ଭୁବନେଶ୍ବର: ଦିନକୁ ଦିନ ରାଜଧାନୀରେ ଅପରାଧ ବଢ଼ୁଥିବା ବେଳେ ଅପରାଧ ନିୟନ୍ତ୍ରଣ ପାଇଁ କମିସନରେଟ୍‌ ପୁଲିସ ଅଣ୍ଟା ଭିଡିଛି। ଏଥିପାଇଁ କମିସନରେଟ୍‌ ପୁଲିସ ପକ୍ଷରୁ ଗଠିତ ପିଓପିଡି ଏବଂ ଟିମ୍‌-୬୦ ମିଳିତ ପ୍ରୟାସରେ ଗତ ମାସକରେ ୧୫୮ ଅପରାଧୀଙ୍କୁ ଗିରଫ କରିବା ସହ ସେମାନଙ୍କ ଠାରୁ ୧୩୩ଗ୍ରାମ ସୁନାଗହଣା ଓ ୩୮ଟି ଗାଡ଼ି ଜବତ କରାଯାଇଛି। ଗିରଫ ଅପରାଧୀଙ୍କ ମଧ୍ୟରୁ ୭୯ଜଣଙ୍କୁ ରିମାଣ୍ଡ କରାଯାଇଛି, ୧୫ଜଣ ଅଭ୍ୟାସଗତ ଅପରାଧୀଙ୍କ ବିରୋଧରେ ସିଆର୍‌ପିସି ଧାରା-୧୧୦ ଅନୁଯାୟୀ କାର୍ଯ୍ୟାନୁଷ୍ଠାନ ଗ୍ରହଣ କରାଯାଇଛି।

Advertisment

ଏହାଛଡ଼ା ଚୋରି ହୋଇଥିବା ମୋଟ ୧୫ ହଜାର ଟଙ୍କା, ୧୩୧ଟି ମୋବାଇଲ ଫୋନ, ୨ଟି ଲାପଟପ୍, ଗୋଟିଏ ଟିଭି ଏବଂ ୨୫ଟି ବ୍ୟାଟେରି ଜବତ କରାଯାଇଛି। ଗାଡ଼ି ଚୋରି ମାମଲାର ତଦନ୍ତ ସମୟରେ ଦୁଇ ଚକିଆ, ତିନି ଚକିଆ ଏବଂ ଚାରି ଚକିଆ ମିଶି ୩୮ଟି ଚୋରା ଗାଡ଼ି ଜବତ କରାଯାଇ ପାରିଛି। ସେହିପରି ୯ଟି ନିଶା କାରବାର ମାମଲା ରୁଜୁ କରାଯାଇ ୧୧ ଅଭିଯୁକ୍ତଙ୍କୁ ଗିରଫ କରାଯାଇ କୋର୍ଟ ଚାଲାଣ କରାଯାଇଛି। ସେମାନଙ୍କ ଠାରୁ ନଗଦ ସାଢ଼େ ୩୭ହଜାର ଟଙ୍କା ସହ ୪୭ ଗ୍ରାମର ବ୍ରାଉନସୁଗାର ଓ ଦେଢ଼ କୁଇଣ୍ଟାଲ ଓଜନର ଗଞ୍ଜେଇ ଜବତ କରାଯାଇଛି। ଲୋକମାନେ ଚୋରି ତଥା ନିଶା କାରବାର ବିଷୟରେ ସୂଚନା ଦେବା ପାଇଁ କମିସନରେଟ୍‌ ପୁଲିସ ପକ୍ଷରୁ ଏକ ହ୍ୱାଟ୍‌ସଆପ ନମ୍ବର- ୭୦୭୭୭୯୮୧୧୧ ଜାରି କରାଯାଇଛି।