ଅଭିଯୁକ୍ତଙ୍କ ମଧ୍ୟରେ ବିଜେପି ନେତା, ହାବିଲଦାର, ଓକିଲ, ଚିଟ୍ଫଣ୍ଡ ଠକ
ଲୁଲୁଙ୍କ ଝିଅ ଉପାସନା ଓ ବିଜେପି ନେତା ସାରଦାଙ୍କୁ ନେଇ ଚର୍ଚ୍ଚା
ଭୁବନେଶ୍ବର : ନୂଆପଲ୍ଲୀରେ ୫୦ରୁ ଅଧିକ ଯୁବକ ନୂଆପଲ୍ଲୀ ଆଇଆରସି ଭିଲେଜ୍ ପ୍ଲଟ ନମ୍ବର ଏନ୍୩/୨୧୧ରେ ଭଡ଼ାରେ ରହୁଥିବା ପ୍ରଣବ ରାୟଙ୍କ ଘରେ ପଶି ସଂଘବଦ୍ଧ ଆକ୍ରମଣ କରିବା ଏବଂ ଆସବାବପତ୍ର ଭାଙ୍ଗିବା ଘଟଣାରେ ବୁଧବାର ପୁଲିସ ୧୭ ଜଣଙ୍କୁ ଗିରଫ କରି କୋର୍ଟ ଚାଲାଣ କରିଛି। ଏମାନଙ୍କ ମଧ୍ୟରେ ଜଣେ ହାବିଲଦାର, ଜଣେ ଓକିଲ, ଚିଟ୍ଫଣ୍ଡ ଠକ, ଘର ମାଲିକ ବିଜୟ ନାୟକ ଓ ତାଙ୍କ ପତ୍ନୀ ସଂଯୁକ୍ତା ନାୟକ ମଧ୍ୟ ଅଛନ୍ତି। ଏମାନଙ୍କୁ ଆଇପିସିର ଧାରା ୪୫୦(ବଳପୂର୍ବକ ଘରେ ପଶିବା), ୩୯୫(ଡକାୟତି), ୧୨୦ (ଠକେଇ) ରେ ଗିରଫ କରାଯାଇଛି। ଜାମିନ୍ ନ ମିଳିବାରୁ ସମସ୍ତଙ୍କୁ ଜେଲ ହାଜତକୁ ପଠାଇ ଦିଆଯାଇଛି। ଅନ୍ୟପକ୍ଷରେ ଫେରାର ଥିବା ୨୦ରୁ ଅଧିକ ଅଭିଯୁକ୍ତଙ୍କ ମଧ୍ୟରେ ବ୍ରହ୍ମଗିରିର ପୂର୍ବତନ ବିଧାୟକ ସ୍ବର୍ଗତ ଲୁଲୁ ମହାପାତ୍ରଙ୍କ ଝିଅ ଉପାସନା ମହାପାତ୍ର ଏବଂ ମାହାଙ୍ଗାରେ ବିଜେପିରୁ ବିଧାୟକ ପ୍ରାର୍ଥୀ ହୋଇଥିବା ସାରଦା ପ୍ରଧାନ ପ୍ରମୁଖ ରହିଥିବାରୁ ଏମାନଙ୍କୁ ନେଇ ଆଜି ଦିନତମାମ ବିଭିନ୍ନ ମହଲରେ ଚର୍ଚ୍ଚା ଲାଗିରହିଛି।
ଗୋଟିଏ ପଟେ ସଂଘବଦ୍ଧ ଆକ୍ରମଣ କରିଥିବା ଅଭିଯୁକ୍ତମାନଙ୍କ ପଛରେ ଗୋଟିଏ ରାଜନୖତିକ ଦଳର ପ୍ରଚ୍ଛନ୍ନ ସମର୍ଥନ ରହିଥିବାବେଳେ ଆକ୍ରମଣର ଶିକାର ଅଭିଯୋଗକାରୀଙ୍କ ପଛରେ ଅନ୍ୟ ଏକ ରାଜନୈତିକ ଦଳର ସମର୍ଥନ ଥିବାରୁ ପୂରା ମାମଲା ଏବେ ରାଜନୈତିକ ମୋଡ଼ ନେଇଛି। ପୁଲିସ ଉପରେ ଉଭୟପକ୍ଷରୁ ରାଜନୈତିକ ଚାପ ଥିବା କୁହାଯାଉଛି। ଆଜି ଅଭିଯୁକ୍ତମାନେ କୋର୍ଟ ଚାଲାଣ ହେବା ପୂର୍ବରୁ ହସ୍ପିଟାଲ୍ରୁ ଥାନା, ଥାନାରୁ କୋର୍ଟ ଏବଂ କୋର୍ଟରୁ ଜେଲ୍ ପର୍ଯ୍ୟନ୍ତ ସେମାନଙ୍କ ପଛେ ପଛେ ୩୦ରୁ ଅଧିକ ଯୁବକ ଭିଡ଼ କରିବା ଘଟଣାରୁ ଏହା ଅଧିକ ସ୍ପଷ୍ଟ ହୋଇଯାଇଛି। ଏହି ମାମଲାରେ ଆହୁରି ୨୦ରୁ ଊର୍ଦ୍ଧ୍ବ ଅଭିଯୁକ୍ତ ଫେରାର ଥିବାରୁ ସେମାନଙ୍କୁ ଧରିବା ପାଇଁ ପୁଲିସ ବିଭିନ୍ନ ଜାଗାରେ ଚଢ଼ଉ ଆରମ୍ଭ କରିଛି।
ଆଜି ଗିରଫ ହୋଇ ଜେଲ୍ ଯାଇଥିବା ଅଭିଯୁକ୍ତମାନେ ହେଉଛନ୍ତି ପିସିଆର ଡ୍ୟୁଟିରେ ଥିବା ହାବିଲଦାର ଶାସ୍ତ୍ରୀନଗରର ସୁମିତନନ୍ଦନ ମହାନ୍ତି, ନୂଆପଲ୍ଲୀ ନୂଆସାହିର ଅରବିନ୍ଦ ମିଶ୍ର, ଧରମା ସେଠୀ, ଅର୍ଥତତ୍ତ୍ବ ଚିଟ୍ଫଣ୍ଡ ଅଭିଯୁକ୍ତ ପଲାହାଟର ସମ୍ବିତ ଖୁଣ୍ଟିଆ, ବଡ଼ଗଡ଼ରେ ରହୁଥିବା ସୂର୍ଯ୍ୟନଗରର ଓକିଲ ମନୋରଞ୍ଜନ ମିଶ୍ର, ପଟିଆର ରମିତ ଜେନା, ଚନ୍ଦ୍ରଶେଖରପୁର ତଳସାହିର ବିକାଶ ବଳବନ୍ତରାୟ, ବ୍ରହ୍ମଗିରିର ନୀଳକଣ୍ଠ ଜେନା, ଝାରପଡ଼ାର ସେକ୍ ସିରାଉଦ୍ଦିନ, ପଟିଆରେ ରହୁଥିବା ଅନୁଗୁଳର କ୍ରାନ୍ତି ମହାପାତ୍ର, ଲକ୍ଷ୍ମୀସାଗରର ନୀତିନ ନାୟକ, ପଟିଆର ସନ୍ତୋଷ ଦାସ, ଘରମାଲିକ ଲକ୍ଷ୍ମୀସାଗରର ବିଜୟ କୁମାର ନାୟକ ଓ ପତ୍ନୀ ସଂଯୁକ୍ତା ନାୟକ, ଆଇଆରସି ଭିଲେଜ୍ରେ ରହୁଥିବା ଭଦ୍ରକ ମଧୁପୁରର ମନୋଜ ବିଶ୍ବାଳ, ଲକ୍ଷ୍ମୀସାଗର ଉପରସାହିର ପ୍ରଶାନ୍ତ ଭୋଇ, ନୂଆପଲ୍ଲୀରେ ରହୁଥିବା କେନ୍ଦ୍ରାପଡ଼ା ଦକ୍ଷିଣଖଣ୍ଡଭୋଳ ଗ୍ରାମର ସଂଗ୍ରାମ କେଶରୀ ମହାନ୍ତି। ତେବେ ଡିସିପି ଉମାଶଙ୍କର ଦାଶ କହିଛନ୍ତି, ପୁଲିସ ଉପରେ କୌଣସି ରାଜନୈତିକ ଚାପ ନାହିଁ। ଯିଏବି ଆଇନକୁ ହାତକୁ ନେବ ସେ କାର୍ଯ୍ୟାନୁଷ୍ଠାନର ସାମ୍ନା କରିବ। ପିସିଆର ଭ୍ୟାନ୍ରେ ଡ୍ୟୁଟିରେ ଥିବା ହାବିଲଦାର ଉଚିତ ସମୟରେ ଖବର ଦେଇଥିଲେ ହୁଏତ ଏତେ ବଡ଼ ଅଘଟଣ ଘଟି ନ ଥାନ୍ତା। ଅନ୍ୟ ଅଭିଯୁକ୍ତମାନଙ୍କୁ ଚିହ୍ନଟ କରାଯାଇଛି। ଖୁବ୍ଶୀଘ୍ର ସେମାନଙ୍କୁ ଗିରଫ କରାଯିବ।
/sambad/media/post_attachments/wp-content/uploads/2021/03/nayapalli2.jpg)
ଗିରଫ ହାବିଲଦାର ନିଲମ୍ବିତ
ମଙ୍ଗଳବାର ଅପରାହ୍ଣରେ କେତେକ ଯୁବକ ପ୍ରଣବଙ୍କ ଘର ବାହାରେ ଛିଡ଼ା ହୋଇ ଅଶ୍ରାବ୍ୟ ଭାଷାରେ ଗାଳିଗୁଲଜ କରୁଥିବାବେଳେ ଆଉ କେତେକ ଘର ଭିତରେ ପଶି ଭଙ୍ଗାରୁଜା କରୁଥିଲେ। ଖବର ପାଇ ପହଞ୍ଚିଥିଲା ପିସିଆର ଭ୍ୟାନ୍। ହେଲେ ପିସିଆର୍ରେ ଥିବା ପୁଲିସ ଆଇନଶୃଙ୍ଖଳା ରକ୍ଷା କରିବ କ’ଣ, ଏଭଳି ଗୁଣ୍ଡାରାଜ୍ର ନିରବ ଦର୍ଶକ ପାଲଟିଥିଲା। ଖବର ପାଇ ଜଣେ ଉଚ୍ଚପଦସ୍ଥ ଅଧିକାରୀ ସମ୍ପୃକ୍ତ ପିସିଆର୍ ଦାୟିତ୍ବରେ ଥିବା ଏସ୍ଏସ୍ବି ବାଟାଲିୟନ ହାବିଲଦାର ସୁନିତ ମହାନ୍ତିଙ୍କୁ ଫୋନ୍ ମଧ୍ୟ କରିଥିଲେ। ହେଲେ ସେମିତି କିଛି ହୋଇନି କହି ଘଟଣାକୁ ସେ ଅତି ହାଲୁକା ଭାବରେ ନେଇଥିଲେ। ପୁଲିସ ସାମ୍ନାରେ ଏଭଳି ଦାଦାଗିରି ଚାଲିଥିଲା। ଏଣୁ ଏହି ମାମଲାରେ ହାବିଲଦାର ଜଣକ ଆକ୍ରମଣକାରୀଙ୍କୁ ସୁରକ୍ଷା ଦେବାକୁ ଜାଣିଶୁଣି ନିରବଦ୍ରଷ୍ଟା ସାଜିଥିଲେ ବୋଲି ସନ୍ଦେହ କରି ପୁଲିସ ତାଙ୍କୁ ଗିରଫ କରିଛି। ଗିରଫ ପରେ ତାଙ୍କୁ ଏସ୍ଏସ୍ବି ବାଟାଲିୟନ ପକ୍ଷରୁ ନିଲମ୍ବିତ ମଧ୍ୟ କରାଯାଇଛି।
ଓକିଲ ଗିରଫ ହେଲେ କାହିଁକି
ଏହି ସଂଘବଦ୍ଧ ଆକ୍ରମଣ ମାମଲାରେ ଅଭିଯୁକ୍ତଙ୍କ ତାଲିକାରେ ରହିଛନ୍ତି ଓକିଲ ମନୋରଂଜନ ମିଶ୍ର। ତାଙ୍କର ଆଉ ଏକ ପରିଚୟ ହେଲା, ସେ ହେଉଛନ୍ତି ଅନ୍ତର୍ଜାତୀୟ ଭାରୋତ୍ତଳନକାରୀ ରାନୁ ମହାନ୍ତିଙ୍କ ସ୍ବାମୀ। ମନୋରଂଜନ ମଧ୍ୟ ଜଣେ ଭାରୋତ୍ତଳନକାରୀ। ତେବେ ଗତକାଲି ସଂଘବଦ୍ଧ ହୋଇ ଆକ୍ରମଣକାରୀମାନେ ପ୍ରଣବ ରାୟଙ୍କ ଘରେ ପଶି ଭଙ୍ଗାରୁଜା କରିବାକୁ ଯାଇଥିବାବେଳେ ସେମାନଙ୍କ ଓକିଲ ଭାବେ ମନୋରଂଜନ ସେଠାକୁ ଯାଇଥିଲେ। ପ୍ରଣବଙ୍କ ଝିଅ ତାନ୍ୟା ରାୟଙ୍କ ଅଭିଯୋଗ ଅନୁସାରେ ତାଙ୍କ ବାପାଙ୍କୁ ବନ୍ଧୁକ ଓ ଛୁରି ମୁନରେ ଏକ କମ୍ପ୍ରମାଇଜ୍ ପିଟିସନ୍ରେ ଦସ୍ତଖତ କରିବାକୁ ବାଧ୍ୟ କରାଯାଇଥିଲା। ଆଉ ମନୋରଂଜନ ମିଶ୍ର ଓକିଲ ଭାବେ ଏହି କମ୍ପ୍ରମାଇଜ୍ ପିଟିସନ ପ୍ରସ୍ତୁତ କରିବା ସହ ସେଠାରେ ଉପସ୍ଥିତ ଥିଲେ। ତେଣୁ ପୁଲିସ ତାଙ୍କୁ ଗିରଫ କରିଥିଲା। ତେବେ ଅନ୍ୟମାନଙ୍କ ସହ ମନୋରଂଜନଙ୍କୁ କୋର୍ଟ ଚାଲାଣ କରାଯାଇ ନ ଥିଲା। କାଳେ ଅନ୍ୟ ଓକିଲ ବିରୋଧ କରିବେ ଆଶଙ୍କା କରି ବିଳମ୍ବିତ ସନ୍ଧ୍ୟା ପର୍ଯ୍ୟନ୍ତ ତାଙ୍କୁ ଏୟାରପୋର୍ଟ ଥାନାରେ ରଖାଯିବା ପରେ କୋର୍ଟ ଚାଲାଣ କରାଯାଇଥିବା ଜଣାପଡ଼ିଛି।
ଲୁଲୁଙ୍କ ଜ୍ବାଇଁକୁ ଏଯାଏ ଘର ବିକିନି: ବିଜୟ
ଯେଉଁ ଘରକୁ ନେଇ ଗତକାଲି ଏହି ସଂଘବଦ୍ଧ ଆକ୍ରମଣ ହେଲା, ସେହି ଘରର ମାଲିକ ବିଜୟ ନାୟକ ଓ ତାଙ୍କ ପତ୍ନୀ ସଂଯୁକ୍ତାଙ୍କୁ ଗିରଫ କରିଛି ପୁଲିସ। ବିଜୟ ହେଉଛନ୍ତି ପୂର୍ବତନ କେନ୍ଦ୍ରମନ୍ତ୍ରୀ ଦିଲୀପ ରାୟଙ୍କ ଶାଳକ। ବିଜୟଙ୍କ ଏହି ଘରକୁ ଭଡ଼ାରେ ନେଇଥିବା ପ୍ରଣବ ରାୟ ଘର ଛାଡ଼ୁନଥିବାରୁ ଦୀର୍ଘ ଦିନ ହେବ ଏମାନଙ୍କ ମଧ୍ୟରେ ବିବାଦ ଲାଗି ରହିଥିଲା। ବିଜୟ ମଧ୍ୟ ଏ ନେଇ ପୂର୍ବରୁ ନୂଆପଲ୍ଲୀ ଥାନାକୁ ଜଣାଇଥିଲେ। ବିଜୟଙ୍କ ଏହି ଘରକୁ ସ୍ବର୍ଗତ ଲୁଲୁ ମହାପାତ୍ରଙ୍କ ଜ୍ବାଇଁ ଶୁଭ୍ରାଂଶୁ କିଣିଥିବା ନେଇ ଚର୍ଚ୍ଚା ହେଉଥିଲା। ହେଲେ ଏହି ଘର ବିଜୟ ଏଯାଏ ଶୁଭ୍ରାଂଶୁଙ୍କୁ ବିକ୍ରି କରିନାହାନ୍ତି ବୋଲି ଆଜି କୋର୍ଟ ଚାଲାଣ ବେଳେ କହିଛନ୍ତି। ବାସ୍ତବରେ ଲୁଲୁଙ୍କ ଝିଅ ଓ ଜ୍ବାଇଁ ଘର କିଣିବା ପାଇଁ ପାଇଁ ଅର୍ଥ ଦେଇ ଦେଇଛନ୍ତି। କିନ୍ତୁ ଘରର କାଗଜପତ୍ର ଏ ଯାବତ୍ ତାଙ୍କ ନାମରେ ହୋଇ ନାହିଁ। ଏଣୁ ବିବାଦରୁ ଲୁଲୁ ମହାପାତ୍ରଙ୍କ ଝିଅ ଜ୍ବାଇଁଙ୍କୁ ମୁକ୍ତ କରିବାକୁ ସେ ଏଭଳି ବୟାନ ଦେଇଥିବା ଚର୍ଚ୍ଚା ହେଉଛି।
/sambad/media/agency_attachments/2024-07-24t043029592z-sambad-original.webp)
/sambad/media/post_attachments/wp-content/uploads/2021/03/nayapalli.jpg)