ଭୁବନେଶ୍ବର: ପ୍ରବାସୀ ଭାରତୀୟଙ୍କୁ ସ୍ବାଗତ କରିବାପାଇଁ କାନ୍ଥବାଡ଼ ସଜେଇଥିଲା ବିଏମ୍ସି। ରଙ୍ଗମରା ଓ ଚିତ୍ର କରିବାରେ ବିଏମ୍ସି ଖର୍ଚ୍ଚ କରିଛି ୧୭ କୋଟି। ଗତ ବର୍ଷ କାନ୍ଥବାଡ଼ରେ ମହାପୁରୁଷ ତଥା ଓଡ଼ିଆ ସଂସ୍କୃତି ସହ ଜଡ଼ିତ ଚିତ୍ରମାନ କରାଯାଇଥିଲା। ଏଥିରେ ବି କୋଟିକୋଟି ଟଙ୍କା ଖର୍ଚ୍ଚ ହୋଇଥିଲା। ହେଲେ ସେ ସବୁ ଉପରେ ରଙ୍ଗବୋଳି ସେଇ ମହାପୁରୁଷମାନଙ୍କୁ ଅପମାନ ଦିଆଯାଇଛି ଏବଂ ଅଯଥାରେ କୋଟିକୋଟି ଟଙ୍କା ବରବାଦ ହୋଇଛି ବୋଲି ଅଭିଯୋଗ ହେବା ପରେ କର୍ପୋରେସନ ବୈଠକରେ ତମ୍ବିତୁଫାନ ହୋଇଛି। ଓଡ଼ିଶାର କଳା, ସଂସ୍କୃତି, ପରମ୍ପରା, ଭସ୍କର୍ଯ୍ୟ ପ୍ରମାଣ ବହନ କରୁଥିବା କାନ୍ଥରେ ଏବେ ଏ ସବୁର ଚିହ୍ନବର୍ଣ୍ଣ ନାହିଁ। ଏହା ଲକ୍ଷ ଲକ୍ଷ ଭୁବନେଶ୍ୱରବାସୀଙ୍କ ମନରେ ଗଭୀର କ୍ଷତ ସୃଷ୍ଟି କରିଛି ବୋଲି ଅଭିଯୋଗ ହୋଇଛି। ଏହି ଚିତ୍ରଗୁଡ଼ିକୁ କାହା ନିର୍ଦ୍ଦେଶରେ ପରିବର୍ତ୍ତନ କରାଯାଇଛି ତାହା ଜଣାଇବାକୁ ଜନପ୍ରତିନିଧି ଦାବି କରିବାରୁ ଅଧିକାରୀ ଅଡ଼ୁଆରେ ପଡ଼ିଥିଲେ। ଏଥିପାଇଁ ଗଠନ ହୋଇଥିବା କମିଟି ଏଭଳି ନିଷ୍ପତ୍ତି ନେଇଥିବା ବିଏମ୍ସି ଉତ୍ତର ରଖିଥିଲା। ହେଲେ କିଏ ସେହି କମିଟି? ଏହା ପୂର୍ବରୁ ରାଜଧାନୀବାସୀଙ୍କ ଠାରୁ କାହିଁକି ପ୍ରସ୍ତାବ ଗ୍ରହଣ କରାଗଲା ନାହିଁ? କେଉଁ ପରିସ୍ଥିତିରେ ୧୭ କୋଟି ବରବାଦ କରିଦେଲ ବୋଲି ପ୍ରଶ୍ନ ଉଠିଛି।
ପୂର୍ବରୁ ହକି ପାଇଁ ସହରକୁ ରଙ୍ଗିନ କରାଯାଇଥିଲା। କାନ୍ଥବାଡ଼ରେ ଚିତ୍ର କରାଯାଇଥିଲା। ଏଥିରେ ଓଡ଼ିଶାର ପ୍ରତ୍ୟେକ ସ୍ତରକୁ ପ୍ରାଧାନ୍ୟ ଦିଆଯାଇଥିଲା। ଚିର ସବୁଜ ଓଡ଼ିଆ ଚଳଚ୍ଚିତ୍ର, ଫିଲ୍ମ ହିରୋ ହିରୋଇନ୍, ପ୍ରସିଦ୍ଧ ଲେଖକ, ଲୋକପ୍ରିୟ ଖେଳାଳୀ, ଓଡ଼ିଶାର ଭାସ୍କର୍ଯ୍ୟ, କଳା ଓ ସଂସ୍କୃତି ସହ ଲୋକେ ପାଶୋରି ଦେଇଥିବା କିଛି ବୀରଙ୍କୁ ମଧ୍ୟ ଏହି ଚିତ୍ରରେ ସ୍ଥାନିତ କରାଯାଇଥିଲା। ଏହା ସହିତ ସହରର ବିଭିନ୍ନ ହାଟ ଓ ବଜାରର ଚିତ୍ର ସହ ପ୍ରସିଦ୍ଧ ପୁରୁଣା କୋଠାର ଚିତ୍ର ମଧ୍ୟ ରହିଥିଲା। ଏଥିରେ ବି ପ୍ରାୟ ୨୦ କୋଟି ଖର୍ଚ୍ଚ ହୋଇଥିଲା। ହେଲେ ସେ ସବୁ ଉପରେ ରଙ୍ଗ ମାରି ନୂଆ ଚିତ୍ର କରାଯାଇଛି। ଚିତ୍ରରେ କୌଣସି ମହାପୁରୁଷଙ୍କୁ ସ୍ଥାନିତ କରାଯାଇ ନାହିଁ। କିମ୍ବା କୌଣସି ନିର୍ଦ୍ଦିଷ୍ଟ ଥିମ୍ରେ ମଧ୍ୟ କରାଯାଇ ନାହିଁ। କେବଳ ଧର୍ମକୁ ଆଖି ଠାର ଭଳି ବିଏମ୍ସି ଏକ କମିଟି ଗଠନ କରି ଏଭଳି ପୁରୁଣା ଚିତ୍ରକୁ ପରିବର୍ତ୍ତନ କରିଛି ଏବଂ ନୂଆ ଚିତ୍ରର ନିଷ୍ପତ୍ତି ନେଇଛି। ଦୁଇ ବର୍ଷରେ ପ୍ରାୟ ୪୦ କୋଟି କେବଳ କାନ୍ଥବାଡ଼ରେ ରଙ୍ଗବୋଳା ଓ ଚିତ୍ରରେ ନଷ୍ଟ ହୋଇଯାଇଛି।
ଶିଳ୍ପୀ ଚୟନରେ ପାତରଅନ୍ତର
ମୁହଁରେ ରଙ୍ଗ ବୋଳିଦେବା ମହାପୁରୁଷଙ୍କୁ ଅପମାନ
୨ବର୍ଷରେ ଖର୍ଚ୍ଚ କରିଛନ୍ତି ୪୦ କୋଟି
ଏତିକିରେ କଥା ସରିନି। ବରଂ ଚିତ୍ର କରିବା ପାଇଁ ଟେଣ୍ଡର କରାଯାଇନି। ବିଏମ୍ସିରେ ତାଲିକାଭୁକ୍ତ ଶିଳ୍ପୀଙ୍କୁ ସ୍ଥାନ ଦିଆଯାଇଥିବା କହି ବିଏମ୍ସି ଖସି ଯାଇଛି। କିନ୍ତୁ କେବେ ବିଏମ୍ସି ଶିଳ୍ପୀଙ୍କ ତାଲିକା କଲା? କେବେ ଶିଳ୍ପୀମାନଙ୍କୁ ପଞ୍ଜୀକରଣ କରିବାକୁ କହିଥିଲା? ଏ ସବୁ ପ୍ରଶ୍ନର ଉତ୍ତର କାହା ପାଖରେ ନାହିଁ। ଜଣେ ଶିଳ୍ପୀ ଅଞ୍ଜଳି ସାମନ୍ତସିଂହାରଙ୍କ ଅଭିଯୋଗ ହେଉଛି, ଜଣେ ନିର୍ଦ୍ଦିଷ୍ଟ ଲୋକକୁ ଧରି ଏଭଳି କାମ କରାଯାଇଛି। ପୂର୍ବରୁ ମଧ୍ୟ ଏଭଳି କରାଯାଇଥିଲା। ତାଙ୍କର ଯେଉଁମାନେ ଚିହ୍ନାଜଣା ସେମାନଙ୍କୁ ସୁଯୋଗ ଦିଆଯାଇଛି। ଏଥିରେ କି ପ୍ରକାରର ରଙ୍ଗ ବ୍ୟବହାର କରାଯାଇଛି? କେତେ ଦିନ ପର୍ଯ୍ୟନ୍ତ ଏହି ରଙ୍ଗ ରହିବ ତାହାର କିଛି ନିଶ୍ଚିତତା ଅଛିକି? କି ପ୍ରକାର ଚିତ୍ରକୁ ସରକାର କେତେ ପଇସା ଧାର୍ଯ୍ୟ କରିଛନ୍ତି? ଏ ସବୁର ହିସାବ ଦେଲେ ହିଁ ଏହା ପଛରେ ଥିବା କେଳେଙ୍କାରୀ ଧରାପଡ଼ିବ ବୋଲି ସେ କହିଛନ୍ତି। ବିଏମ୍ସିର ହିସାବ ମୁତାବକ, ବିଏମ୍ସି ଅଞ୍ଚଳରେ ସୌନ୍ଦର୍ଯ୍ୟୀକରଣ ପାଇଁ ପ୍ରାୟ ୧୪ କୋଟି ଟଙ୍କାର ବ୍ୟୟ ଅଟକଳ କରାଯାଇଥିଲା। ଏହା ବାଦ୍ ହାଇଟେକ୍ରୁ ଡିଏନ୍ ରେଗାଲିଆ ପର୍ଯ୍ୟନ୍ତ ଫ୍ଲାଏଓଭର କାନ୍ଥ ରଙ୍ଗ କରିବାକୁ ୩.୧୬କୋଟି ଖର୍ଚ୍ଚ ହୋଇଥିଲା। ଏଭଳି ୧୭ କୋଟିରୁ ଅଧିକ ଖର୍ଚ୍ଚ ହୋଇଥିଲା। ଫ୍ଲାଏ ଓଭର କାନ୍ଥ ରଙ୍ଗ ପାଇଁ ଟେଣ୍ଡର କରାଯାଇଥିଲା। ସରକାରୀ ପାଚେରୀଗୁଡ଼ିକ ଚିତ୍ରିତ କରିବା ପାଇଁ କମିଟି ଗଠନ ହୋଇଥିଲା। କମିଟି ଜରିଆରେ ରାଜ୍ୟର କଳାକାରମାନଙ୍କୁ ଚୟନ କରାଯାଇଥିଲା। ତେବେ ଏହି ଖର୍ଚ୍ଚ ବିଏମ୍ସି ପାଣ୍ଠିରୁ ନୁହେଁ, ବରଂ ସରକାର ଓ କିଛି ଘରୋଇ ଅନୁଷ୍ଠାନର ସିଏସ୍ଆର୍ କାର୍ଯ୍ୟକ୍ରମ ଅଧୀନରେ କରାଯାଉଛି।
ତଥ୍ୟ ମୁତାବକ, ହାଇଟେକ୍ ଛକରୁ ଜୟଦେବବିହାର ପର୍ଯ୍ୟନ୍ତ ଫ୍ଲାଏଓଭର କାନ୍ଥର ଉଭୟପାର୍ଶ୍ବ ରଙ୍ଗ ପାଇଁ ୧କୋଟି ୫୮ ଲକ୍ଷ ୧୩ ହଜାର ୪୪୯ ଖର୍ଚ୍ଚ ହୋଇଥିବା ବେଳେ ଜୟଦେବବିହାରରୁ ଡିଏନ୍ ରେଗାଲିଆ ମଲ୍ ପର୍ଯ୍ୟନ୍ତ ଉଭୟପାର୍ଶ୍ବ ଫ୍ଲାଏଓଭର କାନ୍ଥ ପାଇଁ ୧କୋଟି ୫୮ ଲକ୍ଷ ୧୮ ହଜାର ୪୬୫ ଟଙ୍କା ଖର୍ଚ୍ଚ ହୋଇଥିଲା। ଜାତୀୟ ରାଜପଥର ସମ୍ପତ୍ତି ପାଇଁ ବିଏମ୍ସି କାହିଁକି ୩ କୋଟିରୁ ଊର୍ଦ୍ଧ୍ବ ଖର୍ଚ୍ଚ କଲା ବୋଲି ପ୍ରଶ୍ନ ଉଠିଥିଲା।