ଭୁବନେଶ୍ବର: ଦୀର୍ଘ ଦିନ ଧରି ଆଢ଼ୁଆଳରେ ରହିଥିବା ଶିବତୀର୍ଥ ମଠର ପୁରୁଣା ସମାଧି ଧ୍ବଂସମୁଖରୁ ବର୍ତ୍ତି ଯାଇଛି। ସ୍ଥାନୀୟ ବୁଦ୍ଧିଜୀବୀ, ଐତିହାସିକଙ୍କ ଉଦ୍ୟମ ଯୋଗୁଁ ରାସ୍ତା ସଂପ୍ରସାରଣ ଆଳରେ ବଳି ପଡ଼ିବାକୁ ଯାଉଥିବା ୧୬ଟି ଐତିହ୍ୟସମ୍ପନ୍ନ ସମାଧି ଭଙ୍ଗା ଅଟକିଛି। ଲିଙ୍ଗରାଜ ମନ୍ଦିରର ସମସାମୟିକ ଏହି ଐତିହ୍ୟ ସମାଧିଗୁଡ଼ିକ ଭଙ୍ଗା ହେବା ନେଇ ପ୍ରକ୍ରିୟା ଆରମ୍ଭ ହେବା ପରେ ଐତିହ୍ୟ ବିଶେଷଜ୍ଞ ଅନିଲ୍ ଧୀର୍ ଏ ସମ୍ପର୍କରେ ଭାରତୀୟ ପ୍ରତ୍ନତତ୍ତ୍ବ ସର୍ବେକ୍ଷଣ ସଂସ୍ଥା (ଏଏସ୍ଆଇ) କର୍ତୃପକ୍ଷଙ୍କ ଦୃଷ୍ଟି ଆକର୍ଷଣ କରିଥିଲେ। ଏହାକୁ ଗୁରୁତ୍ବପୂର୍ବକ ପ୍ରଶାସନ ଉଚ୍ଛେଦ ବେଳେ ସମାଧିକୁ କୌଣସି କ୍ଷତି ପହଞ୍ଚାଇ ନାହିଁ।
Sambad is now on WhatsApp
Join and get latest news updates delivered to you via WhatsApp
ଶ୍ରୀ ଧୀର୍ଙ୍କ କହିବା ମୁତାବକ, ସମାଧିଗୁଡ଼ିକ ଶିବତୀର୍ଥ ମଠର ପ୍ରାରମ୍ଭିକ ସମୟର ମହନ୍ତମାନଙ୍କର। ଏଗୁଡ଼ିକ ଗଛଲତା ଆଢ଼ୁଆଳରେ ଲୁଚି ଯାଇଥିଲା। ସମାଧି ମଧ୍ୟରେ ଶିବଲିଙ୍ଗ ଥିବା ବେଳେ କିଛି ବର୍ଷ ତଳେ ସେଠାରୁ ୨ଟି ଲିଙ୍ଗ ଚୋରି ହୋଇଯାଇଥିଲା। ଏହାର ପ୍ରତିଷ୍ଠା କାଳ ୧୧୦୦ ଖ୍ରୀଷ୍ଟାବ୍ଦର। ସମାଧିଗୁଡ଼ିକ ଲିଙ୍ଗରାଜ ମନ୍ଦିରର ସମସାମୟିକ ହୋଇଥିବା ବେଳେ ଏହା ଦିନେ ଅତ୍ୟନ୍ତ ଗୁରୁତ୍ବ ବହନ କରୁଥିଲା। ମନ୍ଦିରର ଦୈନନ୍ଦିନ ରୀତିନୀତି ଦାୟିତ୍ବ ମଧ୍ୟ ମଠ ନିଭାଉଥିଲା। ଅଧିକାଂଶ ପର୍ବପର୍ବାଣୀ ସହ ମଠର ସିଧାସଳଖ ସମ୍ପୃକ୍ତି ଥିଲା। ଏପରିକି ରୁକୁଣା ରଥଯାତ୍ରାର ରୀତିନୀତି ସମ୍ପାଦନରେ ମଧ୍ୟ ଶିବତୀର୍ଥ ମଠର ଭୂମିକା ଥିଲା। ମାତ୍ର ସମୟକ୍ରମେ ଏହି ମଠ ତା’ର ପ୍ରାସଙ୍ଗିକତା ହରାଇଥିଲା। ସମାଧିଗୁଡ଼ିକ ଧାଡ଼ିଧାଡ଼ି ହୋଇ ରହିଥିବା ବେଳେ ଇତିହାସରେ ଅନେକ ଗୁରୁତ୍ବ ରଖୁଛି। ଯଦିଓ ଆଗରୁ ଏଠାରେ ନବୀକରଣ ହୋଇଥିଲା, କିନ୍ତୁ ଏହି ସମାଧିର ଗୁରୁତ୍ବକୁ ଉପଲବ୍ଧି କରି କୌଣସି କ୍ଷତି ପହଞ୍ଚା ଯାଇନଥିଲା।
ବିଶେଷଜ୍ଞ ଡ. ବିଶ୍ବଜିତ ମହାନ୍ତି କହିଛନ୍ତି, ଏହିଭଳି ଐତିହ୍ୟସମ୍ପନ୍ନ ସ୍ଥାନରେ ନବୀକରଣ ପୂର୍ବରୁ ଐତିହ୍ୟର ଆବଶ୍ୟକତା ଓ ପ୍ରଭାବ ସମ୍ପର୍କରେ ବିଶେଷଜ୍ଞଙ୍କ ପରାମର୍ଶ ନେବା ଉଚିତ। ସାଂସ୍କୃତିକ ଗୁରୁତ୍ବ ଦୃଷ୍ଟିରୁ କୌଣସି ଐତିହ୍ୟକୁ ବିନାଶ କରିବା ଏକ ଅପରାଧ। ଏହା ଆକ୍ରମଣକାରୀଙ୍କ ଆକ୍ରମଣଠୁ ମଧ୍ୟ ଖରାପ ବୋଲି ସେ କହିଛନ୍ତି। ସ୍ଥାନୀୟ ବ୍ୟକ୍ତିବିଶେଷ, ଐତିହାସିକ, ପ୍ରତ୍ନତତ୍ତ୍ବବିତ୍ ଓ ଐତିହ୍ୟ ବିଶେଷଜ୍ଞଙ୍କୁ ନେଇ ଏକ ଟିମ୍ ଗଠନ କରାଯିବା ସହ ଏହି ସମାଧି ସମ୍ପର୍କରେ ଅନୁଧ୍ୟାନ କରି ଏହାର ଉନ୍ନତି ସମ୍ପର୍କରେ ପଦକ୍ଷେପ ନିଆଯିବା ଉଚିତ ବୋଲି ସେ କହିଛନ୍ତି। ଇନ୍ଟାକ୍ର ରାଜ୍ୟ ଆବାହକ ଏ.ବି ତ୍ରିପାଠୀ କହିଛନ୍ତି, ଏହି ସମାଧିଗୁଡ଼ିକର ବହୁ ଐତିହାସିକ ଓ ଐତିହ୍ୟ ମୂଲ୍ୟବୋଧ ରହିଛି। ସେଗୁଡ଼ିକର ରକ୍ଷଣାବେକ୍ଷଣ ସହଜରେ କରାଯାଇପାରିବ। ଯଦି ପ୍ରଶାସନ ଇଚ୍ଛା ପ୍ରକାଶ କରେ, ତେବେ ଇନ୍ଟାକ୍ ଏଥିନିମନ୍ତେ ବିଶେଷଜ୍ଞ ଯୋଗାଇଦେବ ବୋଲି ସେ କହିଛନ୍ତି। ଗୁରୁତ୍ବପୂର୍ଣ୍ଣ କଥା ହେଉଛି, ଉଭୟ ଏଏସ୍ଆଇ ଓ ରାଜ୍ୟ ପ୍ରତ୍ନତତ୍ତ୍ବ ସଂସ୍ଥା ଏହି ଷୋହଳ ସମାଧି ସମ୍ପର୍କରେ ଅଜ୍ଞ ଥିଲା। ତେଣୁ ଐତିହ୍ୟର ଗୁରୁତ୍ବକୁ ଉପଲବ୍ଧି ପୂର୍ବକ ଏହାର ରକ୍ଷଣାବେକ୍ଷଣର ଦାୟିତ୍ବ ବହନ କରନ୍ତୁ ବୋଲି ବିଶେଷଜ୍ଞମାନେ କହିଛନ୍ତି।