ଭୁବନେଶ୍ବର: ଭୁବନେଶ୍ବରରୁ ବାହାରୁଥିବା ଆବର୍ଜନାର ପ୍ରକ୍ରିୟାକରଣ ବ୍ୟୟ ଭାର ବଢ଼ିବାରେ ଲାଗିଛି। ବ୍ୟୟ ଭାର ଲାଘବ କରିବାକୁ ଆବର୍ଜନାର ପ୍ରକ୍ରିୟାକରଣ ସହ ଏଥିରୁ ଆୟ କରିବାର ଉତ୍ସ ବି ବାହାର କରୁଛି ଭୁବନେଶ୍ବର ମହାନଗର ନିଗମ(ବିଏମ୍ସି)। ଆବର୍ଜନାରୁ ଜୈବିକ ଖତ ଉତ୍ପାଦନ କରି ବିକ୍ରି କରୁଛି। ରାଜଧାନୀରୁ ବାହାରୁଥିବା ଆବର୍ଜନାରୁ ବାର୍ଷିକ ପ୍ରାୟ ୧୧ଶହ ଟନ୍ ଜୈବିକ ଖତ ଉତ୍ପାଦିତ ହେଉଛି। ଯାହାକୁ କର୍ତ୍ତୃପକ୍ଷ ‘ମୋ ଖତ’ ନାମରେ ସାରା ରାଜ୍ୟରେ ବିକ୍ରି କରୁଛନ୍ତି। କେଜି ପ୍ରତି ଦର ୧୦ ଟଙ୍କା ରହିଛି ଏବଂ ୫ କେଜି ଓ ୨୫ କେଜି ବିଶିଷ୍ଟ ପ୍ୟାକେଟ୍ରେ ଏହା ବିକ୍ରି କରାଯାଉଛି। ସହରର ଆବର୍ଜନାରୁ ପ୍ରସ୍ତୁତ ‘ମୋ ଖତ’ ବିକି ଗତ ୫ ବର୍ଷରେ ବିଏମ୍ସି ଦେଢ଼କୋଟିରୁ ଅଧିକ ଟଙ୍କା ଆୟ କରିଛି।
ବିକ୍ରି ପୂର୍ବରୁ ଓୟୁଏଟିର ବରମୁଣ୍ଡାସ୍ଥିତ ଟିସୁ କଲ୍ଚର ପରୀକ୍ଷାଗାରରେ ଏହି ଖତକୁ ପରୀକ୍ଷା କରାଯାଇଥାଏ। ଏଥିରେ ଯବକ୍ଷାରଯାନ, ଫସଫରସ୍, ପୋଟାସିୟମ ଆଦିର ଗୁଣବତ୍ତା ପରୀକ୍ଷା ଓ କିଛି ଅଭାବ ଥିଲେ, ଭରଣା କରିବା ପରେ ପ୍ୟାକିଂ କରାଯାଇଥାଏ। ଏହି ଖତକୁ ଅମଳକ୍ଷମ କରି ବଜାରରେ ବିକ୍ରି କରାଯାଉଛି ବୋଲି ଅତିରିକ୍ତ କମିସନର୍ ଏନ୍. ଗଣେଶ ବାବୁ କହିଛନ୍ତି। ନିକଟରେ ହୋମ୍ ଡେଲିଭରି ସେବା ବି ଆରମ୍ଭ ହୋଇଛି। ଏଥିପାଇଁ ସ୍ବତନ୍ତ୍ର ମୋବାଇଲ୍ ନମ୍ବର ଜାରି କରାଯାଇଛି। ଦିନକୁ ଦିନ ଗୁଣବତ୍ତା ବିଶିଷ୍ଟ ‘ମୋ ଖତ’ର ଚାହିଦା ବି ବଢ଼ୁଛି। ଗତ ୫ ବର୍ଷ ଭିତରେ ବିଏମ୍ସି ଏଥିରୁ ୧ କୋଟି ୫୫ଲକ୍ଷ ୮୮ହଜାର ୯୦୦ ଟଙ୍କା ଆୟ କରି ସାରିଲାଣି। ୨୦୨୦-୨୧ରେ ‘ମୋ ଖତ’ ପ୍ରସ୍ତୁତି ଓ ବିକ୍ରି ଆରମ୍ଭ ହେଲା। ସେତେବେଳେ ବିଏମ୍ସି ୩୪ ମେଟ୍ରିକ୍ ଟନ୍ ଖତ ବିକ୍ରି କରି ୬ଲକ୍ଷ ୮୦ହଜାର ଟଙ୍କା ଆୟ କରିଥିଲା। କ୍ରମେ ଚାହିଦା ବଢ଼ିବା ସହ ବିକ୍ରି ଓ ଆୟ ବି ବଢ଼ିଥିଲା। ୨୦୨୧-୨୨ରେ ୧୬୭.୬୭ ମେଟ୍ରିକ୍ ଟନ୍ ଖତ ବିକ୍ରି କରି ୩୩ଲକ୍ଷ ୫୩ହଜାର ୪୦୦ ଟଙ୍କା, ୨୦୨୨-୨୩ରେ ୨୨୬.୧୭ ମେଟ୍ରିକ୍ ଟନ୍ ବିକ୍ରି କରି ୪୫ଲକ୍ଷ ୨୩ହଜାର ୪୦୦ ଟଙ୍କା, ୨୦୨୩-୨୪ରେ ୨୫୦.୨୩ ମେଟ୍ରିକ୍ ଟନ୍ ବିକ୍ରି କରି ୫୦ଲକ୍ଷ ୪ହଜାର ୬୦୦ ଟଙ୍କା ଓ ୨୦୨୪-୨୫ରେ ୨୦୨.୭୫ ମେଟ୍ରିକ୍ ଟନ୍ ବିକ୍ରି କରି ୨୦ଲକ୍ଷ ୨୭ହଜାର ୫୦୦ ଟଙ୍କା ଆୟ କରିଥିଲା।
ବିଏମ୍ସି ତଥ୍ୟ ଅନୁଯାୟୀ ପ୍ରତିଦିନ ପ୍ରାୟ ୮୦୦ ମେଟ୍ରିକ୍ ଟନ୍ ଆବର୍ଜନା ସଂଗ୍ରହ କରାଯାଉଛି। ଯେଉଁଥିରୁ ୩୮୪ ମେଟ୍ରିକ୍ ଟନ୍ ଓଦା ଓ ୪୧୬ ମେଟ୍ରିକ୍ ଟନ୍ ଶୁଖିଲା ବର୍ଜ୍ୟ। ଓଦା ଆବର୍ଜନାରୁ ଜୈବିକ ପ୍ରକ୍ରିୟାରେ ଓ ଏରୋବିକ୍(ଅଧିକ ଅମ୍ଳଜାନ ଗ୍ରହଣ କରିବା ପ୍ରକ୍ରିୟା) କମ୍ପୋଷ୍ଟିଂ ଉପାୟକୁ ଅବଲମ୍ବନ କରି ଶୁଖିଲା ଖତ ପ୍ରସ୍ତୁତ କରାଯାଇଥାଏ।
ଅତିରିକ୍ତ କମିସନର୍ ଶ୍ରୀ ବାବୁ କହିଛନ୍ତି, ଓଦା ଖତ ପ୍ରକ୍ରିୟାକରଣ ପାଇଁ ୩୭ଟି ଏମସିସି(ମାଇକ୍ରୋ କମ୍ପୋଷ୍ଟିଂ ସେଣ୍ଟର) ରହିଛି। ଗୃହ ନିର୍ମାଣ ଓ ନଗର ଉନ୍ନୟନ ବିଭାଗ ପକ୍ଷରୁ ଜାରି ଷ୍ଟାଣ୍ଡାର୍ଡ ଅପରେଟିଂ ପ୍ରୋସିଜିଓର୍ ଅନୁସାରେ ଆବର୍ଜନା ସବୁକୁ ଅଲଗା(ଓଦା ଓ ଶୁଖିଲା) ଭାବେ ପ୍ରତି ଘରୁ, ବଜାର ଆଦି ସ୍ଥାନରୁ ସଂଗ୍ରହ ପରେ ଏହାକୁ ବୈଭବ କେନ୍ଦ୍ରକୁ ପଠାଯାଇଥାଏ। ସେଠାରେ ଆବର୍ଜନାକୁ ସ୍ରେଡିଂ ମେସିନ୍ରେ ଗୁଣ୍ଡ କରାଯିବା ଓ ଇଏମ୍(ଇଫେକ୍ଟିଭ୍ ମାଇକ୍ରୋ ଅର୍ଗାନିଜିମ୍) ସଲ୍ୟୁସନ୍ ପ୍ରକ୍ରିୟାକରଣ ପରେ ନିର୍ଦ୍ଧାରିତ ଖାତରେ ପକାଇ ରଖାଯାଏ। ନିୟମିତ ବ୍ୟବଧାନରେ ଏହାକୁ ଗୋଳା ଯାଇଥାଏ। ପ୍ରାୟ ୨୮ରୁ ୪୨ ଦିନ ଧରି ଏହି ପ୍ରକ୍ରିୟାକରଣ ପରେ ଜୈବିକ ଖତ ପ୍ରସ୍ତୁତ ହୋଇଥାଏ। ଶ୍ରୀ ବାବୁ କହିଛନ୍ତି, ‘ମୋ ଖତ’ ବିକ୍ରି ପାଇଁ ସ୍ବତନ୍ତ୍ର କିଓସ୍କ ଖୋଲାଯାଇଛି। ରାଜମହଲ ଛକରେ ଏକ ‘ମୋ ଖତ’ କିଓସ୍କ ରହିଛି, ଯେଉଁଠି ଲୋକେ ଏହା କିଣିପାରିବେ। ଏଥିସହ ପ୍ରତି ଏମ୍ସିସି ପାଖରେ ବି ‘ମୋ ଖତ’ ବିକ୍ରି କରାଯାଉଛି। ଭୁବନେଶ୍ବର ମହାନଗର ନିଗମର ଟୋଲ୍ ଫ୍ରି ନମ୍ବର ୧୯୨୯ ନମ୍ବରରେ ବି ଯୋଗାଯୋଗ କରି ଲୋକେ ଏ ସଂପର୍କରେ ଜାଣିପାରିବେ। ଯେଉଁ ଗାଡ଼ି ଅଳିଆ ସଂଗ୍ରହ ପାଇଁ ଯାଉଛି, ତାଙ୍କ ଜରିଆରେ ବି ଲୋକେ ଏହି ଖତ ପାଇପାରିବେ।
‘ମୋ ଖତ’ ବିକି ୫ବର୍ଷରେ ୧.୫୫ କୋଟି ଆୟ
ଭୁବନେଶ୍ବରରୁ ବାହାରୁଥିବା ଆବର୍ଜନାର ପ୍ରକ୍ରିୟାକରଣ ବ୍ୟୟ ଭାର ବଢ଼ିବାରେ ଲାଗିଛି। ବ୍ୟୟ ଭାର ଲାଘବ କରିବାକୁ ଆବର୍ଜନାର ପ୍ରକ୍ରିୟାକରଣ ସହ ଏଥିରୁ ଆୟ କରିବାର ଉତ୍ସ ବି ବାହାର କରୁଛି ଭୁବନେଶ୍ବର...
/sambad/media/media_files/2025/08/08/untitled-8-2025-08-08-08-24-04.jpg)