ଭୁବନେଶ୍ୱର/ଜଟଣୀ : ଦିନେ ମଣିଷ ଯାହାକୁ ଭଗବାନ ବୋଲି ମଣୁଥିଲା, ଆଜି ବିଜ୍ଞାନ ବଳରେ ମଣିଷ ସେଠି ପାଦ ଥାପି ସାରିଛି। ବୈଷୟିକ ଜ୍ଞାନ କୌଶଳ ପାଇଁ ଯୋଗାଯୋଗ ମାଧ୍ୟମ ଏତେ ସହଜ ହୋଇଯାଇଛି ଯେ ବିଶାଳ ପୃଥିବୀଟା ଏକ ଗାଁ ସଦୃଶ ମନେ ହେଉଛି। ତଥାପି ଆମ ଭିତରେ ବଞ୍ଚିଛି ଅନ୍ଧବିଶ୍ୱାସ। ମଣିଷ ସମାଜରେ ଅନ୍ଧବିଶ୍ୱାସର ରାଜ୍ ଚାଲିଛି। କୁସଂସ୍କାରଠାରୁ ଆଧୁନିକ ମଣିଷ ମୁକୁଳି ପାରି ନାହିଁ। ତେଣୁ ସମାଜରେ ତିଷ୍ଠି ରହିଥିବା ଅନ୍ଧବିଶ୍ୱାସ ଓ କୁସଂସ୍କାର ସବୁ ବିଜ୍ଞାନ ପ୍ରତି ଉପହାସ ନୁହେଁ କି? ଭୁବନେଶ୍ୱର ନାଇଜର୍ରେ ଚାଲିଥିବା ସର୍ବଭାରତୀୟ ଜନବିଜ୍ଞାନ କଂଗ୍ରେସର ରବିବାର ତୃତୀୟ ଦିନ ଅଧିବେଶନରେ ଏହି ପ୍ରସଙ୍ଗକୁ ନେଇ ଚାଲିଥିଲା ମାନସ ମନ୍ଥନ।
Sambad is now on WhatsApp
Join and get latest news updates delivered to you via WhatsApp
ବିଶିଷ୍ଟ ସମାଜସେବୀ ବିବେକ ମାଣ୍ଟେରିଆଙ୍କ ସଭାପତିତ୍ୱରେ ସକାଳ ଅଧିବେଶନରେ ମୁଖ୍ୟବକ୍ତା ଭାବେ ପ୍ରବୀର ପୁରକାଷ୍ଠା ଯୋଗ ଦେଇ ଅନ୍ଧବିଶ୍ୱାସ ଦୂରୀକରଣ ଉପରେ ବକ୍ତବ୍ୟ ରଖିଥିଲେ। ବିଜ୍ଞାନ ଶିକ୍ଷାର ପ୍ରସାର ଯୋଗୁଁ ବହୁତ କୁସଂସ୍କାର ଓ ଅନ୍ଧବିଶ୍ୱାସ ଲୋପ ପାଇ ଯାଇଥିଲେ ବି ମୂଳପୋଛ ହୋଇପାରିନାହିଁ। ବିଶିଷ୍ଟ ମହିଳା ସମାଜସେବୀ ମେଘା ପାନେସାର୍ ତାଙ୍କ ବକ୍ତବ୍ୟରେ ସାଧାରଣ ଲୋକଙ୍କୁ କିଭଳି ଉପର ବର୍ଗର ଲୋକେ ପଥଭ୍ରଷ୍ଟ କରନ୍ତି, ତାହା ଉପରେ ଆଲୋକପାତ କରିଥିଲେ। ଉଚ୍ଚ ବର୍ଗର ଲୋକେ ନିଜର ସ୍ୱାର୍ଥ ସାଧନ ପାଇଁ ସାଧରଣ ଲୋକଙ୍କ ଭିତରେ ଧର୍ମାନ୍ଧତା ଉଦ୍ରେକ କରାଇ ସମାଜରେ ଅଶାନ୍ତି ଓ ବିଭାଜନ ସୃଷ୍ଟି କରାନ୍ତି। ମହାରାଷ୍ଟ୍ରର ଉଦାହରଣ ଦେଇ ସେ କହିଲେ ଯେ ସମଗ୍ର ଦେଶରେ ଜାତିଗତ ବିବାଦ ହେଉ ବା ଧର୍ମକୁ ନେଇ ହେଉ କିମ୍ବା ବିଭେଦତାକୁ ନେଇ ରାଜନୀତି ଚାଲିଛି ଓ ବିକାଶ ବଦଳରେ ସମାଜରେ ବିଚ୍ଛିନ୍ନତାର କଳା ବାଦଲ ଢ଼ାଙ୍କି ହୋଇରହିଛି। ଏକ ଅଖଣ୍ଡ ଭାରତବର୍ଷର ସୁରକ୍ଷା ପାଇଁ ଲୋକଙ୍କ ଭିତରେ ବିଜ୍ଞାନକୁ ପହଞ୍ଚାଇବା ବର୍ତମାନର ବଡ଼ ଗୁରୁତ୍ୱପୂର୍ଣ୍ଣ ଆହ୍ଵାନ ବୋଲି ପାନେସାର୍ କରିଥିଲେ।
ସେହିଭଳି ଏସ୍ ଜାନି, ମଧ୍ୟାହ୍ନ ଅଧିବେଶନରେ ମାଳିନୀ ଭଟ୍ଟାଚାର୍ଯ୍ୟ, ଏସ୍ ସୁଜତା, ଅମିତାଭ ଗୁହା ପ୍ରମୁଖ ବୁଦ୍ଧିଜୀବୀମାନେ କର୍ମଶାଳାରେ କର୍ମୀମାନଙ୍କୁ ବିଭିନ୍ନ ପରାମର୍ଶ ଦେଇଥିଲେ। ଅପରାହ୍ଣ ଅଧିବେଶନରେ ଗ୍ରାମ୍ୟ ସ୍ୱାସ୍ଥ୍ୟସେବା, ନାରୀ ସଶକ୍ତୀକରଣ, ସାମାଜିକ ନ୍ୟାୟ ଆଦି ପ୍ରସଙ୍ଗକୁ ନେଇ ଗୁରୁତ୍ୱପୂର୍ଣ୍ଣ ଆଲୋଚନା କରାଯାଇଥିଲା। ଏହି ଅବସରରେ ବିଜ୍ଞାନସମ୍ମତ ୧୪ଟି ଚଳଚ୍ଚିତ୍ର ପ୍ରଦର୍ଶନ କରାଯାଇଥିଲା ଓ ବିଭିନ୍ନ ରାଜ୍ୟରୁ ଆସିଥିବା କଳାକାରମାନଙ୍କ ଦ୍ୱାରା ସାଂସ୍କୃତିକ କାର୍ଯ୍ୟକ୍ରମ ଅନୁଷ୍ଠିତ ହୋଇଥିଲା। ଜଟଣୀର ‘ସଂଗୀତା’ ଅନୁଷ୍ଠାନ ପକ୍ଷରୁ ଏକ ସ୍ୱତନ୍ତ୍ର ସାଂସ୍କୃତିକ କାର୍ଯ୍ୟକ୍ରମ ଅନୁଷ୍ଠିତ ହୋଇଥିଲା।