ଭୁବନେଶ୍ୱର : ୧୬୦ ମୁନିଆ ପକ୍ଷୀ ଜବତ, ବେଙ୍ଗାଲୁରୁ ଚାଲାଣ ହେଉଥିଲା, ବାପ-ପୁଅ ଗିରଫ

ଭୁବନେଶ୍ୱର : ଦୀର୍ଘ ଦିନରୁ ଛକିଥିଲା ଏସ୍‌ଟିଏଫ୍‌। ବନ ବିଭାଗ ମଧ୍ୟ ବିଛାଇଥିଲା ଜାଲ। ହେଲେ ବାରମ୍ବାର ଖସି ଯାଉଥିଲେ ବାପ-ପୁଅ। ଆଜି ଦୀର୍ଘ ଅଢ଼େଇ ଘଣ୍ଟାର ପରିଶ୍ରମ ପରେ ଓଡ଼ିଶାରୁ ବେଙ୍ଗାଲୁରୁକୁ ନିଷିଦ୍ଧ ପକ୍ଷୀ ଚାଲାଣ ବେଳେ ବନବିଭାଗକୁ ମିଳିଛି ସଫଳତା। ପୁରୁଣା ଭୁବନେଶ୍ୱର ନୂଆ ଲିଙ୍ଗରାଜ ମାର୍କେଟ ବିଲ୍‌ଡିଂ ନିକଟରୁ ୧୬୦ ମୁନିଆ ପକ୍ଷୀ ଜବତ ହୋଇଛି। ଏଥିରେ ସମ୍ପୃକ୍ତ ବାପ-ପୁଅଙ୍କୁ ଗିରଫ କରିଛି ବନ ବିଭାଗ। ଉଭୟ ଅଭିଯୁକ୍ତ ହେଉଛନ୍ତି ପୁରୁଣା ଭୁବନେଶ୍ବର ହରଚଣ୍ଡୀ ସାହିର ଜିତେନ୍ଦ୍ର ମହାପାତ୍ର ଓ ତାଙ୍କ ପୁଅ ସ୍ବସ୍ତିକ ସୁନ୍ଦର ମହାପାତ୍ର। ଉଭୟଙ୍କର କୋଭିଡ୍‌ ଟେଷ୍ଟ କରାଯିବା ପରେ ସେମାନଙ୍କୁ କୋର୍ଟ ଚାଲାଣ କରାଯିବ।

ଡିଏଫଓ ଅଶୋକ ମିଶ୍ରଙ୍କୁ ଖବର ମିଳିବା ପରେ ଏସିଏଫ ପ୍ରଶାନ୍ତ କୁମାର ପଣ୍ଡାଙ୍କ ନେତୃତ୍ୱରେ ସେ ଏକ ୧୦ ଜଣିଆ ଟିମ ଗଠନ କରିଥିଲେ। ପୂର୍ବାହ୍ନ ୧୧ଟାରୁ ଟିମ୍‌ର ସଦସ୍ୟମାନେ ଅଭିଯୁକ୍ତର ଘର ଓ ଘଟଣାସ୍ଥଳ ଆଖପାଖରେ ଛକି ରହିଥିଲେ। ପ୍ରାୟ ସାଢ଼େ ୧୨ଟା ବେଳେ ପକ୍ଷୀ ଧରି ବାହାରକୁ ବାହାରିବା ବେଳେ ଅଭିଯୁକ୍ତମାନଙ୍କୁ ମାଡ଼ି ବସିଥିଲେ। ଏହି ଚାଲାଣ ପାଇଁ ସେମାନେ ବ୍ୟବହାର କରିଥିବା ଏକ ବାଇକ୍‌ (ଓଡି୦୨ବିଏଚ୍‌-୩୨୭୬)କୁ ମଧ୍ୟ ଜବତ କରିଥିଲେ। ଏହି ପକ୍ଷୀଗୁଡ଼ିକୁ ବେଙ୍ଗାଲୁରୁର ଏକ ଆଶ୍ରମ ପାଇଁ ଚାଲାଣ କରାଯାଉଥିଲା। ଦୀର୍ଘ ଦିନ ହେବ ଏମାନେ ଏହି ପକ୍ଷୀ ବେପାର କରୁଥିବା କ୍ରାଇମ୍‌ବ୍ରାଞ୍ଚରେ ଅଭିଯୋଗ ହୋଇଥିଲା। ଏଣୁ କ୍ରାଇମ୍‌ବ୍ରାଞ୍ଚର ଏସ୍‌ଟିଏଫ୍ ଏହା ଉପରେ ନଜର ରଖିଥିଲା। ଦୀର୍ଘ ଦିନ ହେବ ଏମାନେ ଏସ୍‌ଟିଏଫ୍‌ର ସ୍କାନରରେ ଥିଲେ। ଏଣେ ବନ ବିଭାଗ ମଧ୍ୟ ଗୁଇନ୍ଦା ତଥ୍ୟ ସଂଗ୍ରହ କରୁଥିଲା। ଦୁଇଦିନ ତଳେ ଏଭଳି ଏକ ବେପାର ହେବାର ଅଛି ବୋଲି ଡିଏଫ୍‌ଓଙ୍କୁ ସୂଚନା ମିଳିଥିଲା।

ବରିଷ୍ଠ ପକ୍ଷୀ ବିଶାରଦ ଡ. ଶିବ ପ୍ରସାଦ ପରିଡ଼ା ଚଢେଇ ଗୁଡିକୁ ଚିହ୍ନଟ କରିଥିଲେ। ତାଙ୍କ ସୂଚନା ମୁତାବକ, ଜବତ ପକ୍ଷୀମାନଙ୍କ ମଧ୍ୟରେ ୪ଟି ପ୍ରଜାତିର ଅଛନ୍ତି। ସେଗୁଡିକ ହେଲା ରେଡ୍‌ ଆଭଡାଭାଟ୍‌, ଗ୍ରିନ ଆଭଡାଭାଟ୍‌, ସ୍କେଲି ବ୍ରେଷ୍ଟେଡ୍‌ ମୁନିଆ ଓ ରେଡ୍‌ ନେକଡ୍‌ ମୁନିଆ। ଏହି ସମସ୍ତ ପକ୍ଷୀ ଭାରତୀୟ ବନ୍ୟ ପ୍ରାଣୀ (ସଂରକ୍ଷଣ) ଆଇନ-୧୯୭୨ ତଫସିଲ-୪ ଅନ୍ତର୍ଭୁକ୍ତ। ଏମାନଙ୍କୁ କିଣା-ବିକା ବା ଶିକାର କରିବା ଅପରାଧ। ସମସ୍ତ ପ୍ରଜାତି ଜଙ୍ଗଲୀ ହେଲେ ମଧ୍ୟ ଘରେ ପଞ୍ଜୁରୀରେ ରଖି ପୋଷିବା ପାଇଁ ଏମାନଙ୍କୁ କିଣାବିକା କରା ଯାଇଥାଏ। ଏମାନେ ଗୋଷ୍ଠୀରେ ରହିବା ପସନ୍ଦ କରନ୍ତି। ପଲ ପଲ ହୋଇ ବିଭିନ୍ନ ଜାଗା ବୁଲି ଖାଦ୍ୟ ଶସ୍ୟ ଖାଇଥାନ୍ତି। ଖାଦ୍ୟସଶ୍ୟରେ ଔଷଧ ଦେଇ ଏମାନଙ୍କୁ ବେ‌ହୋସ କରିବା ପରେ ଧରାଯାଇଥାଏ। ଶିକାରୀ ଠାରୁ କମ୍‌ ଦରରେ ଆଣି ଦଲାଲମାନେ ହଜାର ହଜାର ଟଙ୍କାରେ ବିକ୍ରି କରିଥାନ୍ତି। ମଞ୍ଚେଶ୍ୱର ବନାଞ୍ଚଳ ଅଧିକାରୀ ବି. ବି. ମହାପାତ୍ର ପକ୍ଷୀମାନଙ୍କ ପାଇଁ ଖାଦ୍ୟ ଏବଂ ପାଣିର ବ୍ୟବସ୍ଥା କରିଥିବା ବେଳେ ପକ୍ଷୀଗୁଡ଼ିକ ସୁସ୍ଥ ଅଛନ୍ତି ବୋଲି ସୂଚନା ମିଳିଛି। ତେବେ ପକ୍ଷୀଗୁଡ଼ିକୁ ସେମାନେ କେଉଁଠୁ ଆଣିଲେ? ଏହି ବେପାରରେ ଆଉ କିଏ ସମ୍ପୃକ୍ତ ଅଛି? ଶିକାରୀଙ୍କ ସହ ସିଧାସଳଖ ସମ୍ପୃକ୍ତି ଅଛି କି ମଝିରେ ଦଲାଲ ଅଛନ୍ତି ସେ ସବୁ ଉପରେ ତନାଘନା ଚାଲିଥିବା ଡିଏଫ୍‌ଓ ଶ୍ରୀ ମିଶ୍ର ସୂଚନା ଦେଇଛନ୍ତି।

ଆଜିର ଏହି ଚଢ଼ଉରେ ଫରେଷ୍ଟର ଆଲୋକ ପରିଡା, ସୀତାକାନ୍ତ ବେହେରା, ମାନସ ରଞ୍ଜନ ମହାନ୍ତି, ଫରେଷ୍ଟ ଗାର୍ଡ ଦିଲ୍ଲୀପ ମିଶ୍ର, ବିଶ୍ୱ ରଞ୍ଜନ ସାହୁ, ଖୋର୍ଧା ଜିଲ୍ଲା ଅବୈତନିକ ବନ୍ୟ ପ୍ରାଣୀ ତତ୍ୱାବଧାରକ ଶୁଭେନ୍ଦୁ ମଲ୍ଲିକ ସାମିଲ ଥିଲେ।

ସମ୍ବନ୍ଧିତ ଖବର