ମନମୋହିଲା ମୋହନ ବୀଣାବାଦନ

୧୬ତମ ଗୁରୁ ଦେବପ୍ରସାଦ ସମ୍ମାନ ପ୍ରଦାନ ଉତ୍ସବ

ଭୁବନେଶ୍ୱର: ତ୍ରିଧାରା ପକ୍ଷରୁ ୧୬ତମ ଗୁରୁ ଦେବପ୍ରସାଦ ସମ୍ମାନ ପ୍ରଦାନ ଉତ୍ସବ ଆଜି ରବୀନ୍ଦ୍ର ମଣ୍ଡପ ପରିସରରେ ଉଦ୍‌ଘାଟିତ ହୋଇଯାଇଛି। କାର୍ଯ୍ୟକ୍ରମରେ ଅନୁଷ୍ଠାନର ବରିଷ୍ଠ ଓ କନିଷ୍ଠ ନୃତ୍ୟଶିଳ୍ପୀମାନେ ଓଡ଼ିଶୀ ନୃତ୍ୟ ପରିବେଷଣ କରିଥିଲେ। ପ୍ରଥମ ପ୍ରସ୍ତୁତି ଥିଲା ଲକ୍ଷ୍ମୀଅଷ୍ଟକମ୍‍। ଗୁରୁ ଗୋପାଳ ଚନ୍ଦ୍ର ପଣ୍ଡା ନୃତ୍ୟଟିର ସଙ୍ଗୀତ ସଂଯୋଜନା କରିଥିବା ବେଳେ ଗୁରୁ ସଚ୍ଚିଦାନନ୍ଦ ଦାସ ବାଦ୍ୟ ସଂଯୋଜନା କରିଥିଲେ। ଶବ୍ଦ ଓ ନୃତ୍ୟ ସଂରଚନା କରିଥିଲେ ଗୁରୁ ଗଜେନ୍ଦ୍ର ପଣ୍ଡା। ପରେ ପରେ ଗୁରୁ ସୁକାନ୍ତ କୁଣ୍ଡୁଙ୍କ ସଂଯୋଜନା‌ରେ ପରିବେଷିତ ସଂଗୀତ ‘ବନ୍ଦେ ମାତରଂ’ର ବାଦ୍ୟ ସଂଯୋଜନା ସୁରେନ୍ଦ୍ର ମହାରଣା କରିଥିବା ବେଳେ ଗୁରୁ ଗଜେନ୍ଦ୍ର ପଣ୍ଡା ନୃତ୍ୟ ସଂରଚନା କରିଥିଲେ। ସେହିପରି ବିଶିଷ୍ଟ ହିନ୍ଦୁସ୍ତାନୀ ଶାସ୍ତ୍ରୀୟ ସଙ୍ଗୀତ ବିଶାରଦ ପଣ୍ଡିତ ବିଶ୍ୱମୋହନ ଭଟ୍ଟ ଓ ତାଙ୍କ ନାତି ଅଥର୍ବ ଭଟ୍ଟଙ୍କ ଦ୍ୱାରା ମୋହନ ବୀଣାବାଦନ ଦର୍ଶକଙ୍କ ମନ ମୋହିଥିଲା।

ଉତ୍ସବରେ ଅତିଥି ଭାବେ ବିଧାୟକ ଅନନ୍ତ ନାରାୟଣ ଜେନା, ବିଶିଷ୍ଟ ହିନ୍ଦୁସ୍ତାନୀ ଶାସ୍ତ୍ରୀୟ ସଙ୍ଗୀତ ବିଶାରଦ ତଥା ମୋହନ ବୀଣାବାଦକ ପଣ୍ଡିତ ବିଶ୍ୱମୋହନ ଭଟ୍ଟ, ଭୁବନେଶ୍ୱର ଦୂରଦର୍ଶନ କେନ୍ଦ୍ରର ନିର୍ଦ୍ଦେଶିକା ଦୀପ୍ତି ମିଶ୍ର, ବିଶିଷ୍ଟ ତବଲା ବାଦକ ପ୍ରଶ୍ନୋଜିତ୍‍ ପୋଦାର, ତ୍ରିଧାରାର କାର୍ଯ୍ୟରତ ସମ୍ପାଦକ ସୀମାଞ୍ଚଳ ପଣ୍ଡା, ନିର୍ଦ୍ଦେଶକ ଗୁରୁ ଗଜେନ୍ଦ୍ର ପଣ୍ଡା ପ୍ରମୁଖ ଯୋଗ ଦେଇଥିଲେ। ଶ୍ରୀନିବାସ ଘଟୁଆରୀ କାର୍ଯ୍ୟକ୍ରମକୁ ସଂଚାଳନା କରିଥିଲେ। ଏହି ସମ୍ମାନ ପ୍ରଦାନ ଉତ୍ସବ ଆସନ୍ତା ୩୦ ତାରିଖ ପର୍ଯ୍ୟନ୍ତ ରବୀନ୍ଦ୍ର ମଣ୍ଡପରେ ଆୟୋଜିତ ହେବ ବୋଲି ଅନୁଷ୍ଠାନ ପକ୍ଷରୁ ସୂଚନା ଦିଆଯାଇଥିଲା।

ସମ୍ବନ୍ଧିତ ଖବର