ବାଲିପାଟଣା ୨୧୨ ଜଣ ଲୋକ ପ୍ରଭାବିତ ହୋଇଥିବା ବେଳେ ୧୬ ହଜାରରୁ ଊର୍ଧ୍ୱ ଘର ଭାଙ୍ଗି ଯାଇଛି। ସେହିପରି ୮୮ଟି ରାଜସ୍ୱ ସର୍କଲ ଅନ୍ତର୍ଗତ ୨୫,୭୦୨ ଗୃହ ପ୍ରଭାବିତ ହୋଇଥିବା ଜଣାଯାଇଛି। ବେସରକାରୀ ତଥ୍ୟ ଅନୁଯାୟୀ, ଏହି ପ୍ରାକୃତିକ ଦୁର୍ବିପାକରେ ବର୍ତ୍ତମାନ ସୁଦ୍ଧା ୩ ଜଣ ଲୋକଙ୍କ ମୃତ୍ୟୁ ହୋଇଥିବା ଜଣାଯାଇଛି। ସେହିପରି ୨୫ଟି ଗାଈ, ୯୨ଟି ଛେଳି ମେଣ୍ଢା, ୧ଲକ୍ଷ ୧୨ହଜାର ୩୦୦ ବ୍ରଏଲର୍‌ କୁକୁଡ଼ାଙ୍କର ମୃତ୍ୟୁ ଘଟିଛି। ୧୨ହଜାର ଗୁହାଳ ଘର ଓ ୧୪୮ଟା କୁକୁଡ଼ା ଫାର୍ମ ମାଟିରେ ପୂରା ମିଶି ଯାଇଛି। ଅପରପକ୍ଷେ ବ୍ଲକରେ ୩୫୦ ଟ୍ରାନ୍ସଫର୍ମର୍‌, ୧୮୪୩ଟି ୧୧କେଭି ବିଦ୍ୟୁତ୍‌ ଖୁଣ୍ଟ, ୨୮୫୭ ଏଲ୍‌ଟି ଖୁଣ୍ଟ, ବନମାଳିପୁରରେ ଥିବା ୧୧କେଭି ଗ୍ରିଡ୍‌ ସଂପୂର୍ଣ୍ଣ ଭାଙ୍ଗି ରୁଜି ଯାଇଛି। ବାତ୍ୟାର ପ୍ରଭାବ ଜଳଯୋଗାଣ ପ୍ରକଳ୍ପ ଉପରେ ମଧ୍ୟ ପଡ଼ିଛି। ବ୍ଲକର ପ୍ରାୟ ୩୮ଟି ଜଳଯୋଗାଣ ପ୍ରକଳ୍ପ ନଷ୍ଟ ହୋଇଯାଇଥିବା ଜଣାଯାଇଛି। ‌ତେବେ କେତେ ସ୍କୁଲ ଘର ପ୍ରଭାବିତ ହୋଇଛି, ତାହାର ରିପୋର୍ଟ ଏଯାବତ୍‌ ମିଳି ପାରିନାହିଁ।publive-image

Advertisment

ଉପଜିଲ୍ଲାପାଳ ଶୁଭେନ୍ଦୁ ଶେଖର ସାହୁ ନିଜେ ଉପସ୍ଥିତ ରହି ପରିସ୍ଥିତିର ତଦାରଖ କରୁଛନ୍ତି। ବିଡିଓ ଓ ତହସିଲଦାରଙ୍କ ସହ ମିଳିତ ଭାବେ ଆଲୋଚନା କରି ବାତ୍ୟା ବିପନ୍ନଙ୍କୁ ସାହାଯ୍ୟ କରିବା ପାଇଁ ବିଭିନ୍ନ ପଦକ୍ଷେପ ନେଉଥିବା ଜଣାଯାଇଛି। ଶ୍ରୀ ସାହୁଙ୍କ ସୂଚନା ଅନୁସାରେ, ବାତ୍ୟାବିପନ୍ନଙ୍କୁ ଆଜି ଚାଉଳ ଓ କି‌ରାସିନି ବଣ୍ଟନ କରାଯାଇଛି। କଚାଘର ଓ ଆଜବେଷ୍ଟସ୍‌ ଘର ଭାଙ୍ଗିଥିବା କ୍ଷତିଗ୍ରସ୍ତଙ୍କୁ ପଲିଥିନ୍‌ ପ୍ରଦାନ ଉପରେ ପ୍ରାଥମିକତା ଦିଆଯାଉଛି। ସେହିପରି ବର୍ତ୍ତମାନ ସୁଦ୍ଧା ୭୫ଟି ବାତ୍ୟା ଆଶ୍ରୟସ୍ଥଳୀରେ ୮୨୩୦ ଲୋକଙ୍କୁ ରନ୍ଧା ଖାଦ୍ୟ ଯୋଗାଇ ଦିଆଯାଉଛି। ଗାଁଗୁଡ଼ିକୁ ଜଳଯୋଗାଣ ଉପରେ ଗୁରୁତ୍ୱ ଦିଆଯାଉଛି। ଏଥିପାଇଁ ୧୦ଟି ଡିଜି (ଡିଜିଟାଲ ଜେନେରେଟର୍‌) ଜରିଆରେ ୧ ଘଣ୍ଟିଆ ଜଳଯୋଗାଣ ପ୍ରକଳ୍ପ ଚାଲୁ କରିବା ପାଇଁ ବନ୍ଦୋବସ୍ତ କରାଯାଇଛି। ଏଥିସହ ୪ଟି ଟାଙ୍କି ଓ ୪ଟି ଟ୍ୟାଙ୍କର୍‌ ଜରିଆରେ ଗାଁରୁ ଗାଁ ବୁଲି ପାନୀୟ ଜଳ ବଣ୍ଟନ କରାଯାଉଛି। ଆସନ୍ତାକାଲି ସୁଦ୍ଧା ସମସ୍ତ ଗାଁକୁ ବ୍ଲିଚିଂ ପଠାଇବାକୁ ନିର୍ଦ୍ଦେଶ ଦିଆଯାଇଛି। ଅପରପକ୍ଷେ ଏନ୍‌ଡିଆର୍‌ଏଫ ଓ ଅଗ୍ନିଶମ ବିଭାଗର ୬୦ରୁ ଊର୍ଧ୍ୱ କର୍ମଚାରୀ ଗଛ, ବିଦ୍ୟୁତ୍‌ ଖୁଣ୍ଟି ଓ କେବୁଲ ପଡ଼ି ଅବରୋଧ ହୋଇଥିବା ମୁଖ୍ୟ ରାସ୍ତାକୁ ସଫା କରିଛନ୍ତି। ଆସନ୍ତାକାଲି ଗାଁ ଗହଳିରେ ଏହି କାମ କରାଯିବ।

ତେବେ ବାତ୍ୟାକୁ ୭୨ ଘଣ୍ଟାରୁ ଅଧିକ ସମୟ ବିତିଯାଇଥିଲେ ହେଁ ଏବେ ବି ଅଧିକାଂଶ ଗାଁରେ ପ୍ରଶାସନ ପହଞ୍ଚି ପାରିନାହିଁ। ବଡ଼ ବଡ଼ ଗଛ, ଇଲେକ୍ଟ୍ରି ଖୁଣ୍ଟ ପଡ଼ି ଗାଁଗୁଡ଼ିକ ବାହ୍ୟ ଜଗତରୁ ବିଚ୍ଛିନ୍ନ ହୋଇରହିଛି। ରାଜସ୍ୱ କିମ୍ବା ମେଡିକାଲ କର୍ମଚାରୀଙ୍କ ମଧ୍ୟ ଦେଖା ମିଳିନଥିବା ଅଭିଯୋଗ ହୋଇଛି। ଅଙ୍ଗନବାଡ଼ି ଓ ଆଶାକର୍ମୀମାନେ ଗାଁ ଗାଁ ବୁଲି ଲୋକମାନଙ୍କୁ ଜରୁରୀ ଔଷଧ ବଣ୍ଟନ କରୁଥିବା ଦେଖିବାକୁ ମିଳିଛି। ସେହିପରି ପ୍ରାଣୀ ଚିକିତ୍ସକମାନେ ମଧ୍ୟ ଅସୁସ୍ଥ ପଶୁ ଚିକିତ୍ସା କରୁଥିବା ଦେଖାଯାଉଛି।