
କିଟ୍ ଓ କିସ୍ ଶିକ୍ଷାନୁଷ୍ଠାନ ସମୂହ
ବନ୍ଦେ ମାତରମ୍ର ୧୫୦ବର୍ଷ ପୂର୍ତ୍ତି ଉପଲକ୍ଷେ ରାଜ୍ୟର ସମସ୍ତ ଶିକ୍ଷାନୁଷ୍ଠାନରେ ଆଜି ରାଷ୍ଟ୍ରୀୟ ସଂଗୀତ ବନ୍ଦେ ମାତରମ୍ ଗାନ କରାଯାଇଛି। ଏହି କ୍ରମରେ କିସ୍, କିଟ୍ ଓ କିଟ୍ ପବ୍ଲିକ୍ ସ୍କୁଲ୍ରେ ଛାତ୍ରଛାତ୍ରୀମାନେ ସମୂହ ଗାନ କରିଥିଲେ। ବନ୍ଦେ ମାତରମ୍ର ରଚୟିତା ବଙ୍କିମ ଚନ୍ଦ୍ର ଚାଟାର୍ଜୀ ଓ ଆନନ୍ଦ ମଠ ପୁସ୍ତକ ସମ୍ପର୍କରେ ଏହି ଅବସରରେ ଆଲୋକପାତ କରାଯାଇଥିଲା।
ଶ୍ରମିକ କଂଗ୍ରେସ କାର୍ଯ୍ୟାଳୟ, ଜଟଣୀ
ଖୋର୍ଦ୍ଧାରୋଡ୍ ଶ୍ରମିକ କଂଗ୍ରେସ କାର୍ଯ୍ୟାଳୟରେ ବନ୍ଦେ ମାତରମ୍ ସାମୂହିକ ଗାନ କାର୍ଯ୍ୟକ୍ରମ ଶାଖା ସମ୍ପାଦକ ଏଲ୍ ଡି ମହାନ୍ତିଙ୍କ ପୌରୋହିତ୍ୟରେ ଅନୁଷ୍ଠିତ ହୋଇଥିଲା। ଏଥିରେ ମଣ୍ଡଳ ସଂଯୋଜକ ସୁନିଲ ଭଞ୍ଜ, ସହ ସଂଯୋଜକ ନିରଞ୍ଜନ ମିଶ୍ର, ସମ୍ପାଦକ ଜୟନ୍ତ ସାମଲ, ଧୂଶାସନ ସାହୁ, ସଭାପତି ମହମ୍ମଦ ମୁସ୍ତାକ ଅଲ୍ଲି, ଶିଶିର ପାତ୍ର, ଗୋପାଳ ଦାସ, ସୁନୀଲ ପରିଡ଼ା, ପି ରାଜା ରାଓ, ସନ୍ତୋଷ ଖଟେଇ, ତ୍ରିଲୋଚନ ମହାନ୍ତିଙ୍କ ସମେତ ଶ୍ରମିକ କଂଗ୍ରେସର ବହୁ କର୍ମକର୍ତ୍ତା ଯୋଗ ଦେଇଥିଲେ।
/sambad/media/agency_attachments/2024-07-24t043029592z-sambad-original.webp)
/sambad/media/media_files/2025/11/08/sfhfshhfxbvvb-2025-11-08-02-03-57.jpg)